‘ସାକ୍ଷାତ୍‍ ସମ୍ଭାର’ ଉନ୍ମୋଚିତ

ଭୁବନେଶ୍ୱର: ୧୦୬ ବର୍ଷୀୟ ମଞ୍ଚ କଳାକାର କାଶୀନାଥ ସାହୁ ବୁଧବାର ପୂର୍ବାହ୍ଣରେ ସାକ୍ଷାତକାର ସଂଳକନ ‘ସାକ୍ଷାତ୍‍ ସମ୍ଭାର’ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ ନିଜ ବାଲ୍ୟ ଓ ମଞ୍ଚ ଜୀବନର ସ୍ମୃତି ମନେପକାଇବା ସହ ଦୀର୍ଘ ୯୦ବର୍ଷ ତଳେ ସେ ଅଭିନୟ କରି ଲୋକପ୍ରିୟ ‘କୋଣାର୍କ’ ନାଟକରେ ଧର୍ମପଦ(ଧରମା) ଚରିତ୍ରର ସଂଳାପ କହି ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ। ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ପ୍ରସ୍ତୁତ ‘ସାକ୍ଷାତ୍‍ ସମ୍ଭାର’ରେ ଶ୍ରୀ ସାହୁଙ୍କ ଏକ ସାକ୍ଷାତକାର ସ୍ଥାନିତ ହୋଇଛି। ପିପିଲିଠାରେ ନିଜ ବାସଭବନ ପରିସରରେ ସେ ଏହି ପୁସ୍ତକକୁ ଉନ୍ମୋଚନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟ ସାଧକ ତଥା ପୂର୍ବତନ ମନ୍ତ୍ରୀ ଶେଖ ମତଲୁବ୍‍ ଅଲି, ବିଶିଷ୍ଟ ଶିଶୁ-ସାହିତ୍ୟ ସ୍ରଷ୍ଟା ବୀରେନ୍ଦ୍ର ସାମନ୍ତରାୟ, ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି, ସାହିତ୍ୟ ସମାଲୋଚକ ଡ. ପ୍ରଦୀପ୍ତ ପଣ୍ଡା ଓ ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ସାକ୍ଷାତ୍‍କାରର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ। ଶିଶୁ ସାହିତ୍ୟ ସ୍ରଷ୍ଟା ନୀଳମଣି ଚାନ୍ଦ, ପ୍ରମୋଦ ପରିଡ଼ା, ଅନୁବାଦକ ଇଂ. ଦୁଃଶାସନ ବାରିକ୍‍, ୟାସଦ୍‍ ଆସିନ୍‍, ଦେବେନ୍ଦ୍ର ସାହୁ, ରାଜକିଶୋର ସ୍ୱାଇଁ ମଧ୍ୟ ଉନ୍ମୋଚିତ ପୁସ୍ତକ ଓ ସାଧକ କାଶୀନାଥ ସାହୁଙ୍କ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିପିଲି ସାଂସ୍କୃତିକ ପରିଷଦର ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ବରେନ୍ଦ୍ର ସେଠୀ, ଜଗତଜ୍ୟୋତି ସାମନ୍ତରାୟ, ରବିଶଙ୍କର ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ଦୁର୍ଗାଚରଣ ନାୟକ, ଧର୍ମାନନ୍ଦ ସ୍ୱାଇଁ, ଆଦ୍ୟଶଙ୍କର ସାହୁ ଉପସ୍ଥିତ ଥିଲେ। ଏହି ଅବସରରେ କାଶୀନାଥ ସାହୁ, ବୀରେନ୍ଦ୍ର ସାମନ୍ତରାୟ ଓ ସ୍ୱରାଜ ମିଶ୍ରଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଡ. ଚାନ୍ଦ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଉତ୍ସବ ପରିଚାଳନା କରିଥିଲେ ଆଶିଷ କୁମାର ସାହୁ। ଧନ୍ୟବାଦ ପ୍ରଦାନ କରିଥିଲେ ଓଡ଼ିଶା ବୁକ୍‍ ଏମ୍ପୋରିୟମ୍‍ର ସତ୍ତ୍ବାଧିକାରୀ ଶିବାଶିଷ କର ।

ସମ୍ବନ୍ଧିତ ଖବର