ସମ୍ବାଦ ପ୍ରଭାବ: ମରାମତି ହେଉନି ଖାଲ, ଆନ୍ଦୋଳନ ପାଇଁ ସଜବାଜ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ପାଚେରି ପାର୍ଶ୍ବରେ ଦୁଇମାସ ହେଲା ଖୋଳା ଯାଇଥିବା ଖାଲ ପୋତା ଯାଉନି। ପାଚେରି ମରାମତି ପାଇଁ ଏହା ଖୋଳା ଯାଇଥିବା କୁହାଯାଉଥିଲେ ହେଁ ଏତେଦିନ ପର୍ଯ୍ୟନ୍ତ କାହିଁକି କାମ ଶେଷ ହେଉନି, ସେ ସଂପର୍କରେ କେହି ସନ୍ତୋଷଜନକ ଉତ୍ତର ଦେଉ ନାହାନ୍ତି। ଏଥିଯୋଗୁଁ ଏହି ରାସ୍ତାରେ ଯାତାୟାତ କରୁଥିବା ହଜାର ହଜାର ଲୋକ ହାଇରାଣ ହେଉଛନ୍ତି। ରାସ୍ତା ପାର୍ଶ୍ବକୁ ଖୋଳି ଦିଆଯିବା ଫଳରେ ଏହା ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟହାନି କରୁଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏ ନେଇ ସ୍ଥାନୀୟ ଲୋକ କ୍ଷୋଭ ପ୍ରକାଶ କରିବା ସହିତ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ସୂଚନା ମିଳିଛି। ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାରଠାରୁ ଭଜନ ମଣ୍ଡପ ଛକ ତଥା ଚାହାଣୀ ମଣ୍ଡପ ପର୍ଯ୍ୟନ୍ତ ୨ଫୁଟ୍‌ର ଗାତ ଖୋଳା ହୋଇ ରହିଛି। ମନ୍ଦିରକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ଏହି ରାସ୍ତା ପାଇଁ ଦୁର୍ଘଟଣାର ଶିକାର ହେଉଥିବା ଦେଖାଯାଇଛି। ସୌନ୍ଦର୍ଯ୍ୟକରଣ କାମ ପାଇଁ ଏଏସ୍‌ଆଇ ପକ୍ଷରୁ ପୁରାତନ ପାଚେରିକୁ ଭାଙ୍ଗି ନୂତନ ପାଚେରି ନିର୍ମାଣ କରାଯାଉଛି। ଏଥିପାଇଁ ଦୁଇ ମାସ ହେଲା ଗାତ ଖୋଳା ହୋଇଛି। ଇତି ମଧ୍ୟରେ କାମ ଶେଷ ହୋଇନଥିବା ବେଳେ ଏହି ଖାଲ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। କାମ ‌ଶୀଘ୍ର ଶେଷ ନକଲେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ଏ କାମ କିଏ କରୁଛି, ସେ ସଂପର୍କରେ ତାଙ୍କ ପାଖରେ ସୂଚନା ନାହିଁ। ଅନୁଧ୍ୟାନ କରାଯାଇ ଟ୍ରଷ୍ଟ ‌ବାର୍ଡରେ ଆଲୋଚନା କରାଯିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯିବ। ଏଏସ୍ଆଇର ଭୁବନେଶ୍ବର ସଂଗ୍ରାଧିକ୍ଷକ ଦିଲ୍ଲୀପ ପଣ୍ଡା କହିଛନ୍ତି, ଠିକା ଦିଆଯାଇ କାମ ହେଉଛି। ସେଠାରେ ଗାତ ଖୋଳାଯାଇଛି। ହେଲେ କର୍ମଚାରୀଙ୍କ ସମସ୍ୟା ଯୋଗୁଁ କାମ ହୋଇ ପାରୁନି।

ସମ୍ବାଦ ପ୍ରଭାବ
ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ନୃସିଂହ ମନ୍ଦିର ସମ୍ମୁଖ ରାସ୍ତାର ଦବି ଯାଇଥିବା ପଥରକୁ ବାହାର କରାଯାଇ ମରାମତି କରାଯାଇଛି। ଏ ସଂପର୍କରେ ‘ସମ୍ବାଦ’ ଖବର ପ୍ରକାଶ ପାଇବା ପରେ ଏଏସ୍‌ଆଇ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ପଥର ଦବି ଖାଲ ସୃଷ୍ଟି ହେବାରୁ ୨ଜଣ ପର୍ଯ୍ୟଟକ ଆହତ ହୋଇଥିଲେ। ଏହାର ମରାମତି ନହେଲେ ସମସ୍ୟା ସୃଷ୍ଟି ହେବ ବୋଲି ସେବାୟତମାନେ କହିଥିଲେ।

ସମ୍ବନ୍ଧିତ ଖବର