ସମ୍ବାଦ-କନକ ନ୍ୟୁଜ୍‌ ବିତର୍କ ପ୍ରତିଯୋଗିତା: ଆଗକୁ ବଢ଼ିଲେ ସୁଦୀପ, ମୋନାଲି ଓ ସୌମ୍ୟାଶ୍ରୀ

ଭୁବନେଶ୍ବର: ଜନସାଧାରଣଙ୍କୁ ସଚେତନ କରାଇବା, ଅପରାଧକୁ ନିୟନ୍ତ୍ରଣ କରିବା ଓ ଜନତାଙ୍କ ହିତ ପାଇଁ ଆଇନ ପ୍ରଣୟନ କରାଯାଇଥାଏ। କୌଣସି ସରକାର ଜନସାଧାରଣଙ୍କ ଉପରେ ଜୁଲମ୍‌ କରିବା ବା ଅଯଥା ଆର୍ଥିକ ଭାର ଲଦି ଦେବାକୁ ଆଇନ ପ୍ରଣୟନ କରନ୍ତି ନାହିଁ। କିନ୍ତୁ ଆଇନ କରିଦେଲେ ତ’ ହେବ ନାହିଁ, ଏନେଇ କଡ଼ା ଆଭିମୁଖ୍ୟ ଆବଶ୍ୟକ। କାରଣ ଜନସାଧାରଣ ଦୁଇଟି ପରିସ୍ଥିତିରେ ଆଇନକୁ ମାନିଥା’ନ୍ତି। ଭୟରେ ନ ହେଲେ ଭକ୍ତିରେ। ଯଦି ଆଇନ ସମସ୍ତଙ୍କ ଦ୍ବାରା ଗ୍ରହଣୀୟ ହୁଏ, ତେବେ ସମସ୍ତେ ଏହାକୁ ସାଦରେ ଗ୍ରହଣ କରିନିଅନ୍ତି। କିନ୍ତୁ ବେଳେବେଳେ ଆମ ମଧ୍ୟରେ ଗାଲୁଆମି ବା ବେପରୱା ଗୁଣ, ସଚେତନତା ଅଭାବ ଓ ଅନ୍ୟ ପ୍ରତି ସମ୍ମାନର ଅଭାବ ଯୋଗୁଁ ଆଇନକୁ ହେୟଜ୍ଞାନ କରିଥାଉ। ଫଳରେ ସରକାରଙ୍କୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିଥାଏ। ଯଦି ଆମେ ଆଇନକୁ ସମ୍ମାନ ଜଣାଉଛେ, ସଚେତନ ଅଛେ ତଥା ସମସ୍ତ ଦସ୍ତାବିଜ୍‌ ଆମ ପାଖରେ ରହିଛି ତେବେ ଆଇନକୁ ଡରିବାର ଆବଶ୍ୟକତା ନାହିଁ ବୋଲି ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି।

‘ସମ୍ବାଦ’ର ୩୫ତମ ବାର୍ଷିକୋତ୍ସବ ଅବ୍ୟବହିତ ପୂର୍ବରୁ ଆଜି ‘ସମ୍ବାଦ ଭବନ’ ପରିସରରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପକ୍ଷରୁ ଆୟୋଜିତ ‘ନୂଆ ଟ୍ରାଫିକ୍‌ ନିୟମର ମୋଟା ଜରିମାନା ଦୁର୍ଘଟଣାକୁ ରୋକିପାରିବ’ ଶୀର୍ଷକ ଜୋନ୍‌ସ୍ତରୀୟ ବିତର୍କ ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ମିଶ୍ର। ସେ ଆହୁରି କହିଛନ୍ତି, ଆଇନକୁ ଆଇନ ହିସାବରେ ଗ୍ରହଣ କଲେ ଭଲ। ଏହାର ରାଜନୀତୀକରଣ କରାଗଲେ, ଏ ଦେଶର ଉନ୍ନତି ସମ୍ଭବ ହେବ ନାହିଁ। ଅନ୍ୟତମ ବିଚାରକ ଭାବେ ଯୋଗ ଦେଇ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଲେନିନ୍‌ ମହାନ୍ତି କହିଲେ, ନୂଆ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବା ପରେ ଆମେ ଏହାକୁ ତଣ୍ଡ ହିସାବରେ ନେଉଛେ କି ଏହା ରାଜ୍ୟ ତଥା ଦେଶରେ ଏକ ସଂସ୍କାର ଆଣିବ ବୋଲି ବିଚାର କରୁଛେ, ତାହା ଆମ ଉପରେ ନିର୍ଭର କରେ। ଯଦି ସରକାରଙ୍କ ଏହି ନିୟମ ପ୍ରଣୟନ ପରେ ରାସ୍ତାଘାଟ ଓ ପୁରପଲ୍ଲୀର ରାସ୍ତା ସମସ୍ୟା ନେଇ ପ୍ରଶ୍ନ କରୁଛେ, ତେବେ ଆମକୁ ଜାଣି ରଖିବା ଉଚିତ, ୧୦ବର୍ଷ ତଳେ ରାଜ୍ୟର ରାସ୍ତା ଯେଉଁ ଅବସ୍ଥାରେ ଥିଲା ଏବେ ଆଉ ତାହା ନାହିଁ। ବିକାଶର ଛିଟା ସବୁଆଡ଼େ ପଡ଼ୁଛି। ଆଜି ସଜାଡ଼ି ହୋଇନଥିବା ପୁରପଲ୍ଲୀର ରାସ୍ତା କାଲି ସଜାଡ଼ି ଦିଆଯିବ। ଟିକେ ସମୟ ଲାଗିବ ସତ କିନ୍ତୁ ନିହାତି ଭାବେ ଏହି ସମସ୍ୟା କାଲିକି ଦୂର ହୋଇଯିବ। କିନ୍ତୁ ଏବେଠାରୁ ସଚେତନ ନହେଲେ ରାସ୍ତା ଦୁର୍ଘଟଣା‌ରେ ପ୍ରତିଦିନ ଶହ ଶହ ଜୀବନ ଚାଲିଯାଉଥିବ। ଯାହାର ଭରଣା ଆମେ କରିପାରିବା ନାହିଁ। ବାକି ରହିଲା ଯଦି ଆମେ ସମୟ ଠିକ୍‌ ନଥିଲା ବୋଲି ପ୍ରଶ୍ନ କରୁଛେ, ତେବେ କେଉଁ ସମୟଟି ଠିକ୍‌ ହୋଇଥା’ନ୍ତା। ଟ୍ରାଫିକ୍‌ ନିୟମ ଏବେର ନୁହେଁ, ପୂର୍ବରୁ ବି ଥିଲା। ଏତେ କଡ଼ାକଡ଼ି ନଥିବାକୁ କେହି ନିୟମକୁ ମାନୁ ବି ନଥିଲେ। ଏବେ ନିୟମ କଡ଼ାକଡ଼ି ହୋଇଛି, ଆମେ କିଛି ଦିନ ମୋଟା ଅଙ୍କର ତଣ୍ଡ ଗଣିଲେ ସତ, କିନ୍ତୁ ଏହା ଭିତରେ ଆମେ କ’ଣ ସଚେତନ ହୋଇନାହେଁ? ପ୍ରଥମ ୭ ଦିନ ପରୀକ୍ଷାମୂଳକ ଭାବେ ଏହି ନିୟମ ଲାଗୁ ପରେ ରାଜ୍ୟ ସରକାର ୯୦ ଦିନ ପାଇଁ ଏହି ନିୟମକୁ କୋହଳ କରିଛନ୍ତି। କିନ୍ତୁ ୟା’ ଭିତରେ ଜନସାଧାରଣ ସଚେତନ ହୋଇଥିବା ପରିଲକ୍ଷିତ ହେଉଛି ବୋଲି ଶ୍ରୀ ମହାନ୍ତି କହିଥିଲେ।

ଏହି ଅବସରରେ ବରିଷ୍ଠ ଆଇନଜୀବୀ ମୋନାଲିସା ଗନ୍ତାୟତ ଅନ୍ୟତମ ବିଚାରକ ଭାବେ ‌ଯୋଗ ଦେଇ କହିଲେ, ସରକାର ରାଜସ୍ବ ବୃଦ୍ଧି କରିବା କିମ୍ବା ଆର୍ଥିକ ମାନ୍ଦାବସ୍ଥାକୁ ଦୂର କରିବା ଉଦ୍ଦେଶ୍ୟରେ ଏହି ନୂଆ ସଂଶୋଧିତ ମୋଟର ଯାନ ନିୟମ ଲାଗୁ କରିନାହାନ୍ତି। ଅନେକ ଜନସାଧାରଣଙ୍କ ମନରେ ଏହି