ସମାନ ନମ୍ବରରେ ଚାଲିଥିଲା ଦୁଇଟି ବଲେରୋ, ଗାଡ଼ି ଜବତ କଲା ପୁଲିସ

ଭୁବନେଶ୍ବର: ଗାଡ଼ିର ରଙ୍ଗ ସମାନ। ଗାଡ଼ିରେ ଷ୍ଟିକରିଂ ମଧ୍ୟ ସମାନ। ଉଭୟ ଗାଡ଼ି ଆଗରେ ଲେଖା ହୋଇଛି ନାଲି ଷ୍ଟିକରରେ ସୁବର୍ଣ୍ଣମୁଖୀ। ଏପରିକି ଗାଡ଼ିର ହଳଦିଆ ନମ୍ବର ପ୍ଲେଟ୍‌ରେ (ଓଡି୩୪ଇ-୫୫୭୮)ମଧ୍ୟ ଲେଖା ‌ହୋଇଥିଲା। ଏକା ନମ୍ବର ଥିବା ‌ଦୁଇଟି ‌ବଲେରୋ ଗାଡ଼ି ଭଡ଼ାରେ ଲାଗିଥିଲା ପୂର୍ବତଟ ରେଳବାଇ କାର୍ଯ୍ୟାଳୟରେ। ଫଳରେ ପ୍ରତି ମାସ ପରେ ଭଡ଼ା ବାବଦକୁ ରେଳବାଇ କାର୍ଯ୍ୟାଳୟରୁ ହଜାର ହଜାର ଟଙ୍କା ଆଦାୟ କରୁଥିଲେ ଗାଡ଼ି ମାଲିକ କୃଷ୍ଣଚନ୍ଦ୍ର ବାରିକ।

‌ରେଳବାଇ କର୍ତ୍ତୃପକ୍ଷ ମଧ୍ୟ ଠଉରାଇ ପାରୁନଥିଲେ ୨ଟି ଗାଡ଼ିରେ ସମାନ ନମ୍ବର ଆସିଲା କେଉଁଠାରୁ। ଆଜି ସେହି ସମାନ ନମ୍ବର ଲେଖାଥିବା ଦୁଇଟି ଗାଡ଼ିକୁ ଜବତ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଏନେଇ ଗାଡ଼ି ଚାଳକ ସମେତ ଗାଡ଼ି ମାଲିକଙ୍କୁ ମଧ୍ୟ ପୁଲିସ ଥାନାରେ ଅଟକ ରଖିଛି। ଘଟଣା ଅନୁଯାୟୀ, ପୂର୍ବତଟ ରେଲୱେରେ ଭଡ଼ା ଲାଗିଥିବା ଏହି ଦୁଇଟି ଗାଡ଼ିର କିଛି କିସ୍ତି ଟଙ୍କା ବ୍ୟାଙ୍କରେ ପଇଠ କରିବାର ଥିଲା। ବାରମ୍ବାର ବ୍ୟାଙ୍କ କର୍ମଚାରୀ ଗାଡ଼ି ମାଲିକଙ୍କୁ ଯୋଗାଯୋଗ କରି ନିରାଶ ହେବା ପରେ ଗାଡ଼ି ଜବତ କରିବା ପାଇଁ ‌‌ଚେଷ୍ଟା କରିଥିଲେ। ଏମିତି ବେଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗୋଟିଏ ଗାଡ଼ିକୁ ଦେଖି ସେମାନେ ପିଛା କରୁଥିବା ବେଳେ ଆଉ କିଛି ସମୟ ପରେ ସମାନ ନମ୍ବର ଥିବା ଆଉ ଏକ ଗାଡ଼ିକୁ ଦେଖିଥିଲେ ବ୍ୟାଙ୍କ କର୍ମଚାରୀ। ହେଲେ ଦୁଇଟି ଗାଡ଼ି‌ର ପଛ ପାଖ କାଚରେ ଥିଲା ଦୁଇଟି ଅଲଗା ଅଲଗା ଠାକୁରଙ୍କ ଫଟୋ। ଗୋଟିଏରେ ହନୁମାନ ଓ ଅନ୍ୟଟିରେ ଜଗନ୍ନାଥ। ଯାହାକୁ ନେଇ ଦୁଇଟି ଗାଡ଼ିକୁ ଖୁବ୍ ସହଜରେ ଚିହ୍ନି ହେଉଥିଲା। ଗାଡ଼ି ଦୁଇଟିକୁ ରେଳ କାର୍ଯ୍ୟାଳୟ ନିକଟରେ ଅଟକ ରଖି ବ୍ୟାଙ୍କ କର୍ମଚାରୀ ପୁଲିସ୍‌କୁ ସୂଚନା ଦେଇଥିଲେ। ଫଳରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରିଥିଲା।
ଏପରି ଘଟଣା କିଛି ନୂଆ ନୁହେଁ, ବରଂ କଛି ମାସ ପୂର୍ବରୁ ସମାନ ନମ୍ବର ଥିବା ଦୁଇଟି ଅଟୋକୁ ମଧ୍ୟ କମିସନରେଟ୍ ପୁଲିସ୍ ଜବତ କରିଥିଲା। ଟ୍ରାଫିକ୍ ନିୟମ କଡ଼ା କଡ଼ି କଲେ ମଧ୍ୟ ଗାଡ଼ି ଭଡ଼ା ଲଗାଇ ବ୍ୟବସାୟ କରୁଥିବା ଗାଡ଼ି ମାଲିକ ବ୍ୟାଙ୍କ ଓ ପୁଲିସ୍‌କୁ ଭୂଆଁ ବୁଲାଇ ଏପରି ଅନେକ କାରନାମା କରୁଛନ୍ତି। ତଦନ୍ତ କରାଗଲେ ଏପରି ଅନେକ ଭଡ଼ା ଗାଡ଼ି ସମାନ ନମ୍ବରରେ ଚାଲୁଥିବା ଲୋକଲୋଚନକୁ ଆସିବ।

ସମ୍ବନ୍ଧିତ ଖବର