‘ସମ୍ବାଦ’ ମାଟ୍ରିକ୍‌ ଚାମ୍ପିଅନ୍‌ସ ସମାରୋହରେ ମେଧାବୀଙ୍କୁ ମନ୍ତ୍ର: ‘ବଡ଼ ସ୍ବପ୍ନ ଦେଖ; କଠିନ ପରିଶ୍ରମ କର’

କଟକ: ସଫଳତାକୁ ନେଇ ଗର୍ବ କର, କିନ୍ତୁ ଅହଙ୍କାରୀ ହୁଅ ନାହିଁ। ବାପା-ମା’, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତି କୃତଜ୍ଞ ରୁହ। ମାଟ୍ରି‌କରେ ଏ-୧ ଗ୍ରେଡରେ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ସମ୍ବାଦର ସଂପାଦକ, ଆମ ଓଡ଼ିଶାର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକ ଏଭଳି ପରାମର୍ଶ ଦେଇଛନ୍ତି। ସେହିଭଳି କଠିନ ପରିଶ୍ରମ ହିଁ ମଣିଷର ଜ୍ଞାନ ବଢ଼ାଏ ଓ ସଫଳତା ପାଇବା ପାଇଁ ବାଟ କଢ଼ାଏ, ତେଣୁ ନିରନ୍ତର ଅଧ୍ୟବସାୟ ଜାରି ରଖି ଜୀବନରେ ସଫଳ ହେବାକୁ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ମାଟ୍ରିକ୍‌ ଚାମ୍ପିଅନ୍‌ସ କାର୍ଯ୍ୟକ୍ରମରେ ଯୋଗ ଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି) ଅନିଲ କୁମାର ସାମଲ।

ଚଳିତ ମାଟ୍ରିକ୍ ପରୀକ୍ଷାରେ ‘ଏ-୧’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରପଡ଼ା ଜିଲ୍ଲାର ୨୩୫ ଛାତ୍ରଛାତ୍ରୀଙ୍କୁ ନେଇ ଆଜି ସାରଳା ଭବନରେ ସମ୍ବର୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆରଡିସି ଶ୍ରୀ ସାମଲ କହିଲେ ମାଟ୍ରିକ୍ ପରୀକ୍ଷା ପ୍ରତ୍ୟେକଙ୍କ ଜୀବନର ଏକ ବଡ଼ ସୋପାନ। ଏ ସୋପାନକୁ ସଫଳତାର ସହିତ ଅତିକ୍ରମ କରିବା ପରେ ଏବେ ଜୀବନରେ କ’ଣ ହେବାକୁ ଚାହୁଁଚ, ତାହା ନିର୍ଣ୍ଣୟ କରିବାର ସମୟ। ଏ ଲକ୍ଷ୍ୟ ନିଜେ ସ୍ଥିର କର। ନିଜ ବିବେକନୁଯାୟୀ ଯେଉଁଥିରେ ଭଲ କରିବ, ତାକୁ ବାଛ। ବାପା-ମା’ଙ୍କ ଇଚ୍ଛାକୁ ଜୋରଜବରଦସ୍ତ ନିଜ ଉପରକୁ ନିଅ ନାହିଁ। ବାପା-ମା’ମାନେ ବି ନିଜ ଅଭିଳାଷକୁ ଚରିତାର୍ଥ କରିବା ପାଇଁ ପିଲାମାନଙ୍କ ଉପରେ ଏ କ୍ଷେତ୍ରରେ ଚାପ ପ୍ରୟୋଗ କରନ୍ତୁ ନାହିଁ। ସେମାନଙ୍କୁ ନିଜ ପସନ୍ଦ ଅନୁଯାୟୀ ବୃତ୍ତି ବାଛିବା ପାଇଁ ଛାଡ଼ି ଦେବାକୁ ଶ୍ରୀ ସାମଲ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ। ପିଲାମାନଙ୍କୁ ସଫଳତାର ମନ୍ତ୍ର ଦେଇ ଶ୍ରୀ ସାମଲ କହିଲେ ସ୍ବପ୍ନ ସବୁବେଳେ ବଡ଼ ହେବା ଦରକାର। ସ୍ବପ୍ନ ଯେତେ ବଡ଼ ହେବ, ଚିନ୍ତନ ଶକ୍ତି ସେତେ ବଢ଼ିବ। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କଲାମ୍‌ ଏହା ଉପରେ ସବୁବେଳେ ଗୁରୁତ୍ବ ଦେଉଥିଲେ। ଛୋଟ ସ୍ବପ୍ନ କୌଣସି ଗୋଟିଏ ଅପରାଧଠାରୁ କମ୍‌ ନୁହେଁ ବୋଲି କଲାମ ବିବେଚନା କରୁଥିଲେ। କେବଳ ସିଲାବସ୍‌ ବହି ଭିତରେ ପିଲାମାନେ ଆବଦ୍ଧ ହେଇ ନରହି ମହାପୁରୁଷଙ୍କ ଜୀବନୀ ସଂପର୍କିତ ବହି ପଢ଼ିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ଜାହନାରା ବେଗମ୍‌ ଯୋଗ ଦେଇ କହିଲେ ପିଲାମାନେ ସେଇ କାମ କର, ଯେଉଁଥିରେ ଖୁସି ରହିବ। ଜୀବନରେ ବଡ଼ ହେବା ପାଇଁ କେବଳ ଡିଗ୍ରି ଯଥେଷ୍ଟ ନୁହେଁ; ଭଲ ମଣିଷ ହେବା ମୂଳ କଥା। ନିଷ୍ଠା, ଶୃଙ୍ଖଳା, ସଚ୍ଚୋଟତା, ସହନଶୀଳତା ହିଁ ଭଲ ମଣିଷର ବଡ଼ ପୁଞ୍ଜି। ତେଣୁ ନିଜ ଉପରେ ବିଶ୍ବାସ ରଖି ଆଗକୁ ବଢ଼ିବାକୁ ଶ୍ରୀମତୀ ବେଗମ୍‌ ପିଲାମାନଙ୍କୁ ଆହ୍ବାନ ଦେଇଥିଲେ।

