ଭୁବନେଶ୍ବର: ଏମ୍‌ସ୍‌ ଭୁବନେଶ୍ବରରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଛାତ୍ରଛାତ୍ରୀ ପଡ଼ୁଥିବା ବେଳେ ସମସ୍ତେ ଆଜି ଓଡ଼ିଆତ୍ବରେ ଝଲ୍‌ସିଥିଲେ। କାରଣ ସମସ୍ତଙ୍କର କନ୍‌ଭୋକେସନ୍‌ ଗାଉନ୍‌ରେ ସମ୍ବଲପୁରୀର ଛାପ ଥିଲା। ‌ଗାଢ଼ ଖଇରିଆ ରଙ୍ଗର ଗାଇନ୍‌ରେ ହଳଦିଆ, ଆକାଶିଆ, ନୀଳ ଓ ସବୁଜ ରଙ୍ଗର ଧଡ଼ି ବେକ ଓ କାନ୍ଧ ପାଖରେ ପଡ଼ିଥିଲା। ଏଥିସହ ଗାଉନ୍‌ର ତଳେ କୋଣାର୍କ ଚକ୍ରର ଧଡ଼ି ବସିଥିଲା। ଯାହାକି ଦୂରରୁ ବେଶ୍‌ ଆକର୍ଷଣୀୟ ଦିଶୁଥିବା ବେଳେ ଭିନ୍ନ ଭିନ୍ନ ରାଜ୍ୟ ନିର୍ବିଶେଷ‌ରେ ସମସ୍ତଙ୍କୁ ଗୋଟିଏ ପରମ୍ପରାର ଛତ୍ରଛାୟା ଭିତରକୁ ଟାଣି ଆଣିଥିଲା। 
ମାତୃଭାଷାର ମହତ ରଖ: ଆଉ ଯେତେ ଭାଷା ଶିଖୁଛ ଶିଖ, ନିଜ ମାତୃଭାଷା ମହତ ରଖ। ଆଜି ନିଜ ଅଭିଭାଷଣ ରଖିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମାରୋହରେ ଉପସ୍ଥିତ ସମସ୍ତଙ୍କୁ ପଚାରିଥିଲେ, ଆପଣମାନଙ୍କ ଭିତରୁ କେତେ ଜଣ ଅଣ ଓଡ଼ିଆ ଅଛନ୍ତି। ଓଡ଼ିଆ ସେମାନେ ବୁଝିପାରନ୍ତି ତ’? କହିପାରନ୍ତି ତ’? ମଞ୍ଚ ତଳୁ ସହମତିର ଉତ୍ତର ମିଳିବା ପରେ ରାଷ୍ଟ୍ରପତି ଓଡ଼ିଆରେ ନିଜ ଉଦ୍‌ବୋଧନ ଆରମ୍ଭ କରିଥିବା ବେଳେ କହିଥିଲେ, ପିଲାଦିନୁ ମତେ ଶିଖାଯାଇଛି, ‘ଆଉ ଯେତେ ଭାଷା ଶିଖୁଛ ଶିଖ, ନିଜ ମାତୃଭାଷା ମହତ ରଖ।’ ଏଣୁ ମୁଁ ମୋ ଭାଷା ଭାଇଁ ଗର୍ବିତ ଥିବା ବେଳେ ଏଠାରେ ଓଡ଼ିଆରେ ହିଁ ମୋ ବକ୍ତବ୍ୟ ରଖିବି।