ଭୁଲ ରହିଯାଇଛି। ଦେଶର ପ୍ରକୃତ ସମ୍ବଳ ହେଉଛନ୍ତି ଯୁବପିଢ଼ି। ଗୋଟିଏ ଜୀବନର ମୂଲ୍ୟ ଅନେକ ହୋଇଥିବା ବେଳେ ପ୍ରତିଦିନ କେବଳ ସଡ଼କ ଦୁର୍ଘଟଣାରେ ଶହ ଶହ ଜୀବନହାନୀ ସତରେ ଦେଶର ବିକାଶ ଓ ଜନତାଙ୍କ ଭାବନା ପ୍ରତି ଏକ କୁଠାରାଘାତ। ନିୟମ କେବଳ ଆମମାନଙ୍କ ଭଲ ପାଇଁ। ଏଣୁ ଆମେ ଏହାକୁ ନେଇ ହିଂସାର ବଶବର୍ତ୍ତୀ ନ ହୋଇ ସମସ୍ତଙ୍କୁ ଭଲପାଇବା ଶିଖାଇବା। ନିଜେ ସଚେତନ ହେବା ଓ ଅନ୍ୟକୁ ସଚେତନ କରିବା ବୋଲି ଶ୍ରୀମତୀ ଗନ୍ତାୟତ କହିଥିଲେ।

ଆଜିର ଏହି ବିତର୍କ ପ୍ରତିଯୋଗିତାରେ ପୁରୀ, ଖୋର୍ଧା ଓ ନୟାଗଡ଼ ଜିଲ୍ଲାର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରୁ ୧୬ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିର ଜୁପିଟର୍‌ ଯୁକ୍ତ ୨ ମହାବିଦ୍ୟାଳୟର ଛାତ୍ର ସୁଦୀପ ସୁଦର୍ଶନ ରଣା ପ୍ରଥମ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ମୋନାଲି ସାହୁ ଦ୍ବିତୀୟ ଓ ମହର୍ଷି ଓମେନ୍ସ ଡିଗ୍ରି କଲେଜର ଛାତ୍ରୀ ସୌମ୍ୟାଶ୍ରୀ ମିଶ୍ର ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ୩ ତାରିଖରେ ଜୟଦେବ ଭବନଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଏମାନେ ଅଂଶଗ୍ରହଣ କରିବେ। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାର ବିଜେତାମାନଙ୍କୁ ଆସନ୍ତା ୪ ତାରିଖରେ ‘ସମ୍ବାଦ’ର ବାର୍ଷିକୋତ୍ସବ ଅବସରରେ ପୁରସ୍କୃତ କରାଯିବ। ଆଜିର କାର୍ଯ୍ୟକ୍ରମ‌ରେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପମହାପ୍ରବନ୍ଧକ (ବାର୍ତା) ଗୌତମବୁଦ୍ଧ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବହୁତ କିଛି ଶିଖିବାକୁ ମିଳିଲା
‘ସମ୍ବାଦ’ ଓଡ଼ିଶାର ୧ ନମ୍ବର ଖବରକାଗଜ ଓ ଏହା ସମାଜର ବିଭିନ୍ନ ଘଟଣା ତଥା ସମସ୍ୟାକୁ ଉତ୍‌ଥାପନ କରି ସମାଜରେ ପରିବର୍ତ୍ତନ ଆଣିବାରେ ଏକ ପ୍ରମୁଖ ଭୂମିକା ନେଇଛି। ଆଜି ଏହାକୁ ମୁକ୍ତକଣ୍ଠରେ ସ୍ବୀକାର କରିବାକୁ ମୁଁ ଦ୍ବିଧା ପ୍ରକାଶ କରୁନାହିଁ। ଆଜି ସମ୍ବାଦ ପକ୍ଷରୁ ଆୟୋଜିତ ଏହି ବିତର୍କ ପ୍ରତିଯୋଗିତାରୁ ବହୁତ କିଛି ଶିଖିବାକୁ ମିଳିଛି। ଏହା ଓଡ଼ିଶାର ଛାତ୍ର ସମାଜ ଓ ଯୁବଗୋଷ୍ଠୀଙ୍କ ଜ୍ଞାନ ଓ କୌଣସି ବିଷୟବସ୍ତୁ ଉପରେ ଏକ ସ୍ପଷ୍ଟ ଧାରଣା ସୃଷ୍ଟି କରିବାରେ ସକ୍ଷମ ହେବ। ଏଣୁ ଏଥିପାଇଁ ‘ସମ୍ବାଦ’ ପରିବାରକୁ ଧନ୍ୟବାଦ ଜଣାଇବି।
ସୁଦୀପ ସୁଦର୍ଶନ ରଣା (ପ୍ରଥମ)
ଏହି ଦିନକୁ ଅପେକ୍ଷା କରିଥିଲି
‘ସମ୍ବାଦ’ର ବିତର୍କ ପ୍ରତିଯୋଗିତାରେ ମୁଁ ଗତବର୍ଷ ମଧ୍ୟ ଅଂଶଗ୍ରହଣ କରିଥିଲି ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ତୃତୀୟ ହୋଇଥିଲି। ଚଳିତ ବର୍ଷ ମଧ୍ୟ ଏହି ଦିନ ପାଇଁ ଅପେକ୍ଷା କରିଥିଲା। ‘ସମ୍ବାଦ’ର ଏହି ପ୍ରତିଯୋଗିତା ଅତ୍ୟନ୍ତ ବନ୍ଧୁତ୍ବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୁଏ। ଏଠାକୁ ଆସିଲେ ଆତ୍ମବିଶ୍ବାସ ବଢ଼ିବା ସହ ବହୁ ପ୍ରତିଭାବାନ୍‌ ଛାତ୍ରଛାତ୍ରୀଙ୍କ ସହ ମିଶିବାର ମଧ୍ୟ ସୁଯୋଗ ମିଳେ। ବହୁତ କିଛି ଜାଣିବାକୁ ଓ ଶିଖିବାର ଏକ ଉତ୍ତମ ଅବକାଶ ଏଠାରେ ସୃଷ୍ଠି ହୁଏ।
ମୋନାଲି ସାହୁ (ଦ୍ବିତୀୟ)
ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରିବି
ଆଜି ‘ସମ୍ବାଦ’ର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବହୁତ ଖୁସି ଲାଗୁଛି। କେବଳ ମୁଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆସିଥିଲି। କିନ୍ତୁ ତୃତୀୟ ସ୍ଥାନ ଅଧିକାର ମଧ୍ୟ କଲି। ଏ ପର୍ଯ୍ୟନ୍ତ ମୁଁ ଏ କଥା ବିଶ୍ବାସ କରିପାରୁନି। ବହୁତ ଖୁସି ଲାଗୁଛି। ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରିବି। ବିଭିନ୍ନ କରେଣ୍ଟ୍‌ ଆଫାୟାର୍ସ ସହ ସମ୍ବାଦରେ ବାହାରୁଥିବା ବିଭିନ୍ନ ଲେଖା ଓ ସ୍ତମ୍ଭକୁ ପଢ଼ିବି। ଏଭଳି ଏକ ମଞ୍ଚ ଯୋଗାଇ ଦେଇଥିବାକୁ ସମସ୍ତଙ୍କୁ ଧନ୍ୟବାଦ।
ସୌମ୍ୟାଶ୍ରୀ ମିଶ୍ର, (ତୃତୀୟ)

ସମ୍ବନ୍ଧିତ ଖବର