କ୍ୟାପିଟାଲ ହସ୍ପିଟାଲରେ ନମୁନା ସଂଗ୍ରହ ୩୦ % କମିଲା!

ପୂର୍ବାପେକ୍ଷା କମ୍ ଲୋକ ପରୀକ୍ଷା ପାଇଁ ଆସୁଛନ୍ତି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ କୋଭିଡ୍‌ ନମୁନା ପରୀକ୍ଷା ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟନ୍ତ କମି ଯାଇଛି। ରାଜଧାନୀରେ ଧୀରେ ଧୀରେ ସଂକ୍ରମଣ ଖସୁଥିବା ବେଳେ ନମୁନା ପରୀକ୍ଷା କରିବା ପାଇଁ କମ୍ ସଂଖ୍ୟକ ଲୋକ ଆସୁଛନ୍ତି। ହସ୍ପିଟାଲରେ ଆଉ ପୂର୍ବାପେକ୍ଷା ଗହଳି ଜମୁନି। କେବଳ ନମୁନା ସଂଗ୍ରହ କେନ୍ଦ୍ର ନୁହେଁ, ଆଶୁ ଚିକିତ୍ସା କେନ୍ଦ୍ରରେ ମଧ୍ୟ କମ୍ ସଂଖ୍ୟକ ଲୋକଙ୍କ ପରୀକ୍ଷା ହେଉଥିବା ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସା‌ରେ, ପୂର୍ବରୁ ଦୈନିକ ୫ଶହରୁ ଅଧିକ ନମୁନା ସଂଗ୍ରହ ହେଉଥିବା ବେଳେ ଏବେ ଏଥିରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ଭୁବନେଶ୍ବରରେ ଦିନକୁ ଦିନ ସଂକ୍ରମଣ ହ୍ରାସ ପାଉଥିବା ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ହସ୍ପିଟାଲର ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ। ଡା. ସାହୁ କହିଛନ୍ତି ଯେ କେବଳ ନମୁନା ସଂଗ୍ରହ କେନ୍ଦ୍ର ‌ନୁ‌ହେଁ, ଆଶୁ ଚିକିତ୍ସା କେନ୍ଦ୍ରକୁ ଆସୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କମିଛି। ପୂର୍ବରୁ ବହୁ ସଂଖ୍ୟାରେ ଲୋକ ଆଶୁ ଚିକିତ୍ସା କେନ୍ଦ୍ର କିମ୍ବା ହସ୍ପିଟାଲରେ ଆଡମିସନ୍ ସମୟରେ ଚିହ୍ନଟ ହେଉଥିଲେ। ଏପରିକି ଦିନକୁ ୨୫-୩୦ ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପଡ଼ୁଥିଲା। ମାତ୍ର ଏବେ ତାହା ୫/୬କୁ ଖସି ଆସିଛି। ରାଜଧାନୀରେ ଏବେ ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇଛି। ଫଳରେ ହସ୍ପିଟାଲର ଅନ୍ୟ ଉନ୍ନତିମୂଳକ କାର୍ଯ୍ୟକୁ ଗୁରୁତ୍ବ ଦିଆଯାଇ ପାରିବ ବୋଲି ସେ କହିଛନ୍ତି।

ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଏବେ ଟ୍ରୁନାଟ ମେସିନ୍‌ ଶତ ପ୍ରତିଶତ କାର୍ଯ୍ୟକ୍ଷମ ହୋଇନାହିଁ। କିଟ୍‌ ଅଭାବରୁ ବେଶ୍‌ କିଛି ଦିନ ପର୍ଯ୍ୟନ୍ତ ଏହା ବନ୍ଦ ରହିବା ପରେ ହସ୍ପିଟାଲ କର୍ତୃପକ୍ଷ କିଟ୍‌ ଯୋଗାଇଦେବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ। ଏବେ ୧ ହଜାର କିଟ୍‌ ଆସିଛି। ମାତ୍ର ଏଥିରେ କେବଳ ନେଗେଟିଭ୍ ସଂପର୍କରେ ସୂଚନା ମିଳିପାରିବ। ପଜିଟିଭ୍ ରିପୋର୍ଟ ପାଇଁ ଯେଉଁ ଡବଲ କନଫରମେସନ୍‌ ପରୀକ୍ଷାର ଆବଶ୍ୟକତା ରହିଛି, ତାହାର କିଟ୍‌ ଏ ପର୍ଯ୍ୟନ୍ତ ମିଳିନାହିଁ। କିଟ୍‌ର ଅଭାବ କିମ୍ବା ବେଶି ଆବଶ୍ୟକତା ଥିବା ଅନ୍ୟ ସ୍ଥାନକୁ ଏହାକୁ ପଠା ଯାଉଥାଇପାରେ ‌ବୋଲି ଆଶଙ୍କା କରାଯାଉଛି। ତେବେ ଯେଉଁମାନଙ୍କର କରୋନା ଲକ୍ଷଣ ରହିଛି ଓ ଟ୍ରୁନାଟ୍‌ ପରୀକ୍ଷାରେ ରିପୋର୍ଟ ନେଗେଟିଭ୍ ଆସିଛି, ସେମାନଙ୍କର ପୁନର୍ବାର ଆରଟି-ପିସିଆର ପରୀକ୍ଷା କରାଯାଉଛି ବୋଲି ଡା. ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର