ଭୁବନେଶ୍ବର: ତାପମାତ୍ରା ବୃଦ୍ଧି, ପାଣିପାଗ ପରିବର୍ତ୍ତନ, ସମୁଦ୍ର ପତ୍ତନ ବୃଦ୍ଧି, ହୀମଶୈଳ ତରଳିବା ସମୟରେ ମନୁଷ୍ୟ ଅନୁଭବ କରିଥାଏ ଜଳବାୟୁର ପରିବର୍ତ୍ତନ। ମନୁଷ୍ୟ ଯେତେବେଳେ ଅଧିକ ଲୋଭଗ୍ରସ୍ତ ଓ ମାୟାମୋହକୁ ଆପଣେଇଥାଏ ଏବଂ ପ୍ରକୃତିକୁ ତିଳେମାତ୍ର ଦୃଷ୍ଟିଗୋଚର କରିନଥାଏ, ସେତେବେଳେ ଜଳବାୟୁର ପରିବର୍ତ୍ତନ ଘଟିବା ସ୍ବାଭାବିକ। ଏହାର ମନୁଷ୍ୟକୃତ କାରଣ ମଧ୍ୟରେ ଶିଳ୍ପାୟନ ଓ କଳକାରଖାନା। ନିଜର ସୁବିଧା ପାଇଁ ମଣିଷ ଯେଉଁ କଳକାରଖାନା ସୃଷ୍ଟି କରୁଛି ତାହା ହିଁ ତାକୁ ବିପଦ ମୁହଁକୁ ଠେଲି ଦେଉଛି। ଯେହେତୁ ଏହା ମାନବ ସମାଜର ଆବଶ୍ୟକତାରେ ପରିଣତ ହୋଇଛି ତେଣୁ କେବଳ ମୁଁ କିମ୍ବା ତୁମେ ନୁହେଁ, ଜଳବାୟୁ ପରିବର୍ତ୍ତନ ପାଇଁ ଆମେ ସମସ୍ତେ ଦାୟୀ। ଆମେ ଜନ୍ମନେବା ସମୟରେ ପୃଥିବୀକୁ ଯେଉଁ ରୂପରେ ଦେଖିଥିଲେ, ଯିବା ସମୟରେ ତା’ଠାରୁ ଅଧିକ ସୁନ୍ଦର କରି ଛାଡ଼ିଯିବା ଆମର କର୍ତ୍ତବ୍ୟ ହେବା ଆବଶ୍ୟକ। ଏଣୁ ଜଳବାୟୁ ପରିବର୍ତ୍ତନର ନିରାକରଣ ସମ୍ପର୍କରେ ପ୍ରଥମେ ନିଜେ ସଚେତନ ହେବା ଜରୁରି। ସମସ୍ତଙ୍କ ମନରେ ଯଦି ଏଭଳି ଭାବନା ଜାଗ୍ରତ ହୁଏ ତେବେ ସୁନ୍ଦର ପୃଥିବୀ ଗଠନ ଅବଶ୍ୟମ୍ଭାବୀ। ସାମୂହିକ ଦାୟିତ୍ବବୋଧ ଦ୍ବାରା ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିହେବ। ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ଭୁବନେଶ୍ବର ଜୋନ୍ରେ ଆୟୋଜିତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟସ୍ତରରେ ପ୍ରଥମ ପର୍ଯ୍ୟାୟ ବିତର୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ‘ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ କିଏ? ମୁଁ ନା ତୁମେ?’ ଶୀର୍ଷକ ପ୍ରସଙ୍ଗରେ ଏଭଳି ମତ ରଖିଛନ୍ତି। ଧରଣୀ ମା’ର ସୁରକ୍ଷାର ଦାୟିତ୍ବ ଆମ ସମସ୍ତଙ୍କର ବୋଲି ପ୍ରତିଯୋଗୀମାନେ କହିଛନ୍ତି।
ରମାଦେବୀ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ ବିଶ୍ବବିଦ୍ୟାଳୟର ୩୩ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଜଳବାୟୁ ପରିବର୍ତ୍ତନର କାରଣ, ନିରାକରଣ ସମ୍ପର୍କରେ ନିଜସ୍ବ ମତ ଉପସ୍ଥାପନ କରିଥିଲେ। ଏଥିରେ କଲେଜ ଅଫ୍ ଫାର୍ମାସିଉଟିକାଲ୍ ସାଇନ୍ସେସ୍, ପୁରୀର ଛାତ୍ରୀ ଅଭିଲିପ୍ସା ପଟ୍ଟନାୟକ ପ୍ରଥମ, ଏବିଆର୍ କଲେଜ ଅଫ୍ ଏଜୁକେସନ୍ର ଇବ୍ରାହିମ୍ ସର୍ଦ୍ଦାର ଦ୍ବିତୀୟ ଓ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ଶ୍ରାବଣୀ ସାହୁ ତୃତୀୟ ହୋଇଥିଲେ। ପ୍ରତିଯୋଗିତାର ବିଚାରକ ଭାବେ ଅବସରପ୍ରାପ୍ତ ଆଇଏଫ୍ଏସ୍ ବିଜୟକେତନ ପଟ୍ଟନାୟକ, ପାରାମିଟର ସଫ୍ଟୱେର୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେପି. ଜଗଦ୍ଦେବ ଓ ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ ଯୋଗଦେଇଥିଲେ।
ଅଭିଲିପ୍ସା, ଇବ୍ରାହିମ୍, ଶ୍ରାବଣୀ ବିଜେତା
ବିଚାରକ ଶ୍ରୀ ପଟ୍ଟନାୟକ କହିଲେ, ଶିଳ୍ପ ବିପ୍ଳବ ପରଠାରୁ ଆଜି ପର୍ଯ୍ୟନ୍ତ ଶକ୍ତିର ବ୍ୟବହାର ବହୁଗୁଣିତ ହୋଇଛି, ଯେଉଁଥି ପାଇଁ ଜଳବାୟୁ ପରିବର୍ତ୍ତନ ସମସ୍ୟା ହେଉଛି। ଜୀବାଶ୍ମ ଇନ୍ଧନର ବ୍ୟବହାର ଯେତିକି ବଢ଼ୁଛି ଆମ ପରିବେଶ ପ୍ରତି ସେତିକି ପରିମାଣରେ ବିପଦ ସୃଷ୍ଟି ହେଉଛି। ଜଳବାୟୁ ପରିବର୍ତ୍ତନ ପାଇଁ କେଉଁ ସବୁ ଉପାଦାନ ଦାୟୀ ସେଗୁଡ଼ିକୁ ଚିହ୍ନଟ କରିବା ଆମ ସମସ୍ତଙ୍କର ଦାୟିତ୍ବ। ପ୍ରଥମେ ମୁଁ କିଭଳି ପରିବେଶ ପ୍ରତି ସଚେତନ, ତାହାର ଅନୁଶୀଳନ କରିବା ଉଚିତ। ଫଳରେ ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ଏ ସମ୍ପର୍କରେ ସଚେତନ କରିପାରିବା। ବିଚାରକ ଶ୍ରୀ ଜଗଦ୍ଦେବ କହିଲେ, ଜଳବାୟୁ ପରିବର୍ତ୍ତନର କାରଣ ସମ୍ପର୍କରେ ସମସ୍ତେ ଅବଗତ। ତେବେ ଆମକୁ ଏହାର ନିରାକରଣ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ଅନ୍ୟ ଉପରେ ଆଶା ନରଖି ପ୍ରକୃତି ପ୍ରତି ନିଜର ଦାୟିତ୍ବବୋଧ ପ୍ରମାଣିତ କରିବାର ଆବଶ୍ୟକତା ରହିଛି। ଜଙ୍ଗଲ, ଜଳ, ଜମି ସମସ୍ତେ ଆମ ସହ ଜଡ଼ିତ। ଏହାର ସୁରକ୍ଷା ଆମର କର୍ତ୍ତବ୍ୟ। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏହି ବିତର୍କ ପ୍ରତିଯୋଗିତାର ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପରିବେଶ ସଚେତନତା ଦେଖି ଖୁସି ଅନୁଭବ ହେଉଛି। ଆଗାମୀ ପିଢ଼ି ନିଶ୍ଚିତ ରୂପେ ନିଜର ପରିବେଶ ପ୍ରତି ଯତ୍ନବାନ୍ ହେବେ।
ବିଚାରକ ଶ୍ରୀ ପାଣିଗ୍ରାହୀ କହିଲେ ଯେ ଆଜିର ବିତର୍କରେ ସମସ୍ତ ପ୍ରତିଯୋଗୀ ବିଷୟ ସମ୍ପର୍କରେ ନିଜର ସାରଗର୍ଭକ ମତପୋଷଣ କରିଥିଲେ। ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି ଆମର ଜୀବନଶୈଳୀ। ଜଳବାୟୁର ପରିବର୍ତ୍ତନ କାରଣ ପ୍ରତି ଆମେ ଅବଗତ ହୋଇପାରିଲେ, ନିରାକରଣ ପାଇଁ ପଦକ୍ଷେପ ନେଇପାରିବା। କେବଳ ମୁଁ କିମ୍ବା ତୁମେ ନୁହେଁ, ପ୍ରତ୍ୟେକ ବ୍ୟକ୍ତି ଚାହିଲେ ନିଜ ନିଜର ପ୍ରଚେଷ୍ଟାରେ ଜଳବାୟୁ ପରିବର୍ତ୍ତନରେ ସୁଧାର ଆଣିପାରିବେ। ବିକାଶର ଧାରା ଜାରି ରହିବା ସହିତ ଜଳବାୟୁ ପରିବର୍ତ୍ତନ ପ୍ରତି ଆମେ ସଚେତନ ହେବା ଜରୁରି ବୋଲି ସେ କହିଥିଲେ। ‘ସମ୍ବାଦ’ର ବ୍ୟୁରୋ ମୁଖ୍ୟ ଚୌଧୁରୀ ଅମିତାଭ ଦାସ ପ୍ରତିଯୋଗିତାକୁ ସଞ୍ଚାଳନ କରିଥିଲେ।