ଭୁବନେଶ୍ବର: ‘ସଂଭାବନା’ ପକ୍ଷରୁ ଏକାମ୍ର ହାଟ ମୁକ୍ତ ମଞ୍ଚରେ ‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା’ ଉତ୍କଳ ଦିବସଠାରୁ ଆରମ୍ଭ ହେବ। ଏହି ପ୍ରତିଯୋଗିତା ଏପ୍ରିଲ ୧୪ ତାରିଖ ପଣା ସଂକ୍ରାନ୍ତି ଯାଏ ଚାଲିବ। ଏଥିପାଇଁ ମାର୍ଚ୍ଚ ୧ ତାରିଖରୁ ଏକାମ୍ର ହାଟର ହୋଟେଲ ସୌକିନଠାରେ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ଆସନ୍ତା ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସଂଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ ବୋଲି ସୂଚନା ଦିଆଯାଇଛି। ଝୋଟି, ପିଠା, ଶଙ୍ଖଫୁଙ୍କା, ଢଗଢ଼ମାଳି, ପାରମ୍ପରିକ ସଂଗୀତ, ପାନଭଙ୍ଗା, ପୁରାଣ ଆବୃତ୍ତି, ମୁରୁଜ, ହୁଳହୁଳି, ଓଡ଼ିଆ ଭାଷାଜ୍ଞାନ, ଦଳଗତ ଆଲୋଚନା ଓ ଓଡ଼ିଆଣୀ ବେଶଭୂଷା ଆଦିକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୨୧ବର୍ଷରୁ ଊର୍ଧ୍ବ ଓଡ଼ିଆଣୀ (ବିବାହିତ/ଅବିବାହିତ)ମାନେ ଭାଗ ନେଇପାରିବେ। ଆଜି ‘ସଂଭାବନା’ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।
ଏହାବ୍ୟତୀତ ‘ଶିଶୁ-କିଶୋର ଓଡ଼ିଆ ସ୍ୱାଭିମାନ ପ୍ରତିଯୋଗିତା’ ମଧ୍ୟ ଆୟୋଜିତ ହେବ। ୫ରୁ ୧୦, ୧୧ରୁ ୧୭ ବର୍ଷର ଶିଶୁ-କିଶୋରଙ୍କ ପାଇଁ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ମଧ୍ୟରେ ରହିଛି ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ, ହସ୍ତାକ୍ଷର, ଶ୍ରୁତଲିଖନ, ଓଡ଼ିଶୀ, ଲଘୁନୃତ୍ୟ, ସୁଗମ ସଂଗୀତ, ଆବୃତ୍ତି ଓ କୌତୁକ ପୋଷାକ ଆଦି ପ୍ରତିଯୋଗିତା। ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ଉଦ୍ଦିଷ୍ଟ ଏହି ଆନ୍ଦୋଳନକୁ ଆଗେଇ ନେବା ପାଇଁ ସଂଭାବନାର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଦର୍ଶନ ଦାସ, ପରିଚାଳନା ଟ୍ରଷ୍ଟି ଓ ସଂପାଦକ ଦେବପ୍ରସାଦ ପରିଜା, ଟ୍ରଷ୍ଟି ସ୍ମୃତି ମହାନ୍ତି, ଓଡ଼ିଆଣୀ ସମିତିର ସଭାନେତ୍ରୀ ସୌଦାମିନୀ ସାମଲ ପ୍ରମୁଖ ଅନୁରୋଧ କରିଛନ୍ତି। ଅଧିକ ଯୋଗାଯୋଗ ପାଇଁ ମୋ: ୯୪୩୭୧୬୪୪୬୧ରେ ଯୋଗାଯୋଗ କରିବାକୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ମୀନା ପାଣିଗ୍ରାହୀ, ପଦ୍ମାଳୟା ଶତପଥୀ, ସଂଧ୍ୟା ରଥ ଓ ଜ୍ୟୋତ୍ସ୍ନା ମିଶ୍ରଙ୍କ ସମେତ ବହୁ ଓଡ଼ିଆଣୀ ଉପସ୍ଥିତ ଥିଲେ।