ସମ୍ବାଦ ପ୍ରଭାବ: ଦିବ୍ୟାଙ୍ଗ ବାନ୍ଧବୀଦ୍ବୟଙ୍କୁ ସାହା ହେ‌ଲା କିସ୍ ଫାଉଣ୍ଡେସନ୍‌

ଭୁବନେଶ୍ବର: ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥିବାରୁ ପରିବାରଲୋକେ ବୋଝ ଭାବିଥିଲେ। ଫଳରେ ପେଟ ପୋଷିବାକୁ ରାଜଧାନୀ ଧାଇଁ ଆସିଥିଲେ ଦାରିଙ୍ଗବାଡ଼ିର ଜ୍ୟୋତ୍ସ୍ନା ମାଝୀ (୨୮) ଓ ସୋନପୁରର ଲକ୍ଷ୍ମୀ ପାତ୍ର (୩୩)। ଧନ୍ଦାମୂଳକ କାମ ଶିଖି ରୋଜଗାରର ବାଟ ପାଇଥିଲେ। ହେଲେ କରୋନା ସବୁ ବିଗାଡ଼ି ଦେଇଥିଲା। ଏନେଇ ଭୋକ ଉପାସରେ ସ୍କୁଲ୍‌ରେ ପଡ଼ି ରହିଥିବା ଦୁଇ ଯୁବତୀଙ୍କ ଖବର ‘ସ୍କୁଲ୍‌ ଛାତ ତଳେ ୪ମାସ’ ସମ୍ବାଦରେ ପ୍ରସାରଣ ପରେ ସହଯୋଗର ହାତ ବଢ଼ାଇଛି କିସ୍‌ ଫାଉଣ୍ଡେସନ୍‌। ଦୁଇ ଦିବ୍ୟାଙ୍ଗ ଯୁବତୀଙ୍କୁ ଖୁବ୍‌ଶୀଘ୍ର କିସ୍‌ରେ ନିଯୁକ୍ତି ଦିଆଯିବା ସହ ରହିବାକୁ ଘର ଯୋଗାଇ ଦିଆଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଏଥିସହ ମାସକ ପାଇଁ ଉଭୟଙ୍କୁ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି କିସ୍‌ ଫାଉଣ୍ଡେସନ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଗତକାଲି ସମ୍ବାଦ ପ୍ରକାଶନ ପରେ ଉଭୟଙ୍କୁ ଯୋଗାଯୋଗ କରି ଆଜି ଡକାଯାଇଥିଲା। ଶ୍ରୀ ସାମନ୍ତ କହିଛନ୍ତି ଉଭୟଙ୍କୁ ଦକ୍ଷତା ମୁତାବକ ନିଯୁକ୍ତି ସହ ରହିବାକୁ ମୁଣ୍ଡ ଉପରେ ଛାତ ଯୋଗାଇ ଦିଆଯିବ। ଏହା ଶୁଣିବା ପରେ ଦୁହେଁ କାଲି ଯାଏ ଦୁଃଖରେ କାନ୍ଦୁଥିବା ବେଳେ ଆଜି ଖୁସିରେ କାନ୍ଦି ପକାଇଥିଲେ।

ସମ୍ବନ୍ଧିତ ଖବର