ଭଙ୍ଗା ଆଣ୍ଠୁରେ ୨୦୧୫ ବିଶ୍ବକପ୍‌ ଖେଳିଥିଲେ ସାମି

ନୂଆଦିଲ୍ଲୀ: ୨୦୧୫ ବିଶ୍ବକପ୍‌ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ୭ ମ୍ୟାଚ୍‌ ଖେଳି ୧୭ ୱିକେଟ୍‌ ନେଇଥିଲେ। ସର୍ବାଧିକ ୱିକେଟ୍‌ ନେବାରେ ଭାରତୀୟ ବୋଲରଙ୍କ ମଧ୍ୟରେ ସେ ଦ୍ବିତୀୟ ସ୍ଥାନରେ ଥିଲେ। କେବଳ ତାଙ୍କ ଆଗରେ ଉମେଶ ଯାଦବ ଗୋଟିଏ ମ୍ୟାଚ୍‌ ଅଧିକ ଖେଳି ୧୮ ୱିକେଟ୍‌ ନେଇଥିଲେ। ଗୁରୁବାର ସାମି ୨୦୧୫ ବିଶ୍ବକପ୍‌ର ତାଙ୍କର ଏହି ସ୍ମୃତିକୁ ମନେପକାଇ କହିଛନ୍ତି ଯେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ବେଳେ ମୋର ଆଣ୍ଠୁରେ ଆଘାତ ଲାଗିଥିଲା। ମ୍ୟାଚ୍‌ ‌ପରେ ମୁଁ ଚାଲି ପାରିଲିନି। କିନ୍ତୁ ପୂରା ବିଶ୍ବକପ୍‌ ଏହି ଭଙ୍ଗା ଆଣ୍ଠୁରେ ଖେଳିଥିଲି। ଏହା କେବଳ ନିତିନ ପଟେଲଙ୍କ ବଢ଼ାଇଥିବା ଆତ୍ମବିଶ୍ବାସ ପାଇଁ ସମ୍ଭବ ହୋଇଥିଲା।

ପ୍ରଥମ ମ୍ୟାଚ୍‌ରେ ଆଣ୍ଠୁ ଭାଙ୍ଗିଗଲା। ମୋର ଜଙ୍ଘ ଆଉ ଗୋଟିଏ ଆକାରର ହୋଇଯାଇଥିଲା। ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଡାକ୍ତରମାନେ ସେହି ଭଙ୍ଗା ସ୍ଥାନରେ ‌ପ୍ରତିଦିନ ଲେପ ଦେଉଥିଲେ ଏବଂ ଦିନକୁ ୩ଟା ଯନ୍ତ୍ରଣାଉପଶମ ଔଷଧ ଖାଉଥିଲି ବୋଲି ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଇର୍ଫାନ ପଠାନଙ୍କ ସହ କଥା ହେଲା ବେଳେ ସାମି କହିଛନ୍ତି। ସେତେବେଳର ଅଧିନାୟକ ମହେନ୍ଦ୍ର ‌ସିଂହ ଧୋନିଙ୍କ ଅବଦାନଙ୍କୁ ମଧ୍ୟ ସେ ଭୁଲି ନାହାନ୍ତି। ଯନ୍ତ୍ରଣା ସ୍ବତ୍ତ୍ବେ ଧୋନି ମୋତେ ଖେଳିବାକୁ କହିଥିଲେ। ବିଶେଷ କରି ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ଅ‌ଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍‌ରେ ମୁଁ ଖେଳିପାରିବିନି ବୋଲି କହିଥି‌ଲି। ହେଲେ ମାହି ଭାଇ ଓ ଦଳୀୟ ଅଧିକାରୀମାନେ ମୋ ଉପରେ ବିଶ୍ବାସ ରଖିଥିଲେ। ଖେଳିବା ଲାଗି ମୋତେ ଆତ୍ମବିଶ୍ବାସ ଦେଇଥିଲେ। ପ୍ରଥମ ଓଭରରେ ୧୩ ରନ୍ ଦେବାପରେ ମାହି ଭାଇଙ୍କୁ କହିଥିଲି ଆଉ ବୋଲିଂ କରିପାରିବିନି। ସେ ମୋତେ କହିଥିଲେ, ପାର୍ଟ ଟାଇମ୍‌ ବୋଲରଙ୍କୁ ବୋଲିଂ ଦେବି ନାହିଁ ତୁମେ ୬୦ରୁ ଅଧିକ ରନ୍‌ ଦିଅ ନାହିଁ। ଏଭଳି ଅବସ୍ଥାରେ ମୁଁ କେବେ ନଥିଲି। ଏହାକୁ ଦେଖି ମୋର କ୍ରିକେଟ୍‌ ଜୀବନ ସରିଗଲା କେତେଜଣ କହିଥିଲେ। କିନ୍ତୁ ମୁଁ ଏବେ ବି ଦଳରେ ଅଛି ବୋଲି ସାମି କହିଛନ୍ତି। କ୍ରିକେଟ୍‌ରେ ମୋର ପ୍ରିୟ ହେଉଛି ଟେଷ୍ଟ୍‌ ମ୍ୟାଚ୍‌। ହେଲେ ମନୋରଂଜନ ପାଇଁ ଟ୍ବେଣ୍ଟି-୨୦ ପ୍ରିୟ ବୋଲି ପାଠାନଙ୍କୁ ଏହି ଚାଟ୍‌ରେ ସାମି କହିଛନ୍ତି। ଋଷବ ପନ୍ତଙ୍କ ନିକଟରେ ଚମତ୍କାର ପ୍ରତିଭା ରହିଛି। ତାଙ୍କର ଆତ୍ମବିଶ୍ବାସ ରହୁନି। ଯେଉଁଦିନ ଆତ୍ମବିଶ୍ବାସ ପାଇଯି‌େବ, ସେ ଅତ୍ୟନ୍ତ ବିପଜ୍ଜନକ ହେବେ ବୋଲି ସାମି କହିଛନ୍ତି। ଶେଷଥର ଲାଗି ଏହି ଡାହାଣହାତୀ ଦ୍ରୁତ ବୋଲର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଖେଳିଥିଲେ। ଭାରତ ଦୁଇ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାକୁ ମୂଳପୋଛ କରିଥିଲା ବେଳେ ସାମି ୫ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର