‘ସମ୍ବାଦ’ ଗ୍ରାଉଣ୍ଡ ଜିରୋ: ଡେଙ୍ଗୁକୁ ଆମନ୍ତ୍ରଣ, ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଡେଇଁଲା

ସାଲିଆସାହିକୁ ସଂକ୍ରମଣ ଭୟ, ଭୟରେ ଚନ୍ଦ୍ରଶେଖରପୁରବାସୀ

ଚନ୍ଦ୍ରଶେଖରପୁର: ମାଡ଼ି ଚାଲିଛି ଡେଙ୍ଗୁ। ରାଜଧାନୀର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ବ୍ୟାପୁଛି। ନୀଳାଦ୍ରିବିହାରରୁ ପ୍ରଥମ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ ପରେ ଶୈଳଶ୍ରୀବିହାର, ପ୍ରଗତିବିହାର, କଳ୍ପନା ଅଞ୍ଚଳ, ପୁରୁଣା ଭୁବନେଶ୍ବର ଆଦି ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ୧୦ ଦିନ ମଧ୍ୟରେ ସହରର ଅଧାରୁ ଅଧିକ ଅଞ୍ଚଳରେ କାୟା ମେଲାଇଲାଣି। ଏତେ ସବୁ ପରେ ବି ସ୍ବାସ୍ଥ୍ୟ ବିଭାଗ କିମ୍ବା ବିଏମ୍‌ସିର ଚେତା ପଶୁନି। ପରୀକ୍ଷା ଓ ସଚେତନତାରେ ହିଁ ଡେଙ୍ଗୁ ନିୟନ୍ତ୍ରଣକୁ ସୀମିତ ରଖାଯାଇଛି। ସେଭଳି ଆଖିଦୃଶିଆ ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ। ଯେଉଁଥିପାଇଁ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଛି।

ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଡେଙ୍ଗୁ କିଛି ମାତ୍ରାରେ ବଢ଼ିଛି ସତ। ମାତ୍ର ତାହା ଭୟାବହ ନୁହେଁ। ସୋମବାର ସୁଦ୍ଧା ଭୁବନେଶ୍ବରରୁ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଲୋକେ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଦୂଷିତ ପାଣି, ଅବ୍ୟବହୃତ କୋଠା, ଟାୟାର୍, ନଡ଼ିଆ ଷଢ଼େଇ ଆଦିରେ ଅଧିକ ଦିନ ଧରି ବର୍ଷା ପାଣି ଜମି ରହିବା ଫଳରେ ସେଠାରୁ ମଶା ବଂଶ ବୃଦ୍ଧି ପାଉଛି। ଯାହାକି ବର୍ତ୍ତମାନ ସମୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି। ତା’ପରେ ବି ଲୋକେ ଚେତିବାକୁ ନାରାଜ। ଆଜି ଦିନତମାମ ରାଜଧାନୀର ବିଭିନ୍ନ ସ୍ଥାନ ବୁଲିବା ସମୟରେ ‘ସମ୍ବାଦ’ ଟିମ୍‌ ଯେଉଁ ସ୍ଥିତି ଦେଖିଥିଲା ତାହା ଅତ୍ୟନ୍ତ ସାଂଘାତିକ। ଲୋକେ ସଚେତନ ହେଉ ନ ଥିବା ବେଳେ ପ୍ରଶାସନ ସବୁ ଜାଣି ଆଖି ବୁଜିଦେଇଛି। ପରିମାଣ ସ୍ବରୂପ ସବୁଠି ଡେଙ୍ଗୁଙ୍କୁ ଆମନ୍ତ୍ରଣ କରାଯାଉଛି।

ସାଲିଆସାହିକୁ ସଂକ୍ରମଣ ଭୟ
ସହରର ସବୁଠାରୁ ବଡ଼ ବସ୍ତି ସାଲିଆସାହିରେ ବୁଲିବା ବେଳେ ଡେଙ୍ଗୁ ମଶାଙ୍କ ସଂକ୍ରମଣର ଭୟ ଅଧିକ ରହିଥିବା ନଜରକୁ ଆସିଛି। ମେ’ ଫେୟାର ବସ୍ତି, ବିଏମ୍‌ସିର ୨୧ ଓ ୨୬ ନମ୍ବର ୱାର୍ଡର ବିଭିନ୍ନ ସ୍ଥାନରେ ବହୁ ଦିନ ହେଲା ବର୍ଷା ଜଳ ଜମି ରହିଛି। ସ୍ଥାନେ ସ୍ଥାନେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇଛି। କେତେକ ସ୍ଥାନରେ ଅବର୍ଜନା ପଡ଼ି ପୋକ ସୃଷ୍ଟି ହେଲାଣି। ବାହାରେ ପଡ଼ିଥିବା ଟାୟାରରେ ବି ବର୍ଷା ଜଳ ଜମି ରହିଥିବା ଦେଖିବାକୁ ମିଳିଥିଲା। ରାସ୍ତା ଓ ଖାଲୁଆ ଅଞ୍ଚଳରେ ଜଳ ନିଷ୍କାସନ ହୋଇପାରୁନି। ଅଧିକାଂଶ ସ୍ଥାନରେ ଫୁଲ କୁଣ୍ଡ, ପଶୁ ଓ ପକ୍ଷୀଙ୍କ ପିଇବା ପାଇଁ ପାତ୍ରରେ ପାଣି ରହିଛି। ଘର ପଛ ପାର୍ଶ୍ବରେ ଭଙ୍ଗା ଡବାରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ସେହିପରି ପାଣି ଟାଙ୍କି ତଳ ସଫା ହେଉନଥିବା ବେଳେ ସେଥିରେ ଅଳିଆ ଆବର୍ଜନା ପଡ଼ି ରହିଛି। ଅଧିକାଂଶ ଜାଗାରେ ନଡ଼ିଆ ଷଢ଼େଇରେ ପାଣି ଜମି ରହିଥିବାରୁ ଡେଙ୍ଗୁ ସୃଷ୍ଟିକାରୀ ମଶା ବଂଶ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦା ବିଜୟ ମହାପାତ୍ର କୁହନ୍ତି ସହରରେ ଡେଙ୍ଗୁ ବଢ଼ୁଥିଲେ ମଧ୍ୟ ଏହି ଅଞ୍ଚଳରେ ବିଏମସି ପକ୍ଷରୁ ମଶା ଧୂଆଁ ଛଡ଼ାଯାଉ ନାହିଁ। ମଶା ତେଲ କଥା ଦୂରରେ ଥାଉ। ଯଦି ଏମିତି ସ୍ଥିତି ଲାଗି ରୁହେ ତେବେ ଆଗକୁ ଭୟଙ୍କର ସ୍ଥିତି ଉପୁଜିବ।

ବେହେରାସାହିରେ ସଫେଇ ହେଉନି
ନୟାପଲ୍ଲୀ ବେହେରାସାହି ଅଞ୍ଚଳରେ ଆଗାମୀ ଦିନରେ ଡେଙ୍ଗୁ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ଅଞ୍ଚଳ ଦେଇ ଯାଇଥିବା ଡ୍ରେନ୍‌ଗୁଡ଼ିକ ନିକଟରେ ପାଣି ଜମି ରହିଛି। ପୋକ, ଜିଆ ଭଣଭଣ ହେଉଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ଅନେକ ସ୍ଥାନରେ ଅନାବନା ଗଛ ମାଡ଼ିଯାଇଥିଲେ ମଧ୍ୟ ସଫେଇ ହେଉ ନାହିଁ। କେତେକ ସ୍ଥାନରେ ନଡ଼ିଆ ଷଢ଼େଇ, ଡବାରେ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ବାସିନ୍ଦା ହୃଷୀକେଶ ରାଉତ କହିଛନ୍ତି ଯେ କରୋନାରେ ଲୋକେ ଛଟପଟ ହେଉଥିବା ବେଳେ ଡେଙ୍ଗୁ ସଂକ୍ରମଣ ସ୍ଥିତିକୁ ବିଗାଡ଼ି ଦେଲାଣି। ମଶା ଧୂଆଁ ଓ ତେଲ ପକାଇବା କାର୍ଯ୍ୟ ମଧ୍ୟ ପ୍ରହସନରେ ପରିଣତ ହୋଇଛି। ବିଏମସି ନିଜ ଦୋଷକୁ ଢାଙ୍କିବା ପାଇଁ ଲୋକଙ୍କ ବଗିଚାରେ ପଶି ଲୋକ ଦେଖାଣିଆ ସଫା କଲେ କୌଣସି ଲାଭ ନାହିଁ। ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ।

ଭୟରେ ଚନ୍ଦ୍ରଶେଖରପୁରବାସୀ
ନୀଳାଦ୍ରିବିହାର, ଶୈଳଶ୍ରୀବିହାର ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିପାଇଁ ଘରକୁ ଘର ବୁଲି ସଚେତନ କରାଯିବା ସହ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କର ଡେଙ୍ଗୁ ପରୀକ୍ଷା ହେଉଛି। ତା’ ପରେ ବି ପ୍ରତିଦିନ କୌଣସି ନା କୌଣସି ଘରୁ ଜଣେ କିମ୍ବା ଦୁଇ ଜଣ ଡେଙ୍ଗୁ ଜ୍ବରରେ ପୀଡ଼ିତ ହେଉଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବସ୍ତି ଅଞ୍ଚଳରେ ଅପରିଷ୍କାର ପରିବେଶ ସହ ଅଳିଆ ଆବର୍ଜନା ପଡ଼ି ରହିବା, ଚାଳ ଉପରେ ଡବା, ଫୁଲ କୁଣ୍ଡ, କଟା ଟାୟାରରେ ପାଣି ଜମିବା, ପଶୁ ଓ ପକ୍ଷୀଙ୍କୁ ପାନୀୟ ଦେବା ପାତ୍ରରେ ପାଣି ଅଧିକ ଦିନ ରହିବା ଫଳରେ ମଶା ଅଣ୍ଡା ଦେଇ ବଂଶ ବୃଦ୍ଧି କରୁଥିବା ନଜରକୁ ଆସିଥିଲା। ଅନେକ ସ୍ଥାନରେ ଗଛ ଲତା ମାଡ଼ିଯାଇ ବଣ ସୃଷ୍ଟି ହୋଇଥିବାରୁ ମଶା ବଂଶ ବୃଦ୍ଧି କରିବାରେ ସହାୟକ ହେଉଛି। ବସ୍ତିବାସିନ୍ଦା ସନ୍ତୋଷ ସାହୁ କହିଛନ୍ତି ଯେ ବସ୍ତିରେ ଯୁଆଡେ ଦେଖିବ ଖାଲି ଅଳିଆ ଆବର୍ଜନା। ନାଳନର୍ଦ୍ଦମାରେ ମଶା ଭର୍ତି। ସନ୍ଧ୍ୟା ହେଲେ ମଶାଙ୍କ ଦାଉରୁ ରକ୍ଷା ପାଇବା ବହୁତ କଷ୍ଟ। ବିଏମସି ପକ୍ଷରୁ କଡା ପଦକ୍ଷେପ ନିଆଯିବା ଆବଶ୍ୟକ। ସଚେତନତା ଅପେକ୍ଷା ମଶା ଧୂଆଁ, ମଶା ତେଲ ପକାଇବା ଦରକାର।

ସମ୍ବନ୍ଧିତ ଖବର