ଚନ୍ଦ୍ରଶେଖରପୁର: ଦିନେ କି ଦୁଇ ଦିନ ନୁହେଁ, ଲଗାତାର ୩ମାସ ଧରି ‘ସମ୍ବାଦ’ରେ ଖବର ପ୍ରକାଶ ପରେ ପ୍ରଶାସନ ନିଦ ଭାଙ୍ଗିଛି। ସରକାରୀ ଜମିକୁ ଜବରଦଖଲ କରାଯାଇ ନିର୍ମାଣ ହୋଇଥିବା ଶୈଳଶ୍ରୀବିହାର ସାଇ ମନ୍ଦିର ପାଚେରିକୁ ଶେଷରେ ମାଟିରେ ମିଶାଇଛି ପ୍ରଶାସନ। ବିଡିଏ (ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ) ଓ ପୁଲିସର ମିଳିତ ଟିମ୍ ଆଜି ଚଢ଼ଉ କରି ଏହି ବେଆଇନ ନିର୍ମାଣକୁ ଉଚ୍ଛେଦ କରିଛି। ପ୍ରାୟ ଦେଢ଼ ଘଣ୍ଟାର କସରତ ପରେ ଏହି ବିଶାଳ ନିର୍ମାଣକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇବାରେ ସକ୍ଷମ ହୋଇଛି ଉଚ୍ଛେଦକାରୀ ଦଳ। ଏଥିସହ ପାଚେରିକୁ ସୁରକ୍ଷା ଦେବାକୁ ଯାଇ ସରକାରୀ ବାବୁମାନେ ଡ୍ରେନ୍ ଦିଗ ମୋଡ଼ିବାକୁ ଯେଉଁ ପ୍ରୟାସ କରିଥିଲେ, ତାହା ବିଫଳ ହୋଇଛି। ଏହି ବିଶାଳ ପାଚେରି ଭାଙ୍ଗିବା ସହ ବଙ୍କା ହୋଇ ନିର୍ମାଣ ହୋଇଥିବା ଡ୍ରେନ୍କୁ ସିଧା କରିବାକୁ ବି ନିଷ୍ପତ୍ତି ନିଆଯାଇଛି। ତେବେ ଏହା କେବେ ସିଧା ହୋଇ ଆଗକୁ ବଢ଼ିବ, ତାହାକୁ ନେଇ ଏବେ ପ୍ରଶ୍ନ ଛିଡ଼ା ହୋଇଛି।
ଶୈଳଶ୍ରୀ ବିହାର ସାଇମନ୍ଦିରରୁ ଶିଖରଚଣ୍ଡୀ ପାହାଡ଼ ପର୍ଯ୍ୟନ୍ତ ୧.୮୬୦ କିମି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଥିବା ବେଳେ ଏହି ପାଚେରି ପ୍ରତିବନ୍ଧକ ସାଜିଥିଲା। କେତେଜଣ ତଥାକଥିକ ରାଜନେତାଙ୍କ ଚାପର ବଶବର୍ତ୍ତୀ ହୋଇ ଆର୍ ଆଣ୍ଡ୍ ବି ଡିଭିଜନ୍ର ବାବୁମାନେ ଏହି ପାଚେରିକୁ ସୁରକ୍ଷା ଦେଇ ଚାଲିଥିଲେ। ମନ୍ଦିର ସମେତ ସମ୍ପୂର୍ଣ୍ଣ କ୍ୟାମ୍ପସ ସରକାରୀ ଜାଗାରେ ହୋଇଥିଲେ ମଧ୍ୟ ସରକାରୀ ବାବୁମାନେ ଏହାକୁ ସୁରକ୍ଷା ଦେଇ ଚାଲିଥିଲେ। ଏନେଇ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ସିଇଏମ୍ସି ବୈଠକରେ ପାଚେରି ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁଯାୟୀ, ଆଜି ପୂର୍ବାହ୍ନରେ ବିଡିଏ ଏନଫୋର୍ସମେଣ୍ଟ ଅଧିକାରୀ-୨ ପ୍ରମୋଦ କୁମାର ପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଜବରଦଖଲ ସ୍ଥଳରେ ପହଞ୍ଚିଥିଲା। ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିଲା। ବିଡିଏ ଓ ଆର ଆଣ୍ଡ ବି ଡିଭିଜନ୍ର ଗୋଟିଏ ଲେଖାଏଁ ଏକ୍ସାଭେଟର୍ ଏଥିରେ ସାମିଲ ହୋଇଥିଲା। ପ୍ଲଟ୍ ନମ୍ବର-୧୫୪୨ରେ ଥିବା ଏହି ବେଆଇନ ଜବରଦଖଲ ଉଚ୍ଛେଦ ସମୟରେ ୯୦ ଫୁଟ୍ର ବାଉଣ୍ଡାରି ସମେତ ୫ଟି ସିମେଣ୍ଟ ପିଲର୍, ଗୋଟିଏ ବିଶାଳ ଗେଟ୍କୁ ମାଟିରେ ମିଶା ଯାଇଥିଲା।
