‘ସମ୍ବାଦ’ ପ୍ରଭାବ: ଜବତ ହେଲା, ବିକଟାଳ ଶବ୍ଦଯୁକ୍ତ ହର୍ଣ୍ଣ

ଭୁବନେଶ୍ୱର: ବସ୍‌ର ବିକଟାଳ ହର୍ଣ୍ଣରେ ରାଜଧାନୀବାସୀ ଅତିଷ୍ଠ। ଏଭଳି ଗୁରୁତର ପ୍ରସଙ୍ଗକୁ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଉଠିଛି। ଆଜି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଚଢ଼ଉ କରାଯାଇ ପାଖାପାଖି ୨୬ଟି ବସ୍‌ରୁ ୨୨ଟି ଏୟାର-ପ୍ରେସର୍‌ ହର୍ଣ୍ଣ ଜବତ କରାଯାଇଛି। ଘଟଣାସ୍ଥଳରେ ପ୍ରତ୍ୟେକ ବସ୍‌ର ହର୍ଣ୍ଣର ତୀବ୍ରତା ମାପ କରାଯାଇଥିବା ବେ‌ଳେ ଏଥିରୁ ୨୨ଟି ବେଆଇନ ଥିବା ଜଣାପଡ଼ିଥିଲା। ୬୫(ଡିବି) ଡେସିବଲରୁ ଅଧିକ ତୀବ୍ରତା ଥିବାରୁ ହର୍ଣ୍ଣଗୁଡ଼ିକୁ ଗାଡ଼ିରୁ ଖୋଲା ଯାଇଥିଲା‌। ଆଜି ପଳାସୁଣୀ ଛକ ଜାତୀୟ ରାଜପଥରେ ପାଖାପାଖି ୨ଘଣ୍ଟା ଯାଞ୍ଚ କରାଯାଇଥିବା ବେଳେ ଆଗକୁ ମଧ୍ୟ ଏଭଳି ଯାଞ୍ଚ ଚାଲିବ ବୋଲି ଆରଟିଓ(୧) ପ୍ରଦୀପ କୁମାର ମହାନ୍ତି କହିଛନ୍ତି। କେବଳ ବସ ନୁହେଁ, ଟ୍ରକ୍‌ ଓ ଅନ୍ୟ ଗାଡ଼ିଗୁଡ଼ିକରେ ମଧ୍ୟ ଏଭଳି ହର୍ଣ୍ଣ ବ୍ୟବହାର କରୁଥିବା ପରିଲକ୍ଷିତ ହୋଇଛି। ସେଗୁଡ଼ିକ ଉପରେ ମଧ୍ୟ ଚଢ଼ଉ କରାଯିବାକୁ ଯୋଜନା ହୋଇଛି। ପ୍ରତି ମାସରେ ଏଭଳି ଯାଞ୍ଚ କରାଯିବ। ଆଜି ବସ୍‌ଗୁଡ଼ିକଠାରୁ ଜରିମାନା ଆଦାୟ ହୋଇନାହିଁ। ବେଆଇନ ହର୍ଣ୍ଣ ବ୍ୟବହାର କରିଥିବା ବସ୍‌ଗୁଡ଼ିକର ତାଲିକା କରାଯାଇଛି। ଏଭଳି ନିୟମ ଉଲ୍ଲଙ୍ଘନ ଦ୍ବିତୀୟଥର କଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହା ଛଡ଼ା ଯେଉଁ ସବୁ ଦୋକାନରେ ଏଭଳି ବେଆଇନ ହର୍ଣ୍ଣ ବିକ୍ରି ହେଉଛି, ସେଗୁଡ଼ିକୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ କମିସନରେଟ୍‌ ପୁଲିସ ସହ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି।

ଯାଞ୍ଚ ହୋଇଥିବା ୨୬ଟି ଗାଡ଼ିରୁ ୨୨ଟିରୁ ଏଭଳି ହର୍ଣ୍ଣ ଜବତ ହୋଇଛି। ଅର୍ଥାତ୍‌ ୯୦ ପ୍ରତିଶତରୁ ଅଧିକ ଗାଡ଼ିରେ ଏଭଳି ହର୍ଣ୍ଣ ବ୍ୟବହାର ହେଉଥିବା ଜଣାଯାଇଛି। ଏହାକୁ ନେଇ ଚିନ୍ତା ବଢ଼ିଛି। ଲଗାତାର ଯାଞ୍ଚ ହୋଇ କାର୍ଯ୍ୟାନୁଷ୍ଠାନ ନ ହେଲେ ଏହା ସମଗ୍ର ରାଜଧାନୀରେ ଶବ୍ଦ ପ୍ରଦୂଷଣର ମୁଖ୍ୟ କାରଣ ହେବେ ବୋଲି କୁହାଯାଉଛି। ପରିବହନ ବିଭାଗରରେ କର୍ମଚାରୀ ନଥିବାରୁ ଏହାକୁ ନିୟମିତ ଯାଞ୍ଚ କରିବା ସମ୍ଭବ ହେଉନାହିଁ। ଫଳରେ ଏହି ସବୁ ବେଆଇନ କାମ ଖୋଲାଖୋଲି ଭାବରେ ଚାଲିଛି। ବେଆଇନ ହର୍ଣ୍ଣ ଯେଉଁ ପରିମାଣରେ ବିକ୍ରି ହେଉଛି, ସେହି ପରିମାଣରେ ବ୍ୟବହାର‌ ମଧ୍ୟ ହେଉଛି। ଚର୍ଚ୍ଚାକୁ ଆସିଲେ କେବଳ ଲୋକ ଦେଖାଣିଆ ଯାଞ୍ଚ ହେବା ପରେ ବିଭାଗ ବସି ଯାଉଛି।

ସମ୍ବନ୍ଧିତ ଖବର