‘ସମ୍ବାଦ’ ପ୍ରଭାବ: ଦିବ୍ୟାଙ୍ଗ ଦିଲ୍ଲୀପଙ୍କୁ ନିଯୁକ୍ତି ଯୋଗାଇଦେବ କିସ୍‌

ଚନ୍ଦ୍ରଶେଖରପୁର : ଜନ୍ମରୁ ଆଖି ନଥିଲା। ଏକ ଦୁର୍ଭାଗ୍ୟଜନକ ଘଟଣାରେ ଟ୍ରେନ୍‌ ଚକା ତଳେ ବାମ ହାତ ଓ ବାମ ଗୋଡ଼ ମଧ୍ୟ ହରାଇଥିଲେ ଜଗତସିଂପୁର ଜିଲ୍ଲାର ଦିବ୍ୟାଙ୍ଗ ମେଧାବୀ ଛାତ୍ର ଦିଲିପ ସାହୁ । ବଞ୍ଚିବାର ଆଶା ହରାଇଦେଇଥିବା ଦିଲ୍ଲୀପଙ୍କ ସମ୍ବନ୍ଧରେ ପ୍ରଥମେ ‘ସମ୍ବାଦ’ ରେ ଖବର ପ୍ରକାଶ ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅଜସ୍ର ଶ୍ରଦ୍ଧା ସହଯୋଗର ସୁଅ ଛୁଟିଥିଲା। ଏହି କ୍ରମରେ ଆଜି ବିଶ୍ୱର ପ୍ରଥମ ଜନଜାତି ବିଶ୍ୱବିଦ୍ୟାଳୟ କିସ୍‌ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦିବ୍ୟାଙ୍ଗ ଦିଲ୍ଲୀପ ସାହୁ ଓ ତାଙ୍କ ଦିବ୍ୟାଙ୍ଗ ପତ୍ନୀ ଅନୀତା ସାହୁଙ୍କୁ କିସ୍‌ ରେ ନିଯୁକ୍ତି ଯୋଗାଇଦେବା ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ସାମନ୍ତ। ଦୀର୍ଘ ତିନି ମାସ କାଳ କିମ୍ସ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେରିଥିଲେ ଦିଲ୍ଲୀପ। କିମ୍ସ୍‌ ପକ୍ଷରୁ ତାଙ୍କର ମାଗଣା ଚିକିତ୍ସା ମଧ୍ୟ କରାଯାଇଥିଲା। ଆଜି ଦିଲ୍ଲୀପ୍‌ଙ୍କୁ ଆତ୍ମନିର୍ଭରଶୀଳ କରିବା ନେଇ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ କିସ୍‌’ରେ ଚାକିରି ଦେବାନେଇ ସ୍ଥିର ହୋଇଥିବା ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି। ଦିଲ୍ଲୀପ୍‌, ଅନୀତାଙ୍କ ସହ ତାଙ୍କ ପରିବାରର ଆଉ ଜଣଙ୍କୁ ମଧ୍ୟ କିସ୍‌’ରେ ଚାକିରି ମିଳିବ। ଏପରି ଏକ ଖୁସି ଖବର ପାଇ ଦିଲ୍ଲୀପ୍‌ଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଏହାସହିତ ଦିଲ୍ଲୀପ୍‌ଙ୍କୁ ଉନ୍ନତ ଚିକିତ୍ସା ପାଇଁ ମଧ୍ୟ ଯୋଜନା କରାଯାଇଥିବା ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି। ତାଙ୍କ ହାତ ଓ ଗୋଡ଼ରେ କୁତି୍ରିମ ଅଙ୍ଗ ପ୍ରତିରୋପଣ ନିମନ୍ତେ ଏକ ଅସ୍ତ୍ରୋପଚାର କରାଯିବ। ଏହି ଆଶ୍ୱାସନା ପାଇବା ପରେ ଏକ ନୂତନ ଜୀବନ ଆରମ୍ଭ କରିବା ନେଇ ସୂଚନା ଦେଇଛନ୍ତି ଦିଲ୍ଲୀପ।

ଉଲ୍ଲେଖଯୋଗ୍ୟଯେ ରେଭେନ୍‌ସାରୁ ସଫଳତାର ସହିତ ଯୁକ୍ତ ଦୁଇରେ ଉତ୍ତୀର୍ଣ୍ଣ ପରେ ଏସଭିଏମ୍‌ କଲେଜ, ଜଗତସିଂପୁରରୁ ଇତିହାସରେ ସମ୍ମାନ ରଖି ବିଏ ପାସ୍‌ କରିଥିଲେ ଦିଲ୍ଲୀପ। ଆଖି ଦେଇନଥିଲେ ବି ଭଗବାନ ଦେଇଥିଲେ ସୁଲଳିତ କଣ୍ଠସ୍ୱର। ଏହି ପ୍ରତିଭା ସହାରାରେ ସେ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ମାତ୍ର ଭାଗ୍ୟ ଦଗା ଦେଇଥିଲା। ବାଲେଶ୍ୱରରୁ ଏକ ଭଜନ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିବା ସମୟରେ ଷ୍ଟେସନରେ ଟ୍ରେନ ଚଢୁଥିବାବେଳେ ଚୋର ମୋବାଇଲ୍‌ ଝାମ୍ପି ନେଇଥିଲା। ଏହି ଧକ୍କାରେ ଟ୍ରେନ୍‌ ଚକା ତଳେ ପଡି ସମ୍ପୂର୍ଣ୍ଣ ବାମ ହାତ ଏବଂ ଗୋଡ଼ ହରାଇଥିଲେ ସେ। ଏସମ୍ପର୍କରେ ପ୍ରଥମେ ‘ସମ୍ବାଦ’ ରେ ଖବର ପ୍ରକାଶ ପାଇଥିଲା। ବିଭିନ୍ନ ସୂତ୍ରରୁ ତାଙ୍କ ନିକଟକୁ ପ୍ରାୟ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ମିଳିଥିଲା। ବର୍ତ୍ତମାନ କିସ୍‌ ରେ ନିଯୁକ୍ତି ସୁଯୋଗ ତାଙ୍କୁ ଏକ ନୂଆ ଜୀବନ ଆଣିଦେବାନେଇ ଦିଲ୍ଲୀପ ବେଶ୍‌ ଆଶାବାଦୀ।

ସମ୍ବନ୍ଧିତ ଖବର