ବଡ଼ କଥା ହେଉଛି ଯେ ଉଚ୍ଛେଦ ବେଳେ ଆଉ ଏକ ବଡ଼ କେଳେଙ୍କାରୀ ସାମ୍ନାକୁ ଆସିଥିଲା। ମନ୍ଦିର କ୍ୟାମ୍ପସ ଯେପରି କ୍ଷତିଗ୍ରସ୍ତ ନ ହୁଏ, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିଲା। କାମ କରୁଥିବା ଠିକାଦାର ଜଣକ ୟୁଟିଲିଟି କରିଡର୍ କାମ ଶେଷ କରିବା କ୍ଷଣି ତାହାକୁ ସୁନ୍ଦର ଭାବେ ଘୋଡ଼ାଇ ଦେଇଥିଲେ। ମନ୍ଦିର କ୍ୟାମ୍ପସରେ କରିଡର୍ ଯାଇଛି ବୋଲି କୌଣସି ପ୍ରକାରେ ଜଣାପଡ଼ୁ ନ ଥିଲା। ଏହାର ସୁଯୋଗ ନେଇ ମନ୍ଦିର କର୍ତୃପକ୍ଷ ବି ୫ଟି ଲୁହା ପିଲର୍ ନିର୍ମାଣ କରି ପୁଣିଥରେ ବାଉଣ୍ଡାରି ନିର୍ମାଣ ଆରମ୍ଭ କରିଦେଇଥିଲେ, ଯାହାକି ଜବରଦଖଲ ଉଚ୍ଛେଦ ସମୟରେ ପଦାକୁ ଆସିଥିଲା। ଏହାକୁ ଦେଖିବା କ୍ଷଣି ଉଚ୍ଛେଦକାରୀ ଟିମ୍ ତାହାକୁ ବି ଭାଙ୍ଗିଥିଲେ। ଦୁଇ ପାର୍ଶ୍ବର କିଛି ପାଚେରି ବି ମାଟିରେ ମିଶିଥିଲା। ଉଚ୍ଛେଦ ସମୟରେ କେତେଜଣ ଯୁବକ ବିରୋଧ କରିବାକୁ ସଜବାଜ ହେଉଥିଲେ। ତେବେ ପୁଲିସକୁ ଦେଖି ସେମାନେ ପଛଘୁଞ୍ଚା ଦେଇଥିଲେ। ଏହି ଉଚ୍ଛେଦ ପରେ ସ୍ଥାନୀୟ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ବେଆଇନ ଜବରଦଖଲକୁ ପ୍ରଶ୍ରୟ ନ ଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି। ବିଡିଏ ଏନଫୋର୍ସମେଣ୍ଟ ଅଧିକାରୀ-୨ ଶ୍ରୀ ପାତ୍ରଙ୍କ ନେତୃତ୍ବରେ ହୋଇଥିବା ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମରେ ବିଡିଏର ଲିଆସନିଂ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଚନ୍ଦ୍ରଶେଖରପୁର ଥାନା ଏସିପି ପ୍ରକାଶ ଚନ୍ଦ୍ର ପାଲ, ଏଏସ୍ଆଇ ବି.ଏସ୍ ପ୍ରଧାନ, ଇନ୍ଫୋସିଟି ଆଇଆଇସି ବି.ଆର୍ ସେନାପତି, ଆର ଆଣ୍ଡ ବି ଡିଭିଜନ୍ ୩ର ଏସ୍ଡିଓ ଅନୁପ ବେହେରା, ବିଡିଏ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୧,୨ ଓ ୪ ସାମିଲ ହୋଇଥିଲେ।