ସମ୍ବାଦ ଅନୁସନ୍ଧାନ: ଖତ ପଛର ସତ, ଖାଲି କୋବିପତ୍ର ଓ ଶୁଖିଲା ପତ୍ରରୁ ହେଉଛି ଖତ

ଫେଲ୍‌ ମାରିବନି ତ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ୍ ଯୋଜନା? ଆବର୍ଜନା ପୃ୍‌ଥକୀକରଣ ହେଉ ନଥିବାରୁ ଜୈବ ଆବର୍ଜନା ବ୍ୟବହାର ହେଉନି

ବିଶ୍ବଜିତ ଦାଶ
ଭୁବନେଶ୍ବର: ବିଏମ୍‌ସି କର୍ତ୍ତୃପକ୍ଷ ଜୈବ ଆବର୍ଜନାକୁ ପ୍ରକ୍ରିୟାକରଣ କରି ଖତ ପ୍ରସ୍ତୁତ କରୁଛନ୍ତି ବୋଲି କହୁଛନ୍ତି। ଏହାକୁ ‘ମୋ ଖତ’ କହି ବିକ୍ରି କରୁଛନ୍ତି। ହେଲେ ଏହି ଖତ କେଉଁଥିରୁ ପ୍ରସ୍ତୁତ ହେଉଛି ତାହା ଜାଣିଲେ ବିଏମ୍‌ସିର କମ୍ପୋଷ୍ଟ ପ୍ଲାଣ୍ଟ ଓ ମୋ ଖତ ଯୋଜନା କେତେ ସଫଳ ତାହା ଜଣାପଡ଼ି ଯାଉଛି।

ଆଜି ‘ସମ୍ବାଦ’ ଟିମ୍‌ ବିଏମ୍‌ସିର ତିନିଟି କମ୍ପୋଷ୍ଟ ପ୍ଲାଣ୍ଟକୁ ଯାଇ ଅନୁସନ୍ଧାନ କରିଥିଲା। ୱାର୍ଡ ୨୮ ଓ ୨୯ ପାଇଁ ହୋଇଥିବା ପ୍ଲାଣ୍ଟ, ୱାର୍ଡ ୩୫, ୱାର୍ଡ ୩୬ ପାଇଁ ହୋଇଥିବା ପ୍ଲାଣ୍ଟକୁ ବୁଲିଲାବେଳେ ନଜରକୁ ଆସିଥିଲା ଖତ ପଛର ସତ। ଏଠାରେ ଲୋକଙ୍କୁ ଘରୁ ସଂଗ୍ରହ ହେଉଥିବା ବର୍ଜ୍ୟରୁ ଖତ ପ୍ରସ୍ତୁତ ହେଉନି; ବରଂ ହାଟ ଓ ବିଭିନ୍ନ ମାର୍କେଟରୁ ସଂଗ୍ରହ ହେଉଥିବା କୋବିପତ୍ର ଏବଂ ରାସ୍ତା ଓ ବିଭିନ୍ନ ଅନୁଷ୍ଠାନ ପରିସରରେ ଝଡ଼ୁଥିବା ଶୁଖିଲା ପତ୍ରକୁ ଗୋଟାଇ ଖତ ପ୍ରସ୍ତୁତ କରାଯାଉଛି। ଏହି ସବୁ ୱାର୍ଡରୁ ସଂଗୃହୀତ ବର୍ଜ୍ୟରୁ କେବଳ ଜୈବ ଓ ଅଜୈବ ବର୍ଜ୍ୟକୁ କାଁ ଭାଁ ପୃଥକ କରାଯାଉଛି। ଏଥିରୁ କୋବିପତ୍ର ବାହାର କରି ବାକି ବର୍ଜ୍ୟକୁ ଫୋପାଡ଼ି ‌ଦିଆଯାଉଛି। ଯଦି ବିଏମ୍‌ସି କର୍ତ୍ତୃପକ୍ଷ ଲୋକଙ୍କ ଘରୁ ସଂଗ୍ରହ କରୁଥିବା ଜୈବ ବର୍ଜ୍ୟକୁ ପ୍ରକ୍ରିୟାକରଣ କରିପାରୁନାହାନ୍ତି, ତେବେ କାହିଁକି ରାଜଧାନୀବାସୀଙ୍କୁ କମ୍ପୋଷ୍ଟ ପ୍ଲାଣ୍ଟ ନାଁରେ ଭୁଆଁ ବୁଲାଉଛନ୍ତି? ଯଦି ସଂଗ୍ରହ ହେଉଥିବା ବର୍ଜ୍ୟ ବ୍ୟବହାର ହୋଇପାରୁନି, ତେବେ କାହିଁକି ଅଯଥାରେ ଏହାକୁ କମ୍ପୋଷ୍ଟ ପ୍ଲାଣ୍ଟ ନିଆଯାଉଛି? ସେଠାରୁ ପୁଣି ଗାଡ଼ିରେ ସୈନିକ ସ୍କୁଲ ନିକଟସ୍ଥ ଡମ୍ପିଂୟାର୍ଡକୁ ବୁହାଯାଉଛି?

ଆଜି ଆମେ ଯେଉଁ ତିନିଟି କମ୍ପୋଷ୍ଟ ପ୍ଲାଣ୍ଟକୁ ଯାଇଥିଲୁ ସେଗୁଡ଼ିକ ଡିସେମ୍ବର ୧୮, ୨୦୨୦ରୁ କାର୍ଯ୍ୟକ୍ଷମ ହେଲାଣି। ନିୟମ ଅନୁଯାୟୀ, ୪୨ଦିନରେ ଖତ ପ୍ରସ୍ତୁତ ହେବା କଥା। ହେଲେ ୫୦ଦିନ ପରେ ବି ଖତ ପ୍ରସ୍ତୁତ ହୋଇପାରିନି। ଏନେଇ କମ୍ପୋଷ୍ଟ ପ୍ଲାଣ୍ଟ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ସେ କହିଲେ, କୋବିପତ୍ରରୁ ଅଧିକ ପାଣି ବାହାରୁଥିବାରୁ ଏହା ଶୁଖୁନି। ତେଣୁ ଖତ ପ୍ରସ୍ତୁତ ହେବାକୁ ଅଧିକ ସମୟ ଲାଗୁଛି।

ଖତ ପ୍ରସ୍ତୁତ ନେଇ ଗଣେ କର୍ମଚାରୀ କହିଛନ୍ତି, ଏବେ ପ୍ଲାଣ୍ଟ ପରିସରରେ ଥିବା କୁଣ୍ଡରେ ଗୋଟିଏ ପରସ୍ତ ଗୋବର ଦିଆଯାଉଛି। କାନ୍ଥରେ ବି ଗୋବର ଲିପା ଯାଉଛି। ଏହା ଉପରେ କୋବି ଚୋପା ଓ ଶୁଖିଲା ପତ୍ରକୁ ପକାଯାଉଛି। ଏଥିରେ ଦହି ଓ ଗୁଡ଼ର ମିଶ୍ରକୁ ଢଳାଯାଉଛି। ଏହା ଉପରେ କିଛି କୁଣ୍ଡା ଛିଞ୍ଚା ଯାଉଛି। ନିୟମ ଅନୁଯାୟୀ ଆବର୍ଜନାର ପାଣି ଅଂଶ ମାରିବାକୁ ଅଧିକ କୁଣ୍ଡା ପକାଇବା କଥା। କିନ୍ତୁ କୁଣ୍ଡା ଦାମ୍‌ ଅଧିକ ରହୁଥିବାରୁ ଶୁଖିଲା ପତ୍ର ଭାଗ ଅଧିକ , କୁଣ୍ଡା ଭାଗ କମ୍‌ ରହୁଛି। ନିୟମିତ ବ୍ୟବଧାନରେ ଏହାକୁ ଗୋଳା ଯାଉଛି। ପ୍ରାୟ ମାସକ ପରେ ଏହାକୁ ଖରାରେ ଶୁଖାଯାଉଛି। ଏହାପରେ ଏହି ମିଶ୍ରଣକୁ ମେସିନ୍‌ରେ ପକାଇ ଖତ ପ୍ରସ୍ତୁତ କରାଯାଉଛି। ନିୟମ ଅନୁଯାୟୀ, ସବୁ ଜୈବ ବର୍ଜ୍ୟକୁ ମିଶାଇ ଖତ ପ୍ରସ୍ତୁତ ହେବା କଥା। କିନ୍ତୁ ଆବର୍ଜନା ପୃଥକୀକରଣ ହୋଇପାରୁ ନଥିବାରୁ ଏବେ କୋବିପତ୍ର ଓ ଶୁଖିଲା ପତ୍ରକୁ ମିଶାଇ ଖତ ପ୍ରସ୍ତୁତ ହେଉଛି।
ଏ ନେଇ ବିଏମ୍‌ସିର ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁଙ୍କୁ ପଚାରିବାରୁ ସେ କୋବିପତ୍ର ଓ ଶୁଖିଲା ପତ୍ରରୁ ଖତ ପ୍ରସ୍ତୁତ ହେଉଥିବା କଥାକୁ ଫାଙ୍କିଥିଲେ। କହିଥିଲେ ଯେ, ଲୋକଙ୍କ ଘରୁ ସଂଗ୍ରହ ହେଉଥିବା ସବୁ ଜୈବ ବର୍ଜ୍ୟରୁ ଆମେ ଖତ ପ୍ରସ୍ତୁତ କରୁଛୁ। ଯାହା ସଂପୂର୍ଣ୍ଣ ମିଛ ଥିଲା ବୋଲି ଆମେ ଅନୁସନ୍ଧାନ କରିବା ସମୟରେ ଜାଣିବାକୁ ପାଇଥିଲୁ। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି ରାଜଧାନୀରେ କାର୍ଯ୍ୟକ୍ଷମ ହେଉଥିବା ପ୍ରାୟ ୧୦ଟି କମ୍ପୋଷ୍ଟ ପ୍ଲାଣ୍ଟ ମଧ୍ୟରୁ ଯଦି ତିନିଟିରେ ଏହି ଅବସ୍ଥା‌ ତେବେ ବାକି ପ୍ଲାଣ୍ଟର ଅବସ୍ଥା କିପରି ହୋଇଥିବ ତାହା ଅନୁମେୟ। ଯଦି ଏହିପରି କେବଳ କୋବିପତ୍ର ଓ ଶୁଖିଲା ପତ୍ରରୁ ଖତ ପ୍ରସ୍ତୁତ ହେବ ତେବେ ବିଏମ୍‌ସିର ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ଯୋଜନା କେତେ ସଫଳ ହେବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ।

ସଂଗ୍ରହବେଳେ ପୃଥକ ନ ହେଲେ ଯୋଜନା ଫେଲ୍‌
ବିଏମ୍‌ସି ଯଦି ଲୋକଙ୍କ ଘରୁ ଜୈବ ଓ ଅଜୈବ ଆବର୍ଜନା ପୃଥକ କରି ସଂଗ୍ରହ କରା ନ ଯିବ, ତେବେ କମ୍ପୋଷ୍ଟ ପ୍ଲାଣ୍ଟ ଯୋଜନା ସଫଳ ହେବନି। କାରଣ ରାଜଧାନୀରେ ଦୈନିକ ପ୍ରାୟ ୬୦୦ଟନ୍ ଆବର୍ଜନା ସଂଗ୍ରହ ହେଉଥିବା‌‌େବଳେ କେହି ବି ପୃଥକ କରି ଆବର୍ଜନା ଦେଉନାହାନ୍ତି। କାଁ ଭାଁ ଯଦି କେହି ପୃଥକ କରି ଦେଉଛନ୍ତି ତେବେ ସଫେଇ କର୍ମଚାରୀ ତାହାକୁ ଏକାଠି ଆଣୁଥିବାରୁ ପ୍ଲାଣ୍ଟରେ ପହଞ୍ଚିଲା ବେଳକୁ ସବୁ ଗୋଳାଗୋଳି ହୋଇଯାଉଛି। ଏହି ଆବର୍ଜନା ପୃଥକ କରିବାକୁ ପ୍ଲାଣ୍ଟରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଏହାବାଦ୍‌ ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଏହି କାମ ଦ୍ବାରା ପୂର୍ବରୁ ଅଭ୍ୟସ୍ତ ନ ଥିବାରୁ ପୁତିଗନ୍ଧମୟ ପରିବେଶରେ ସେମାନେ ନଷ୍ଟ ଖାଦ୍ୟକୁ ଅଲଗା କରିପାରୁନାହାନ୍ତି। ତେଣୁ ବିଏମ୍‌ସି ପ୍ରତି ଘରୁ ପୃଥକ ପୃଥକ ଆବର୍ଜନା ସଂଗ୍ରହ କରିପାରିଲେ ମୋ ଖତ ଯୋଜନା ସଫଳ ହେବ ବୋଲି କମ୍ପୋଷ୍ଟ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ କର୍ମଚାରୀ କହିଛନ୍ତି।

କଦଳୀ ପତ୍ର, ନଷ୍ଟ ଖାଦ୍ୟ, କୁଟା ବି ପ୍ରକ୍ରିୟାକରଣ ହୋଇପାରୁନି
କମ୍ପୋଷ୍ଟ ପ୍ଲାଣ୍ଟରେ ଖତ ପ୍ରସ୍ତୁତ ପାଇଁ ଯେଉଁ ମେସିନ୍ ଲାଗିଛି ସେଥିରେ ସବୁ ବର୍ଜ୍ୟ ପ୍ରକ୍ରିୟାକରଣ ହୋଇପାରୁନି। ଏପରିକି କୋବି ପତ୍ର ହେଉଥିଲେ ହେଁ କୋବିର ଡେମ୍ଫ, ନାଡ଼ ବ୍ୟବହାର ହେଉନି। କଦଳୀ ପତ୍ର ବି ମେସିନ୍‌ରେ ପକାଇଲେ ମେସିନ୍ ଜାମ୍‌ ହେଉଛି। କୋବିର ଡେମ୍ଫ, ନାଡ଼, ପଇଡ଼, ଆଦି ମେସିନ୍‌ରେ ପଡ଼ିଲେ ଜାମ୍‌ ହୋଇଯାଉଛି। ତେଣୁ ଏଗୁଡ଼ିକୁ ବାହାରେ ଗଦାଇ ଦିଆଯାଉଛି। ଏଥିରୁ ଜଣାପଡ଼ୁଛି କମ୍ପୋଷ୍ଟ ପ୍ଲାଣ୍ଟ ପାଇଁ କର୍ତ୍ତୃପକ୍ଷ କେଉଁଭଳି ଯନ୍ତ୍ରାଂଶ କିଣିଛନ୍ତି।

ନଷ୍ଟ ରନ୍ଧାଖାଦ୍ୟକୁ ଛୁଉଁନାହାନ୍ତି
ଲୋକଙ୍କ ଘରୁ ଯେଉଁ ରନ୍ଧା ଖାଦ୍ୟ ମିଶା ଆବର୍ଜନା ସଂଗ୍ରହ ହେଉଛି ତାହାକୁ ପୃଥକ କରାଯାଉନି। ଏପରିକି କିଛି ‌େହାଟେଲରୁ ବାସୀ ଖାଦ୍ୟ ଆସୁଥିଲେ ହେଁ ଏହାକୁ ଖତ ପାଇଁ ବ୍ୟବହାର କରାଯାଉନି। ଏହାକୁ ସଂଗ୍ରହ କରି ଅଣାଯାଉଥିଲେ ଏଥିରୁ ବାହାରୁଥିବା ଦୁର୍ଗନ୍ଧ ପାଇଁ ଏଥିରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା ହାତ ମାରୁନାହାନ୍ତି। ନଷ୍ଟ ଖାଦ୍ୟ ଯେମିତି ସଂଗ୍ରହ ହୋଇ ଆସୁଛି ସେମିତି ପ୍ଲାଣ୍ଟ ପରିସରରେ ଫୋପଡ଼ା ଯାଉଛି। ବିଏମ୍‌ସି ପକ୍ଷରୁ ଏହି ଆବର୍ଜନା କିପରି ଗନ୍ଧ ନହେବ ସେ ବ୍ୟବସ୍ଥା କରାଯାଉନଥିବାରୁ ଏହାର ଉପଯୋଗ ହୋଇପାରୁନି।

ପ୍ଲାଣ୍ଟ ପରିସରରେ ମିନି ଡମ୍ପିଂୟାର୍ଡ

ଆବର୍ଜନା ଗଦା ହେଲେ ପୁତିଗନ୍ଧମୟ ପରିବେଶ ‌ସୃଷ୍ଟି ହେଉଛି। ଭୁଆସୁଣିରେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ହୋଇପାରୁନି। ତେଣୁ ପ୍ରତି ୱାର୍ଡରେ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ବିଏମ୍‌ସି ଦୁଇ ବର୍ଷ ତଳେ ଯୋଜନା କରିଥିଲା। ହେଲେ ପ୍ରତି ୱାର୍ଡରେ ଜମି ନମିଳିବାରୁ ଏବଂ ଲୋକମାନେ ବିରୋଧ କରିବାରୁ ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ହେବ ବୋଲି ସ୍ଥିର ହୋଇଥିଲା। ଏଥିରୁ ଏବେ ସୁଦ୍ଧା ୧୮ଟିର ନିର୍ମାଣ ଶେଷ ହୋଇଥିବାବେଳେ ପ୍ରାୟ ୧୦ଟି କାର୍ଯ୍ୟକ୍ଷମ ହୋଇଛି। ଆଶ୍ଚର୍ଯ୍ୟର ବିଷୟ କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ବି ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡରେ ଆବର୍ଜନା ଗଦା ହେଉଛି। ଆଉ କମ୍ପୋଷ୍ଟ ପ୍ଲାଣ୍ଟ ପରିସରରେ ଗୋଟିଏ ଗୋଟିଏ ମିନି ଡମ୍ପିଂୟାର୍ଡ ସୃଷ୍ଟି ହୋଇଗଲାଣି। କେବଳ କୋବିପତ୍ର ଓ ଶୁଖିଲା ପତ୍ରକୁ ବ୍ୟବହାର କରାଯାଉଥିବାରୁ ବାକି ଆବର୍ଜନାକୁ ଗୋଟିଏ ସ୍ଥାନରେ ଗଦା ଯାଉଛି। ଯାହାକୁ ସଫେଇ ସଂସ୍ଥା ପୁଣି ଜେସିବି ଲଗାଇ ଉଠାଉଛନ୍ତି ଓ ଡମ୍ପିଂୟାର୍ଡରେ ପକାଉଛନ୍ତି।

ସମ୍ବନ୍ଧିତ ଖବର