ଏମ୍ସ ବିଦ୍ୟାର୍ଥୀଙ୍କ ନମୁନା ସର୍ଭେ: କରୋନା ଯୋଗୁଁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ପାଇନାହାନ୍ତି ଶିଶୁ ଓ ମହିଳା

୨୮.୭% ଲୋକ ରାସନ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି
ସାମାଜିକ ଦୂରତ୍ବ ରଖି ଅଙ୍ଗନବାଡ଼ି କର୍ମୀ ନିର୍ବାହ କରିଛନ୍ତି କର୍ତ୍ତବ୍ୟ

ଭୁବନେଶ୍ବର : ଲକ୍‌ଡାଉନ୍‌ ଏବଂ କରୋନା ଯୋଗୁଁ ଉପଯୁକ୍ତ ଭାବରେ ପୁଷ୍ଟିକର ଖାଦ୍ୟ ପାଇ ନାହାନ୍ତି ଶିଶୁ ଏବଂ ମହିଳା। ପବ୍ଲିକ୍‌ ହେଲ୍ଥ ନ୍ୟୁଟ୍ରିସନ ଫେଲୋସିପ୍‌ ଅନ୍ତର୍ଗତ ଏମ୍ସର ଜଣେ ବିଦ୍ୟାର୍ଥୀ କରିଥିବା ସର୍ବେକ୍ଷଣରୁ ଏହି ରିପୋର୍ଟ ପ୍ରକାଶିତ ହୋଇଛି। ଏଥିପାଇଁ ଆୟ ହ୍ରାସ ପାଇବା ମୁଖ୍ୟ କାରଣ ବୋଲି କୁହାଯାଇଛି। ଲକ୍‌ଡାଉନ୍ ସମୟରେ ରାଜ୍ୟ ସରକାରଙ୍କ ପୁଷ୍ଟିକର ଖାଦ୍ୟ ବିତରଣ କାର୍ଯ୍ୟକ୍ରମ କିଭଳି ଚାଲିଥିଲା; ଏହାକୁ ନେଇ ଏମ୍ସର ଏହି ଗବେଷକ ନୂଆପଲ୍ଲୀର ୪ଟି ଓ୍ବାର୍ଡର ୨୦୦ ଲୋକଙ୍କୁ ନେଇ ନମୁନା ସର୍ଭେ କରିଥିଲେ। ଏଥିରୁ ମିଳିଥିବା ତଥ୍ୟ ଅନୁଯାୟୀ ଲକ୍‌ଡାଉନ୍‌ରେ ୨୮.୭ ପ୍ରତିଶତ ଲୋକ ରାସନ୍‌ ପାଇବାରୁ ବଞ୍ଚିତ ହୋଇଥିଲେ। ୮୦ ପ୍ରତିଶତ ମାସର ପ୍ରଥମ ତାରିଖ ସୁଦ୍ଧା ରାସନ୍‌ ପାଉଥିଲେ। ଅନ୍ୟମାନେ ପରେ ପାଉଥିଲେ। ୬୭ ପ୍ରତିଶତ ଲୋକ ସବୁ ସପ୍ତାହରେ ଅଣ୍ଡା ପାଉଥିବାବେଳେ ୭୦ ପ୍ରତିଶତ ସୋୟାବଡ଼ି ପାଉଥିଲେ।

ଅନ୍ୟପକ୍ଷରେ କରୋନା ଏବଂ ଲକ୍‌ଡାଉନ୍‌ରେ ଅଧିକାଂଶ ଅଙ୍ଗନବାଡ଼ି କର୍ମୀ ସେମାନଙ୍କ କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ କରିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତୀୟ ସର୍ଭେରୁ ଜଣାପଡ଼ିଛି ଯେ ୮୯ ପ୍ରତିଶତ ଅଙ୍ଗନବାଡ଼ି କର୍ମୀ ରାସନ୍‌ ସାମଗ୍ରୀ କିମ୍ବା ପିଲାଙ୍କ ପୁଷ୍ଟିକର ଖାଦ୍ୟ ପ୍ରଦାନ ବେଳେ ଗ୍ଲୋବ୍ସ ପିନ୍ଧୁଥିଲେ ଏବଂ ୯୦ ପ୍ରତିଶତ ସାମାଜିକ ଦୂରତ୍ବ ଅବଲମ୍ବନ କରି ଖାଦ୍ୟ ପ୍ରଦାନ କରୁଥିଲେ। ତେବେ ୪୪ ପ୍ରତିଶତ କାର୍ଯ୍ୟ ବେଳେ ସୁରକ୍ଷିତ ଲାଗୁନଥିବା ଏବଂ ୩୮ ପ୍ରତିଶତ କରୋନାରୁ ରକ୍ଷା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିପାରୁନଥିବା କହିଥିଲେ। ୧୮ ପ୍ରତିଶତ ଅଙ୍ଗନବାଡ଼ି କର୍ମୀ କରୋନା ଯୋଗୁଁ ମୂଳ କାର୍ଯ୍ୟ ପ୍ରଭାବିତ ହେଉଥିବା ଜଣାଇଥିବାବେଳେ ଚାପ ସତ୍ତ୍ବେ ୫୭ ପ୍ରତିଶତ ନିଜ କାର୍ଯ୍ୟରେ ଖୁସି ଥିବା କହିଥିଲେ।

ସମ୍ବନ୍ଧିତ ଖବର