ସାମପୁର ଓ ଚନ୍ଦ୍ରଶେଖରପୁରରେ ହେବ ୨୦୦ ଶଯ୍ୟା ବିଶିଷ୍ଟ ଘର

ନିର୍ମାଣ ଶ୍ରମିକଙ୍କୁ ଭଡ଼ାରେ ମିଳିବ ଘର

ଭୁବନେଶ୍ୱର: ରାଜଧାନୀର ନିର୍ମାଣ ଶ୍ରମିକଙ୍କ ପାଇଁ ୟୁନିଟ୍‌ ୩ରେ ଭଡ଼ାଘର ଯୋଗାଇବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏବେ ଚନ୍ଦ୍ରଶେଖରପୁର ଓ ସାମପୁରରେ ଭଡ଼ା ଘର ଯୋଗାଇବା ପାଇଁ ବିଡିଏ ପକ୍ଷରୁ ଟେଣ୍ଡର୍‌ ଆହ୍ଵାନ ହୋଇଛି।

ଚନ୍ଦ୍ରଶେଖରପୁର ଏବଂ ସାମପୁରରେ ୧୦୦ଟି ଲେଖାଏ ଶଯ୍ୟା ବିଶିଷ୍ଟ ଗୃହ ନିର୍ମାଣ ହେଉଥିବାବେଳେ ଏହାକୁ ୨୦୧୯ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଯୋଜନା ହୋଇଛି। ସାମପୁର ପ୍ରକଳ୍ପ ପାଇଁ ୨କୋଟି ୨୭ଲକ୍ଷ ୫୫ହଜାର ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଚନ୍ଦ୍ରଶେଖର ପ୍ରକଳ୍ପ ପାଇଁ ୨କୋଟି ୨୫ଲକ୍ଷ ୮୦ହଜାର ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି। ଏଠାରେ ନିର୍ମାଣ ଶ୍ରମିକମାନେ ସ୍ୱଳ୍ପ ଦେୟ ଦେଇ ଘର ଭଡ଼ାରେ ନେଇପାରିବେ। ସେମାନଙ୍କୁ ସୁବିଧାରେ ପାଣି ଓ ବିଦ୍ୟୁତ ଯୋଗାଇ ଦିଆଯିବ। ଏହା ନିକଟରେ ଆହାର କେନ୍ଦ୍ର କରିବାକୁ ଯୋଜନା ହୋଇଛି। ନିର୍ମାଣ ଶ୍ରମିକମାନେ ଯେପରି ସ୍ୱାସ୍ଥ୍ୟକର ପରିବେଶ ଏବଂ ସୁବିଧାରେ ରହିପାରିବେ ସେଥିପାଇଁ ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଏହି ଯୋଜନା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର