‘ସମ୍ବାଦ’ ପକ୍ଷରୁ ପ୍ରଥମ ନାଇଟ୍‌ ସାଇକ୍ଲୋଥନ୍‌ ଆଉ ୧ ଦିନ : ଯୋଗଦେବେ ଅମିୟ ଓ ଗଣେଶ

ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ରାତ୍ରିକାଳୀନ ସାଇକ୍ଲୋଥନ୍‌ର ଅପୂର୍ବ ଅନୁଭବ ଦେବାକୁ ଯାଉଛି ‘ସମ୍ବାଦ’। ରବିବାର ରାତି ୯ଟାରେ ହେବାକୁ ଥିବା ଏହି ପ୍ରଥମ ‘ନାଇଟ୍‌ ସାଇକ୍ଲୋଥନ୍‌’କୁ ସ୍କୁଲ୍‌ କଲେଜର ଛାତ୍ରଛାତ୍ରୀଙ୍କ ସହିତ ସାଧାରଣ ଜନତା ଓ ଉଦୀୟମାନ କ୍ରୀଡ଼ାବିତ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ସ୍ପୋର୍ଟସ ସେଲିବ୍ରିଟିଙ୍କ ଯୋଗଦାନ ଏହାକୁ ଅଧିକ ଆକର୍ଷଣୀୟ କରିବ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତି, ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳଙ୍କ ପରେ ଦେଶର ଦ୍ରୁତତମ ଧାବକ ଅମିୟ ମଲ୍ଲିକ, ପୂର୍ବ ଭାରତର ପ୍ରଥମ ପୁରୁଷ ଏଭେରେଷ୍ଟ ବିଜେତା ଗଣେଶ ଚନ୍ଦ୍ର ଜେନା ଏଥିରେ ସାମିଲ ହେବାକୁ ସମ୍ମତି ଜଣାଇଛନ୍ତି। ସାଇକେଲ ଚଳାଇବା ଫଳରେ ଶରୀର ସୁସ୍ଥ ରହେ। ପ୍ରତ୍ୟେକ ମଣିଷ ଦୈନିକ ୧୦ କିଲୋମିଟର୍‌ ସାଇକେଲ୍‌ ଚଳାଇବା ଉଚିତ୍‌। ଏହା ପ୍ରଦୂଷଣକୁ ରୋକିବା ସହ ପ୍ରକୃତିର ସୌନ୍ଦର୍ଯ୍ୟ ବଢ଼ାଇବାରେ ସହାୟକ ହେବ ବୋଲି କହିଛନ୍ତି ଗଣେଶ। ଧାବକ ଅମିୟ ମଲ୍ଲିକଙ୍କ ମତରେ ସାଇକେଲ ଚାଳନା କଲେ ବ୍ୟକ୍ତିର ଶାରୀରିକ କ୍ଷମତା ବଢ଼େ ଏବଂ ସହର ପ୍ରଦୂଷଣମୁକ୍ତ ହୁଏ। ଗ୍ରିନ୍‌ ଓଡ଼ିଶାର ଅଭିଯାନରେ ଏହା ଏକ ଭଲ ଯୋଗଦାନ ରଖିପାରିବ ବୋଲି ଅମିୟ କହିଥିଲେ।

ଅନ୍ୟପକ୍ଷରେ ରବିବାରର ସାଇକ୍ଲୋଥନ୍‌ ରୁଟ୍‌ରେ ସାମାନ୍ୟ ପରିବର୍ତନ କରାଯାଇଛି। ଜନତା ମଇଦାନରେ ଏହା ରାତି ୧୦ରୁ ଆରମ୍ଭ ହୋଇ ପାଓ୍ଵାରହାଉସ୍‌ ଛକ ଦେଇ ପୁଣି ଜନତା ମଇଦାନରେ ଶେଷ ହେବ। ରବିବାର ରାତି ୯ଟାରୁ ପଞ୍ଜୀକରଣ ଆରମ୍ଭ ହେବ। ଏଥିରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ବ୍ୟକ୍ତି ମୋବାଇଲ୍‌ ନମ୍ବର ୯୧୭୮୬ ୧୧୯୯୬ ଏବଂ ୯୩୩୭୨ ୩୪୨୬୨ ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର