ଆସିଲା ସମ୍ରାଟର ଏକ୍ସ-ରେ’ ରିପୋର୍ଟ: ଆର୍ଥ୍ରାଇଟିସ୍‌ରେ ଆକ୍ରାନ୍ତ, ଘୋରି ହୋଇଛି ହାଡ଼

ସ୍ଥାନାନ୍ତର କରି ଚିକିତ୍ସା କରିବାକୁ ପରାମର୍ଶ

ବାରଙ୍ଗ: ଦୀର୍ଘ ୨ ମାସ ଧରି ଛୋଟେଇ ଚାଲୁଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ମହାବଳ ବାଘ ‘ସମ୍ରାଟ’ର ରୋଗ ଚିହ୍ନଟ ହୋଇଛି। ସେ ଆର୍ଥ୍ରାଇଟିସ୍‌ରେ ଆକ୍ରାନ୍ତ। ତା’ର ବାମ ଅଣ୍ଟା ପାଖ ଖଞ୍ଜାର ଅସ୍ଥି ଘୋରି ହୋଇଯାଇଛି। ସେହିପରି ବୟସ ତୁଳନାରେ ଶରୀରର ଓଜନ ମଧ୍ୟ ଅଧିକ ରହିଛି। ତେଣୁ ସେ ଛୋଟେଇ ଚାଲୁଛି। କିଛି ଦିନ ତଳେ କରାଯାଇଥିବା ‘ସମ୍ରାଟ’ର ଏକ୍ସ-ରେ’ ରିପୋର୍ଟ ଆଜି ନନ୍ଦନକାନନରେ ପହଞ୍ଚିବା ପରେ ଏହି ତଥ୍ୟ ପଦାକୁ ଆସିଛି। ଓୟୁଏଟି ପ୍ରାଣୀ ବିଭାଗର ଅସ୍ଥି ଓ ଶଲ୍ୟ ବିଭାଗର ପ୍ରଫେସର୍‌ ଡ. ଇନ୍ଦ୍ରମଣି ନାଥ ଏ ସଂପର୍କରେ ନନ୍ଦନକାନନକୁ ଲିଖିତ ସୂଚନା ଦେଇଛନ୍ତି। ସମ୍ରାଟର ଓଜନ କମାଇବା ଓ ସେ ଯେପରି ଅଧିକ ଚଲାବୁଲା ନ କରେ ତଥା ଉଠାଣି ଓ ଗଡ଼ାଣିରେ ଯିବା ଆସିବା ନ କରେ, ସେଥିଲାଗି ଯତ୍ନବାନ୍ ହେବାକୁ ଡା. ନାଥ ପରାମର୍ଶ ଦେଇଛନ୍ତି। ରିପୋର୍ଟ ମିଳିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମ୍ରାଟକୁ ଏବେ ବଡ଼ ଖୁଆଡ଼ରୁ ଆଉ ଏକ ସମତଳ ଛୋଟ ଖୁଆଡ଼କୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି। ସେଠାରେ ତା’ର ସ୍ବତନ୍ତ୍ର ଯତ୍ନ ନିଆଯିବା ସହ ସୂଚାରୁରୂପେ ଚିକିତ୍ସା କରାଯାଇପାରିବ।

ଉଲ୍ଲେଖଯୋଗ୍ୟ, ୮ବର୍ଷ ୩ ମାସର ଏହି ମହାବଳ ବାଘ ୨୦୧୦ ମାର୍ଚ୍ଚ ୧ ତାରିଖରେ ନାଲି ମହାବଳ ନିଶାନ ଓ ଧଳା ବାଘୁଣୀ କୁସୁମ ମିଳନରୁ ଜନ୍ମଲାଭ କରିଥିଲା। ସେ ଦୁଇ ମାସ ହେବ ଛୋଟେଇ ଚାଲୁଥିଲା। ରୋଗ ଚିହ୍ନଟ ପାଇଁ ଗତ ୨୬ତାରିଖରେ ତା’ର ଏକ୍ସ-ରେ’ କରାଯାଇଥିଲା।

ସମ୍ବନ୍ଧିତ ଖବର