ସମ୍ବାଦ ପ୍ରଭାବ: ବନ୍ଦ ହେବନି ରସୁଲଗଡ଼ ଫ୍ଲାଏଓଭର୍‌

ବଦଳିଲା ନିଷ୍ପତ୍ତି, ବିକଳ୍ପ ବ୍ୟବସ୍ଥା ପରେ ଆରଓବି ପ୍ରଶସ୍ତୀକରଣ

ଭୁବନେଶ୍ୱର: ନିଷ୍ପତ୍ତି ବଦଳାଇଲା ରେଳବିକାଶ ନିଗମ ଲିମିଟେଡ୍‌ (ଆରଭିଏନ୍‌ଏଲ୍‌)। ଆଜିଠାରୁ ଆରମ୍ଭ ହେବାକୁ ଥିବା ବାଣୀବିହାର ଆର୍‌ଓବି ପ୍ରଶସ୍ତୀକରଣ କାର୍ଯ୍ୟ ସ୍ଥଗିତ ରଖିଛି। ରସୁଲଗଡ଼ ଫ୍ଲାଏଓଭର୍‌ ବନ୍ଦ ହେଲେ କି’ ପ୍ରକାରର ସମସ୍ୟା ସୃଷ୍ଟି ହେବ, ସେନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଅଧିକାରୀଙ୍କ ଚେତା ପଶିଛି। ଏଣୁ ବିକଳ୍ପ ରାସ୍ତା ସହ ରସୁଲଗଡ଼ ଫ୍ଲାଏଓଭର୍‌ ମଧ୍ୟ କାର୍ଯ୍ୟକ୍ଷମ ରଖିବା ବ୍ୟବସ୍ଥା କରିବା ପରେ ଯାଇ ଏହି ଆରଓବି ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ କରିବାକୁ ଆର୍‌ଭିଏନ୍‌ଏଲ୍‌କୁ କମିସନରେଟ୍‌ ପୁଲିସ ଚିଠି କରିଛି। ଏବେ ବିକଳ୍ପ ରାସ୍ତା ସହ ଫ୍ଲାଏଓଭର୍‌କୁ କେମିତି ସଂଯୋଗ କରାଯିବ ବା ଉଭୟ ରାସ୍ତାକୁ ଏକ ସମୟରେ କାର୍ଯ୍ୟକ୍ଷମ କରାଯିବ, ସେନେଇ ଆରଭିଏନ୍‌ଏଲ୍‌ ଚିନ୍ତାରେ ପଡ଼ିଛି।

ବାଣୀବିହାର ଆରଓବି ପ୍ରଶସ୍ତୀକରଣ କରିବାକୁ ଆଜିଠାରୁ ବାଣୀବିହାର ପଟୁ କଟକ ଆଡ଼କୁ ଯାଉଥିବା ସମସ୍ତ ଯାନବାହନ ପାଇଁ ରସୁଲଗଡ଼ ଫ୍ଲାଏଓଭର୍‌ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପୂର୍ବରୁ ଆରଭିଏନ୍‌ଏଲ୍‌ ଓ କମିସନରେଟ୍‌ ପୁଲିସର ଏକ ମିଳିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। କିନ୍ତୁ ସେତେବେଳେ ରସୁଲଗଡ଼ ଫ୍ଲାଏଓଭର୍‌ ବନ୍ଦ ହେଲେ କି’ ସମସ୍ୟା ହେବ, ସେନେଇ ଅଧିକାରୀମାନେ ଚିନ୍ତା କରିପାରିଲେ ନାହିଁ କେମିତି? ପିତାପଲ୍ଲୀଠାରୁ ଟ୍ରାଫିକ୍‌ ବୁଲାଣିଠାରୁ ଆରମ୍ଭ କରି ୪ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସେଥିରୁ ତିନିଟି ଫେଲ୍‌ ମାରିବା ପରେ ଆର୍‌ଓବି କଡ଼ରେ ବିକଳ୍ପ ଆର୍‌ଓବି ନିର୍ମା‌ଣ କରିବା ନିଷ୍ପତ୍ତି ଉପରେ ମୋହର ବାଜିଥିଲା। ରସୁଲଗଡ଼ ଫ୍ଲାଏଓଭର୍‌ ବନ୍ଦ ହେବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ନେବା ବେଳେ କାହିଁକି ଅଧିକାରୀମାନେ ଫ୍ଲାଏଓଭର୍‌ ବନ୍ଦ ହେବା ପରର ସମସ୍ୟାକୁ କାହିଁକି ବୁଝି ପାରିନଥିଲେ? ଏ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିକଳ୍ପ ରାସ୍ତା ସହ ଆରଓବି କିଭଳି କାର୍ଯ୍ୟକ୍ଷମ କରିହେବ, ସେ ନେଇ ଚିନ୍ତା କରାଯାଉଛି। ରସୁଲଗଡ଼ ଛକ ପୂର୍ବରୁ ବିକଳ୍ପ ରାସ୍ତା ଯେଉଁଠି ଶେଷ ହେଉଛି, ସେଠାରେ ଫ୍ଲାଏଓଭର୍‌ ଉପରକୁ ସଂଯୋଗ କରିବାକୁ ଚିନ୍ତା କରାଯାଉଛି। ନଚେତ୍‌ ଗାଡ଼ିଗୁଡ଼ିକ ବିକଳ୍ପ ଆରଓବି ଅତିକ୍ରମ କରିବା ପରେ ୟୁ-ଟର୍ଣ୍ଣ ନେଇ ପୁଣି ଥରେ ଫ୍ଲାଏଓଭରକୁ ଆସିବାକୁ ବ୍ୟବସ୍ଥା କରାଯାଉଛି। ଆସନ୍ତାକାଲି ଘଟଣାସ୍ଥଳ ବୁଲି ବରିଷ୍ଠ ଅଧିକାରୀମାନେ ଏହା ଉପରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଫ୍ଲାଏଓଭର୍‌ ବନ୍ଦ ହେଲେ ସତ୍‌ସଙ୍ଗ ବିହାରରୁ ପଳାସୁଣି ପର୍ଯ୍ୟନ୍ତ ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ପୁଲିସ ନୟାନ୍ତ ହୋଇଥା’ନ୍ତା। ହଜାରହଜାର ଲୋକ ଏଥିରେ ଫସିଥା’ନ୍ତେ। ହକି ପାଇଁ ଦେଶ ବିଦେଶରୁ ହଜାର ହଜାର ଲୋକଙ୍କ ସମାଗମ ହେବାକୁ ଥିବାରୁ ଭିଆଇପି ମଧ୍ୟ ଫସିବା ସମ୍ଭାବନା ରହିଥିଲା। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର