ଭୁବନେଶ୍ବର: ଯୋଗାଚାର୍ଯ୍ୟ ମନୋଜ କୁମାର ରାଉତଙ୍କ ଓଁକାର ଧ୍ବନି ସହ ବିଭିନ୍ନ ସୂକ୍ଷ୍ମ ଆସନରୁ ଆରମ୍ଭ ହୋଇଥିଲା ଯୋଗାଭ୍ୟାସ। ପ୍ରଶିକ୍ଷକଙ୍କ ଅଙ୍ଗଭଙ୍ଗୀକୁ ଲକ୍ଷ୍ୟ କରି ଯୋଗ ସାଧକ/ସାଧିକାମାନେ ଅନୁକରଣ କରୁଥିଲେ। ପଡ଼ିଆରେ ସୂର୍ଯ୍ୟଙ୍କ ପହିଲି କିରଣ ପଡ଼ୁପଡ଼ୁ ଆରମ୍ଭ ହୋଇଥିଲା ସୂର୍ଯ୍ୟ ନମସ୍କାର। ପରେ ଯୋଗାଚାର୍ଯ୍ୟ ଗଦାଧର ମହାପାତ୍ରଙ୍କ ଦ୍ବାରା କପାଳଭାତି, ଉଜ୍ଜାୟୀ, ନାଡ଼ିଶୋଧନ ଆଦି ପ୍ରାଣାୟାମ କରାଯାଇଥିଲା। ଯୋଗାଚାର୍ଯ୍ୟ ନବ କିଶୋର ମହାନ୍ତି ଓ ଅଲ ଓଡ଼ିଶା ଯୋଗ ଆସୋସିଏସନ୍ର ଯୋଗଗୁରୁମାନଙ୍କ ହାସ୍ୟଯୋଗ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। କବି ପ୍ରସାଦ ମହାପାତ୍ରଙ୍କ ଦ୍ବାରା ଧ୍ୟାନଯୋଗ କରାଯାଇଥିଲା। ଶେଷରେ ଶାନ୍ତିପାଠ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଓ ଗାୟତ୍ରୀ ମନ୍ତ୍ରପାଠ କରିଥିଲେ ଯୋଗାଚାର୍ଯ୍ୟ ଏଆଇପିଏଚ୍ ବିଶ୍ବବିଦ୍ୟାଳୟ ଓ ଶିବାନନ୍ଦ ଯୋଗ ବେଦାନ୍ତ ଏକାଡେମୀର ଛାତ୍ରଛାତ୍ରୀ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହଙ୍କ ସହ ଆଚାର୍ଯ୍ୟ ସ୍ବାମୀ ରାମ ନାରାୟଣ ଦାସ, ‘ସମ୍ବାଦ’ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ, ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ଆଗାମୀ ସିନେମା ‘ରାକେଟ୍’ର ନାୟକ ଦୁଷ୍ମନ୍ତ ଓ ନାୟିକା ଅର୍ଲିନ୍ ଅଙ୍କିତା, ଅଲ୍ ଓଡ଼ିଶା ଯୋଗ ଆସୋସିଏସନ୍ ସଭାପତି ନବ କିଶୋର ମହାନ୍ତି, ସମ୍ପାଦକ ଆଦିତ୍ୟ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସିଂହ କହିଥିଲେ, ‘ସମ୍ବାଦ’ ଖବର ପ୍ରକାଶ କରିବା ଛଡ଼ା ସମାଜରେ ସଚେତନତା ଓ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି। ରକ୍ତଦାନ, ଯୋଗାଥନ, ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ସମସ୍ତଙ୍କୁ ପରସ୍ପର ସହ ଯୋଡ଼ିଛି। ନିରୋଗ ରହିବା ପାଇଁ ନିଜ ଜୀବନଶୈଳୀରେ ସମସ୍ତେ ଯୋଗକୁ ଯୋଡ଼ନ୍ତୁ ବୋଲି ସେ କହିଥିଲେ। ଆଚାର୍ଯ୍ୟ ସ୍ବାମୀ ରାମ ନାରାୟଣ ଦାସ କହିଥିଲେ, ବ୍ରାହ୍ମମୁହୂର୍ତ୍ତରେ ‘ଓଁ’ ଶବ୍ଦ ଉଚ୍ଚାରଣ ଏବଂ ଯୋଗ ଓ ପ୍ରାଣାୟାମ ଦ୍ବାରା ମଣିଷ ପରମାତ୍ମା ସହିତ ଯୋଡ଼ି ହୋଇପାରିବ। ଶରୀର ଓ ମନ ଶାନ୍ତି ରହିଲେ ସମସ୍ତେ ସୁଖ ପାଇବେ। ‘ସମ୍ବାଦ’ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ରାଜଧାନୀବାସୀଙ୍କ ମଧ୍ୟରେ ଯୋଗ ପ୍ରତି ସଚେତନତା ବୃଦ୍ଧି ପାଉଥିବା ଦେଖି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ‘ସମ୍ବାଦ’ର ପ୍ରକାଶକ ତଥା ସିଓଓ କମଳାକାନ୍ତ ମହାପାତ୍ର, ମହାପ୍ରବନ୍ଧକ (ବିଜ୍ଞାପନ) ସଂଜୟ ଗୌର୍, ମହାପ୍ରବନ୍ଧକ ବୈଜୟନ୍ତୀ କର(ମାନବ ସମ୍ବଳ)ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆର୍. ଜେ ନୀରଦ ଚନ୍ଦ୍ର ଆର୍ଯ୍ୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମଧୁସ୍ମିତା ପାତ୍ର ଧନ୍ୟବାଦ ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରମୁଖ ଯୋଗ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା।
ରାତି ପାହିବା ପାହିବା ହେଉଥାଏ। ରାଜଧାନୀର ଜନପଥ ଶୂନଶାନ ଥାଏ। କିନ୍ତୁ କେନ୍ଦ୍ରୀୟ ବିଦ୍ୟାଳୟ-୧ ଖେଳପଡ଼ିଆ ସମ୍ମୁଖରେ ଜମିଥିଲା ଭିଡ଼। ସ୍ବାସ୍ଥ୍ୟ ସଚେତନ ରାଜଧାନୀବାସୀ ଉତ୍ସାହର ସହ ‘ସମ୍ବାଦ’ର ୬ଷ୍ଠ ଯୋଗାଥନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ୭ରୁ ୭୦ ପର୍ଯ୍ୟନ୍ତ ଶହଶହ ଯୋଗରତ ଜନସାଧାରଣଙ୍କ ଏକତ୍ର ‘ଓଁକାର ଧ୍ବନୀ’ରେ ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ବ୍ୟସ୍ତବହୁଳ ଜୀବନରେ ଶରୀରକୁ ଫିଟ୍ ରଖିବା ପାଇଁ ‘ସମ୍ବାଦ’ ଓ ‘ଅଲ୍ ଓଡ଼ିଶା ଯୋଗ ଆସୋସିଏସନ୍’ ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶା ଯୋଗାଥନ୍ର ୬ଷ୍ଠ ସଂସ୍କରଣ’ରେ ଆଜି ଏଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା।
ମନମୋହିଲା କାଳଭୈରବ
ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାଳଭୈରବ, ଶ୍ରୀହନୁମାନ ଆଦି ଗୀତରେ ଦୁଃସାହାସିକ ଯୋଗକଳା ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟ-୧ର ଶ୍ରେୟାଂଶୁ ଶେଖର ଦାସ ଏକକ ଯୋଗ ନୃତ୍ୟ ପ୍ରଦର୍ଶନ କରିଥିଲେ। ପରେ ବାଙ୍କୀର ପ୍ରିୟଦର୍ଶନୀ, ରାଜଲକ୍ଷ୍ମୀ ଓ ବାରବାଟି ଯୋଗ ଆସୋସିଏସନ୍ର ସଦସ୍ୟ ଡୁଏଟ୍ ଯୋଗ ପ୍ରଦର୍ଶନ କରିଥିଲେ। ‘ଯୋଗ ଗୁଡ୍ ଫର୍ ହେଲଥ୍’ ଅନୁଷ୍ଠାନ ପକ୍ଷରୁ ଡିଭାଇନ୍ ସ୍ପୋର୍ଟସ୍ ଏକାଡେମୀର ଛାତ୍ରଛାତ୍ରୀମାନେ ଦଳଗତ ଯୋଗନୃତ୍ୟ ଓ ପିରାମିଡ୍ ଯୋଗପ୍ରେମୀଙ୍କୁ ବିମୋହିତ କରିଥିଲା।
ମାଗଣା ସ୍ବାସ୍ଥ୍ୟ ପରୀକ୍ଷା
ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କ ପାଇଁ ହେଲଥ୍ ଭିଲେଜ୍ ହସ୍ପିଟାଲ ପକ୍ଷରୁ ଗଣ୍ଠି ଯନ୍ତ୍ରଣା ଉପଶମ ଓ ଚିକିତ୍ସା ପାଇଁ ଡାକ୍ତରୀ ପରାମର୍ଶ ଦିଆଯାଇଥିଲା। ପ୍ରୋ ଲାଇଫ୍ ଡାଇଗ୍ନୋସିସ୍ ପକ୍ଷରୁ ମାଗଣାରେ ମଧୁମେହ, ରକ୍ତଚାପ ପରୀକ୍ଷା କରାଯାଇଥିଲା। ଏକ ସ୍ବତନ୍ତ୍ର ଷ୍ଟଲ୍ରେ ଫ୍ରିଡମ୍ ତେଲ ପ୍ରଦର୍ଶନ ସହ ରିହାତିରେ ବିକ୍ରି ହେଉଥିଲା।
ଯୋଗ ହିଁ ମଣିଷକୁ ସୁସ୍ଥ ରଖିପାରିବ
ସମ୍ବାଦର ଯୋଗାଥନ କାର୍ଯ୍ୟକ୍ରମକୁ ମୁଁ ପ୍ରତିବର୍ଷ ଆସୁଛି। ଏହି କାର୍ଯ୍ୟକ୍ରମ ରାଜଧାନୀବାସୀଙ୍କୁ ଯୋଗପ୍ରତି ଆକର୍ଷିତ କରୁଛି। ବ୍ୟସ୍ତ ବହୁଳ ଜୀବନରେ ଯୋଗ ଓ ପ୍ରାଣାୟାମ ହିଁ ଏକମାତ୍ର ମାଧ୍ୟମ ଯାହା ମଣିଷକୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖିପାରିବ।
-କାର୍ତ୍ତିକେଶ୍ବର କାଣ୍ଡି, ଆଇନଜୀବୀ
ଯୋଗ କଲେ ମନ ଭଲ ରହିବ
ମୁଁ ସବୁଦିନ ଯୋଗ କରେ। ସମସ୍ତଙ୍କୁ ଯୋଗ ଓ ଧ୍ୟାନ କରିବାକୁ କୁହେ। ଯୋଗ କଲେ ମନ ଭଲ ରହିବ। ସ୍ମରଣ ଶକ୍ତି ବଢ଼ିବ। ଦେହ ସୁସ୍ଥ ରହିବ।
-ତେଜସ୍ବିନୀ ରାଉଳ, ୪ର୍ଥ କ୍ଲାସ ଛାତ୍ରୀ
ଗୃହିଣୀମାନେ ମଧ୍ୟ ପ୍ରାଣାୟମ ଓ ଯୋଗ କରନ୍ତୁ
କେବଳ କର୍ମଜୀବୀମାନଙ୍କ ପାଇଁ ନୁହେଁ, ବରଂ ଯୋଗ ଗୃହିଣୀଙ୍କ ପାଇଁ ମଧ୍ୟ ଜରୁରୀ। ଗୃହିଣୀମାନଙ୍କ ମଧ୍ୟରେ ମେଦବହୁଳତା ଓ ମାନସିକ ଦୁଃଶ୍ଚିନ୍ତା ବୃଦ୍ଧି ପାଉଥିବାରୁ ଯୋଗ ଓ ପ୍ରାଣାୟାମ ଦ୍ବାରା ସେମାନେ ନିଜକୁ ସୁସ୍ଥ ରଖିପାରିବେ। ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ।
- ରୁକୁଣା ଦାସ, ବାଣୀବିହାର