ଭୁବନେଶ୍ୱର ‘ସମ୍ବାଦ-ସାହିତ୍ୟ ଘର’ ପକ୍ଷରୁ ପଖାଳ ଦିବସ

ଭୁବନେଶ୍ୱର : ଓଡ଼ିଆ ଘରର ପାରମ୍ପରିକ ରାନ୍ଧଣା ଦିନକୁ ଦିନ ହଜିବାରେ ଲାଗିଛି। ତାହାରି ଭିତରେ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ‘ପଖାଳ’ ସାଧାରଣ ଲୋକଙ୍କ ଘରୁ ଆସି ତାରକା ହୋଟେଲରେ ପହଞ୍ଚିଛି। ଏହି ଧାରାରେ ଓଡ଼ିଆ ଘରର ପ୍ରତିଟି ରାନ୍ଧଣାର ପୁନରୁଦ୍ଧାର ହେଉ। ନୂଆପିଢ଼ିଙ୍କ ଜିଭରେ ଓଡ଼ିଆ ସ୍ୱାଦ ରହୁ। ଆସନ୍ତାକାଲି ପଖାଳ ଦିବସ ଅବସରରେ ଆଜି ଭୁବନେଶ୍ୱର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆୟୋଜିତ ନିଆରା ଉତ୍ସବରେ ଯୋଗଦେଇଥିବା ବକ୍ତାମାନେ ଏହା କହିଛନ୍ତି।

ଜୟଦେବ ବାଟିକାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ କଥାକାର ପ୍ରଫେସର ଜ୍ୟୋତି ନନ୍ଦ ମୁଖ୍ୟଅତିଥି, ଚିତ୍ରଶିଳ୍ପୀ ତଥା ଲେଖକ ରମାକାନ୍ତ ସାମନ୍ତରାୟ, କଳା ସମୀକ୍ଷକ ତଥା କବି କେଦାର ମିଶ୍ର ବକ୍ତାଭାବେ ଯୋଗଦେଇ ଓଡ଼ିଶାର ଖାଦ୍ୟ ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ। ଯୁବ କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଉତ୍ସବରେ ସଞ୍ଚାଳନ କରିଥିଲେ। ଏହି ଅବସରରେ ପ୍ରକାଶ ମହାପାତ୍ର, ସୃଷ୍ଟିଶ୍ରୀ ନାଏକ, ରମାକାନ୍ତ ଗୋଚ୍ଛାୟତ, ଦିଲ୍ଲୀପ ବେହୁରା, ନଳିନୀକାନ୍ତ ନାୟକ, ରମାକାନ୍ତ ସାମନ୍ତରାୟ, ବାଦଲ ମହାନ୍ତି, ପ୍ରଜ୍ଞା ପାରମିତା ରଥ, ଦେବଦତ୍ତ ପତି, ସଞ୍ଜୟ ଭଟ୍ଟ, ସୁଧୀର ମଉଡ଼ମଣି, ଜ୍ୟୋତି ନନ୍ଦ, ସଞ୍ଜୟ ବିଶ୍ୱାଳ ପ୍ରମୁଖ କବିତା ଓ ଗପ ପାଠ କରିବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉତ୍ସବ ଶେଷରେ ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ପଖାଳ, ଚୂନାମାଛ ଭଜା, ଶାଗ, ବଡ଼ିଚୂରା ଆଦି ଉପସ୍ଥିତ ଲେଖକମାନେ ଆପ୍ୟାୟିତ ହୋଇଥିଲେ। ସାହିତ୍ୟ ଘର ସଭାପତି ସରୋଜ ବଳ ଓ ସମ୍ପାଦକ ବାଦଲ ମହାନ୍ତି ଉତ୍ସବର ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର