ଭୁବନେଶ୍ବର: ସକାଳୁ ସକାଳୁ ବାହାରେ ଟାଇଁ ଟାଇଁ ଖରା। ଗୁଳୁଗୁଳି ବି କିଛି କମ୍‌ ନ ଥିଲା। ତାହାରି ଭିତରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଥିବା ଉତ୍କଳ ରଙ୍ଗମଞ୍ଚର ଶାନ୍ତ ପରି‌ବେଶରୁ ଭାସି ଆସୁଥିଲା ସୁମଧୁର ଗୀତ। କିଏ ତାଳ, ଲୟ ଓ ଛନ୍ଦରେ ଶ୍ରୋତାଙ୍କୁ ମତୁଆଲା କରୁଥିଲେ ତ ଆଉ କିଏ ନିଜ କଣ୍ଠର ଯାଦୁରେ ବିଚାରକଙ୍କ ମନ ଜିଣୁଥିଲେ। ‘ଷାଠିଏ ପଉଟି ଭୋଗରୁ...’, ‘ଠାକୁରେ ମୋ ଠାକୁରେ...’  ପରି ଗୋଟିଏ ପରେ ଗୋଟିଏ ଭଜନ ଓ ଜଣାଣ ମାଧ୍ୟମରେ ଅଧିକାଂଶ କଣ୍ଠଶିଳ୍ପୀ ମହାପ୍ରଭୁଙ୍କ ନିକଟରେ ଗୁହାରି ଜଣାଇଥିଲେ। ଆଉ କେହି କେହି ‘ଇନ୍ତେହାନ୍‌ ହୋ ଗୟେ, ଇନ୍ତେଜାର୍‌ କି...’ ପରି ଗୀତ ପରିବେଷଣ କରି ଶ୍ରୋତାଙ୍କୁ ବଲିଉଡ୍‌ର ୮୦ ଦଶକକୁ ନେଇ ଯାଇଥିଲେ। ସଙ୍ଗୀତ ପ୍ରତିଯୋଗିତା ଯେତିକି ଯେତିକି ଆଗକୁ ବଢ଼ୁଥିଲା, ମହାସଂଗ୍ରାମ ସେତିକି ଅଧିକ ସରଗରମ ହେଉଥିଲା।

Advertisment

ପୂର୍ବାହ୍ନ ବେଳକୁ ପ୍ରେକ୍ଷାଳୟ ବାହାରେ ତୁହାକୁ ତୁହା ବର୍ଷା ହେଉଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପ୍ରତିଯୋଗୀଙ୍କ ଉପରେ ପଡ଼ି ନଥିଲା। ବରଂ ସେମାନେ ବର୍ଷା ଘଡ଼ଘଡ଼ି ଶବ୍ଦରେ ଅଧିକ ମତୁଆଲା ହୋଇ ଗୀତ ଗାଇ ଚାଲିଥିଲେ। ‘ସମ୍ବାଦ-ରେଡିଓ ଚକଲେଟ୍ ୧୦୪ ଏଫ୍ଏମ୍ ଧୁମ୍ ମିଠା’ ପକ୍ଷରୁ ଆୟୋଜିତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଜୋନ୍‌ସ୍ତରୀୟ ‘ସାରେଗାମା’ ପ୍ରତିଯୋଗିତାରେ ଏଭଳି କିଛି ନିଆରା ଅନୁଭୂତି ଆଜି ଦେଖିବାକୁ ମିଳିଛି। ପ୍ରତିଯୋଗିତାରେ ୪୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଯୁକ୍ତ ୩ ଶେଷବର୍ଷ ଛାତ୍ରୀ ପିଏନ୍‌ ପ୍ରିୟଙ୍କା ସ୍ବାଇଁ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଯୁକ୍ତ ୩ ଛାତ୍ର ମନୋଜ କୁମାର ସାହୁ ଦ୍ବିତୀୟ ଓ ଭୁବନେଶ୍ବରସ୍ଥିତ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ(ଓୟୁଟିଆର) ଛାତ୍ରୀ ସୋନାଲ୍‌ ଶତପଥୀ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଭୁବନେଶ୍ବରରେ ଆୟୋଜିତ ଏହି ଜୋନ୍‌ସ୍ତରୀୟ ପ୍ରତିଯୋଗିତାର ବିଚାରକ ଭାବେ ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଓମ୍‌ ପ୍ରକାଶ ମହାନ୍ତି, ସଙ୍ଗୀତଜ୍ଞ ପ୍ରଫେସର ଜଗନ୍ନାଥ କୁଅଁର, ବିଶିଷ୍ଟ କଣ୍ଠଶିଳ୍ପୀ ‌ସୋହିନୀ ମିଶ୍ର ଯୋଗଦେଇଥିଲେ। ପ୍ରତିଯୋଗୀମାନଙ୍କ ପ୍ରତିଭାକୁ ପ୍ରଶଂସା କରି ପ୍ରଫେସର କୁଅଁର କହିଲେ, ସଙ୍ଗୀତ ହେଉଛି ଏକ ସାଧନା। ‌ସାଧନା ଯେତେ ଭଲ ହେବ, ଜଣେ ସେତେ ଭଲ କଣ୍ଠଶିଳ୍ପୀ ହୋଇପରିବ। ସଙ୍ଗୀତ ହେଉ କି ଗୀତ ସବୁଥିରେ ସ୍ୱତନ୍ତ୍ର ଛୁଙ୍କ ରହିଛି। ତେଣୁ ପିଲାମାନେ ସାଧନାକୁ ଗୁରୁତ୍ୱ ଦିଅନ୍ତୁ। ସ୍ବର ଓ ଶବ୍ଦର ସଠିକ୍‌ ସାମଞ୍ଜସ୍ୟ ରଖିପାରିଲେ ଆହୁରି ଭଲ କରିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ମହାନ୍ତି କହିଲେ ଭଗବାନଙ୍କ ଆଶୀର୍ବାଦ ନଥିଲେ ଜଣେ ଗୀତ ଗାଇପାରିବେ ନାହିଁ। ଏଠାରେ ଆୟୋଜିତ ପ୍ରତିଯୋଗିତାରେ ବିରଳ ପ୍ରତିଯୋଗୀଙ୍କୁ ଦେଖିଲି। ଅନେକ ପ୍ରତିଯୋଗୀଙ୍କ ସ୍ବର ବହୁତ ଭଲ ରହିଛି। ଭଲ ଗୀତ ପରିବେଷଣ କଲେ। କେତେଜଣଙ୍କଠାରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଲା। ତେଣୁ ସେମାନଙ୍କୁ ବାଦ ଦେବାକୁ ପଡ଼ିଲା। ଏତେ ପ୍ରତିଯୋଗୀଙ୍କ ମଧ୍ୟରୁ ତିନିଜଣଙ୍କୁ ଚୟନ କରିବା ବହୁତ କଷ୍ଟକର ଥିଲା।‌ ଯେଉଁମାନେ ପୁରସ୍କାର ପାଇ ନାହାନ୍ତି ସେମାନେ ମନ ଊଣା କରିବା କଥା ନୁହେଁ। ବରଂ ଆଗକୁ କିଭଳି ସଫଳ ହେବେ ସେଦିଗରେ ପ୍ରୟାସ କରନ୍ତୁ। କାରଣ ଏବେ ଓଡ଼ିଶାରେ ସଙ୍ଗୀତ ସ୍ଥିତି ଭଲ ନାହିଁ।

ଆମ ନିଜସ୍ୱ ସତ୍ତା ବଞ୍ଚାଇବା ଯୁବପିଢ଼ିଙ୍କ ହାତରେ। ସେମାନେ ଚାହିଁଲେ ସଙ୍ଗୀତର ମୌଳିକତା ବଞ୍ଚି ରହିପାରିବ। ଅନ୍ୟତମ ବିଚାରକ କଣ୍ଠଶିଳ୍ପ ସୋହିନୀ ମିଶ୍ର ଏଭଳି ପ୍ରୟାସକୁ ସ୍ବାଗତ କରିବା ସହ ଗୀତ ପରିବେଷଣ କରି ଶ୍ରୋତାଙ୍କ ମନୋରଞ୍ଜନ କରିଥିଲେ। ‘ପୌରୁଷ’ର ସମ୍ପାଦକ ଅସିତ୍‌ ମହାନ୍ତି, ବାର୍ତ୍ତା ସମ୍ପାଦକ (ସମ୍ବାଦ ଗ୍ରୁପ୍‌) ଭବାନୀ ଶଙ୍କର ତ୍ରିପାଠୀ, ମହାପ୍ରବନ୍ଧକ(ମାନବ ସମ୍ବଳ) ବୈଜୟନ୍ତୀ କର, ଡେପୁଟି ଏଡିଟର (ଫିଚର୍‌) ଧୃତିକାମ ମହାନ୍ତି, ବ୍ୟୁରୋ ଚିଫ୍‌ ଚୌଧୁରୀ ଅମିତାଭ୍‌ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ବାଦ୍ୟଯନ୍ତ୍ରରେ କିଶୋର କୁମାର ନାୟକ ଓ ଉମାକାନ୍ତ ବିଶ୍ବାଳ ସହଯୋଗ କରିଥିଲେ। ଆର୍‌ଜେ କୋମଲ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।