ଅନ୍ୟତମ ଅତିଥି ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଲେ କଠିନ ପରିଶ୍ରମର ବିକଳ୍ପ ନାହିଁ। ଜୋରଜବରଦସ୍ତ କେହି ସଫଳ ହୋଇପାରିବେ ନାହିଁ। ସଫଳ‌ ହେବା ପାଇଁ ଦକ୍ଷତା‌ ସହ ଉତ୍ସାହ ରହିବା ଜରୁରି। ପ୍ରବଳ ଇଚ୍ଛାଶକ୍ତି ସଫଳତାର ମାପକାଠି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଲେ ମାଟ୍ରିକ୍ ପରର ପଢ଼ିବା ନିଷ୍ପତ୍ତି ଭବିଷ୍ୟତ ନିର୍ମାଣର ନିଅଁ ପକାଇଥାଏ। ତେଣୁ କିଏ କ’ଣ ପଢ଼ିବ, ସେ ନିଷ୍ପତ୍ତି ପିଲାମାନଙ୍କ ଉପରେ ଛାଡ଼ି ଦିଆଯାଉ। ବାପା-ମା’ମାନେ ଏ କ୍ଷେତ୍ରରେ ଆଦୌ ହସ୍ତକ୍ଷେପ କରନ୍ତୁ ନାହିଁ। ପିଲାମାନଙ୍କର ଯାହାର ଯେଉଁଥିରେ ରୁଚି ରହିଛି, ତାକୁ ବାଛନ୍ତୁ। ଇଚ୍ଛା ନ ଥିବା କ୍ଷେତ୍ରରେ ଯାଇ କମଚଳା ହେବା ପରିବର୍ତେ ପସନ୍ଦ ଥିବା କାର୍ଯ୍ୟରେ ଏକ୍ସପର୍ଟ ହେବା ଭଲ ବୋଲି ଶ୍ରୀମତୀ ପଟ୍ଟନାୟକ କହିବା ସହ ଜୀବନରେ ଯେତେ ସଫଳ ହେଲେ ମଧ୍ୟ ମା’, ମାଟି ଓ ମାତୃଭାଷାକୁ ନ ଭୁଲିବାକୁ ପରାମର୍ଶ ଦେଇଥିଲେ। ସମାରୋହରେ ଅଧ୍ୟକ୍ଷତା କରି ଶ୍ରୀ ପଟ୍ଟନାୟକ କହିଲେ, ୯୦ପ୍ରତିଶତରୁ ଅଧିକ ନମ୍ବର ପାଇଥିବା ପିଲାମାନେ ସଫଳତା ପାଇଁ ଗର୍ବ କର; ହେଲେ ଅହଙ୍କାରୀ ହୁଅ ନାହିଁ। ଅହଙ୍କାର ମଣିଷକୁ ଉପରକୁ ଉଠିବାକୁ ଦିଏ ନାହିଁ। ଏହାକୁ ଦୂରେଇ ରଖିବାକୁ ହେଲେ କୃତଜ୍ଞ ହେବାକୁ ପଡ଼ିବ। ବାପା-ମା’, ଶିକ୍ଷକ ଓ ସମାଜ ପ୍ରତି କୃତଜ୍ଞତା ଜଣାଇବାକୁ କେବେ ଭୁଲ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେବା ସହିତ ମହାପୁରୁଷଙ୍କ ଜୀବନୀ ସଂପର୍କିତ ପୁସ୍ତକ ପଢ଼ିବାକୁ ପିଲାମାନଙ୍କୁ କହିଥିଲେ। ଏହି ଅବସରରେ ଅତିଥି ମାନେ କୃତୀ ୨୩୫ ଛାତ୍ରଛାତ୍ରୀଙ୍କୁ ମେଡାଲ୍‌ ଓ ପ୍ରମାଣପତ୍ର ଦେଇ ସମ୍ବର୍ଧିତ କରିଥିଲେ। ‘ସମ୍ବାଦ’ର ଏଜିଏମ୍‌ (ନ୍ୟୁଜ୍) କୃଷ୍ଣପ୍ରସାଦ ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ସହ ସଂପାଦକ ସଚ୍ଚିକାନ୍ତ ନାଥ ଓ ବରିଷ୍ଠ ସହଯୋଗୀ ସୁଶାନ୍ତ ସ୍ବାଇଁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର