ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଓ ଏହାର କୁପ୍ରଭାବ ବର୍ତ୍ତମାନ ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ସାଜିଛି। ଦେଶର ବିକାଶରେ ଜୈବ ବିବିଧତା କିଭଳି ନଷ୍ଟ ନ ହୁଏ କେନ୍ଦ୍ର ସରକାର ସେଥିପାଇଁ ବହୁବିଧ ପଦକ୍ଷେପ ନେଉଛନ୍ତି। ବିକାଶମୂଳକ କାମ ପାଇଁ ଗଛଲତା ନକାଟି ସ୍ଥାନାନ୍ତର କରାଯିବା ସହିତ ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ପଦକ୍ଷେପ ନିଆଯିବ ବୋଲି ବକୁଳ ଫାଉଣ୍ଡେସନ୍‌ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ‘ଗିଫ୍ଟିଂ ପ୍ଲାଣ୍ଟସ୍‌ ଇନଷ୍ଟେଡ୍ ଅଫ୍ ବୁକେ’ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତ ବ୍ୟକ୍ତ କରିଛନ୍ତି। ଏଥି ସହିତ ବିଜେପିର ନିର୍ବାଚନୀ ଇସ୍ତାହାରରେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରାଯାଇଛି ବୋଲି  କହିଥିଲେ। ସମସ୍ତେ ଫୁଲତୋଡ଼ା ବଦଳରେ ଗଛ ଚାରା ଦେବା ଉଚିତ ବୋଲି ସେ କହିଥିଲେ। 
ଅନ୍ୟତମ ସମ୍ମାନିତ ଅତିଥି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ କହିଲେ, ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବକୁଳ ଏକ ସାଂସ୍କୃତିକ ବିପ୍ଳବ ଆଣିଛି। ଏହି ଅଭିଯାନରେ ଅନ୍ୟ ସଂସ୍ଥା, ସରକାର ଓ ସାଧାରଣ ଲୋକ ଯୋଗଦେଲେ ୨୦୩୬ ସୁଦ୍ଧା ରାଜ୍ୟ ସବୁଜିମା ଭରା ହୋଇଯିବ। ଏଥିସହିତ ସମ୍ବାଦ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ବେଶ୍ ଲୋକପ୍ରିୟ ହୋଇଛି। କ୍ଲାଇମେଟ ପଞ୍ଚାୟତ ଲୋକଙ୍କ ଚିନ୍ତାଧାରା ବଦଳାଇ ଦେଇଛି ବୋଲି ମନ୍ତ୍ରୀ ମତ ପ୍ରକାଶ କରିଥିଲେ। 

Advertisment

 ଅନ୍ୟତମ ସମ୍ମାନିତ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ, ସନାତନ ଧର୍ମରେ ଆମେ ବୃକ୍ଷକୁ ପୂଜା କରୁ। ବୃକ୍ଷରୁ ହିଁ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସୃଷ୍ଟି ହୁଏ। ତେଣୁ ଏହା ନକାଟି ଆମେ ଅଧିକରୁ ଅଧିକ ରୋପଣ କରିବା ଆବଶ୍ୟକ। ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଲେ, ‘ମାଇଁ ଟ୍ରି’ ଅଭିଯାନରେ ୧୫ ବର୍ଷ ଧରି ଆମେ ବିଭିନ୍ନ କାର୍ଯ୍ୟକ୍ରମ କରି ବୃକ୍ଷରୋପଣକୁ ପ୍ରୋତ୍ସାହିତ କରୁଛୁ। ପ୍ରତିବର୍ଷ ନୂଆବର୍ଷରେ ଶୁଭେଚ୍ଛା ବାର୍ତ୍ତାରେ ଲକ୍ଷ ଲକ୍ଷ ଫୁଲତୋଡ଼ା ପ୍ରଦାନ କରାଯାଉଛି। ଚଳିତ ବର୍ଷ ଏହା ପରିବର୍ତ୍ତେ ଗଛ ଦେବାକୁ ଆମେ ସରକାର ଓ ଗଣମାଧ୍ୟମ ଜରିଆରେ ସାଧାରଣ ଜନତାଙ୍କୁ ବାର୍ତ୍ତା ପ୍ରଦାନ କରୁଛୁ ବୋଲି ଶ୍ରୀ ମହାପାତ୍ର କହିଥିଲେ।