‘ସମ୍ବାଦ ସାହିତ୍ୟଘର’ର ବୃକ୍ଷରୋପଣ କାର୍ଯ୍ୟକ୍ରମ, କଲ୍ୟାଣପୁର‌ରେ ଲାଗିଲା ବେଲ ଚାରା

ଭୁବନେଶ୍ୱର: ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅବସରରେ ଆଜି ‘ସମ୍ବାଦ ମହାନଗର ଟିମ୍’ ସହଯୋଗରେ ରାଜଧାନୀ ଉପକଣ୍ଠ କଲ୍ୟାଣପୁରସ୍ଥିତ ୟୁଏସ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ବେଲ ଚାରା ରୋପଣ କରାଯାଇଛି। ଶୈବ ପୀଠର ସମାହାର ଏକାମ୍ର କ୍ଷେତ୍ର ପାଇଁ ବିପୁଳ ମାତ୍ରାରେ ବେଲ ପତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ଅବସରରେ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା କହିଥିଲେ ଯେ ‘ସମ୍ବାଦ’ ସବୁବେଳେ ଲୋକଙ୍କ ସହ ଯୋଡ଼ି ହୋଇ ରହିଛି। ସୁଖଦୁଃଖର ସାଥୀ ହୋଇ ରହିଛି। ସେଥିପାଇଁ ୨୦୧୧ ମସିହାରୁ ଆରମ୍ଭ ହୋଇଥିବା ‘ସମ୍ବାଦ ସାହିତ୍ୟଘର’ ଏବେ ଓଡ଼ିଶାର ସମସ୍ତ ୩୧୪ ବ୍ଲକରେ ପହଞ୍ଚି ପାରି ଲୋକାଦୃତ ହୋଇଛି। ଭାଷା ଓ ସାହିତ୍ୟର ବିକାଶ ସହ ପରିବେଶ ସୁରକ୍ଷା ଉପରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ତୃଣମୂଳସ୍ତରରୁ ଲୋକଙ୍କୁ ସେବା ଯୋଗାଇବା ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। କାର୍ଯ୍ୟକ୍ରମରେ ଯୋଗ ଦେଇ ‘ସମ୍ବାଦ’ର ମୁଖ୍ୟମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ କହିଲେ ଯେ ବିଶ୍ବତାପନ ଯୋଗୁଁ ଏବେ ସମଗ୍ର ପୃଥିବୀ ଯେପରି ସଂକଟ ଆଡ଼କୁ ଗତି କରୁଛି, ତାହାକୁ ରୋକିବାକୁ ହେଲେ ବୃକ୍ଷରୋପଣ ହିଁ ଏକମାତ୍ର ଉପାୟ। ଭବିଷ୍ୟତ ପିଢ଼ି ପାଇଁ ପରିବେଶ ଓ ପୃଥିବୀକୁ ବାସୋପଯୋଗୀ କରିବାକୁ ହେଲେ ଆମକୁ ମିଳିତ ଭାବେ ଏଭଳି ପ୍ରୟାସ ଜାରି ରଖିବାକୁ ହେବ ବୋଲି ସେ ଆହ୍ବାନ ଦେଇଥିଲେ। ‘ସମ୍ବାଦ’ ଉପମହାପ୍ରବନ୍ଧକ (ବାର୍ତା) ଗୌତମବୁଦ୍ଧ ଦାସ କହିଲେ ଯେ ‘ସମ୍ବାଦ ସାହିତ୍ୟଘର’ କେବଳ ଓଡ଼ିଆ ଭାଷା, ସାହିତ୍ୟର ପ୍ରଚାର ପ୍ରସାରରେ ସୀମିତ ହୋଇ ରହିନାହିଁ, ପରିବେଶ ସୁରକ୍ଷା ଦିଗରେ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛି। ସ୍କୁଲ୍‌ର ପ୍ରତିଷ୍ଠାତା ଡାକ୍ତର ଉପେନ୍ଦ୍ର କୁମାର ସାହୁ କହିଥିଲେ ଯେ ଏବେ ପରିବେଶ ସୁରକ୍ଷା ଓ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବ୍ୟାପକ ବୃକ୍ଷରୋପଣ ଆବଶ୍ୟକ ହୋଇପଡ଼ିଛି।

କାର୍ଯ୍ୟକ୍ରମରେ ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଓଡ଼ିଶା ଲଳିତକଳା ଏକାଡେମି ସଂପାଦକ ପଞ୍ଚାନନ ସାମଲ, ଟିକରପଡ଼ା ସରପଞ୍ଚ ସଂଘମିତ୍ରା ପାଳ, ପୂର୍ବତନ ସମିତି ସଭ୍ୟ ହେମନ୍ତ କୁମାର ପ୍ରଧାନ, ସ୍କୁଲର ସହ ପ୍ରତିଷ୍ଠାତ୍ରୀ ଡ. ପ୍ରମିଳା ସାହୁ, ଏମ୍‌ଡି ଇଂ ସ୍ୱଦେଶ ଦୀପକ ସାହୁ, ଡ. ସୁଶୀଲ୍‌ ଶେଖର ସାହୁ, ସ୍କୁଲ ଅଧ୍ୟକ୍ଷା ଅଞ୍ଜଳି ପଟ୍ଟନାୟକ, ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରଭାସ ଚନ୍ଦ୍ର ବରାଳ, ପ୍ରଫେସର ଉପେନ୍ଦ୍ର କୁମାର ବିଶ୍ୱାଳ, ପରିବେଶବିତ୍ ସୁଶାନ୍ତ କୁମାର ସାହୁ, ପ୍ରିୟବ୍ରତ ପଣ୍ଡା, ଅଶ୍ୱିନୀ କୁମାର ବଳିୟାରସିଂହ, ପ୍ରଭୁଲାଲ୍‌ ପତି, ପ୍ରମୋଦ ସ୍ୱାଇଁ, ପ୍ରବୀଣା ଦାଶ, ଗାର୍ଗି ଶତପଥୀ, ସରିତଦୀପ ଶତପଥୀ, ହରପ୍ରିୟା ପୃଷ୍ଟି, ଅରୁଣ ପୁରୋହିତ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତାମାନେ ଚାରା ରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଦର୍ଶୀ ସ୍ୱାଇଁ, ସୋନାଲି ମହାପାତ୍ର, କଳ୍ପନା ଖଟୁଆ, ଅନିତା ସାହୁ, ସୁକାନ୍ତ ପ୍ରଧାନ, ପ୍ରଭାସିନୀ ବାରିକ, ଶ୍ୟାମ ଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଲିଙ୍ଗରାଜ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର