କବିତା ରୂପରେ ଭାଷା ଆନ୍ଦୋଳନର ଜୟଯାତ୍ରା

‘ସମୁଦ୍ର ବିଜୟ’ ଲୋକାର୍ପିତ

ଭୁବନେଶ୍ୱର: ଭାଷା ପାଇଁ ଆମରଣ ଅନଶନଠୁ ଆରମ୍ଭ କରି ଅନୁଭବ ଓ ପ୍ରତିବଦ୍ଧତାକୁ ନେଇ ଓଡ଼ିଆ ଭାଷା ପ୍ରାଣ ଗଜାନନ ମିଶ୍ରଙ୍କ କଲମରୁ ଜନ୍ମ ନେଇଛି କବିତା ପୁସ୍ତକ ‘ସମୁଦ୍ର ବିଜୟ’। ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରେଡ୍‌କ୍ରସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଶେଷ ଉତ୍ସବରେ ପ୍ରାକ୍ତନ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦେଶକ କମଳା ପ୍ରସାଦ ମହାପାତ୍ର, ଗବେଷକ ଅସିତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ।

ଶ୍ରୀ ମହାପାତ୍ର ବକ୍ତବ୍ୟରେ କହିଲେ, ଭାଷା ଗୋଟେ ଜାତିର ପ୍ରାଣ। ଭାଷା ବଞ୍ଚିଲେ ହିଁ ସାହିତ୍ୟ ବଞ୍ଚିବ। ଏହି ପୁସ୍ତକର କବିତା ଜଣେ ଭାଷାପ୍ରେମୀର ଅନ୍ତରର ଦ୍ୱନ୍ଦ୍ୱ, ହତାଶାଭାବ ଓ ଭାବାବେଗର ପ୍ରତିଫଳନ ବୋଲି ସେ କହିଥିଲେ। ଅସିତ ମହାନ୍ତି କହିଲେ, ଏ ପୁସ୍ତକଟି କେବଳ ଏକ କବିତା ପୁସ୍ତକ ନୁହେଁ। ବରଂ ଭାଷା ଆନ୍ଦୋଳନର ଏକ ଡକ୍ୟୁମେଣ୍ଟ୍‌। ଏଇ ମେ ୧ ତାରିଖରେ ଓଡ଼ିଆ ଭାଷା ସମ୍ପର୍କିତ ଆଉ ଏକ ସଂଶୋଧନ ବିଧେୟକ ପାରିତ ହୋଇ ଦଣ୍ଡବିଧାନର ବ୍ୟବସ୍ଥା ହୋଇଛି। ତେଣୁ ଗଜାନନ ଏ ସମୁଦ୍ର ବିଜୟର ଅଗ୍ରଯାତ୍ରୀ। ଡ. ମହାନ୍ତି ଏକଥା ବି କହିଲେ, ମୋର ସ୍ୱପ୍ନ ଥିଲା, ଯୋଉଦିନ ସରସ୍ୱତୀ ସମ୍ମାନ ବିଜେତା ରମାକାନ୍ତ ରଥ, ମନୋଜ ଦାସ, ଜ୍ଞାନପୀଠ ବିଜେତା ସୀତାକାନ୍ତ ମହାପାତ୍ର, ପ୍ରତିଭା ରାୟ, ମୂର୍ତିଦେବୀ ବିଜେତା ହରପ୍ରସାଦ ଦାସ, ସାରଳା ସାହିତ୍ୟ ଭାରତୀ ବିଜେତା ରାଜେନ୍ଦ୍ର, ସୌଭାଗ୍ୟ, ପ୍ରତିଭା, ବିଭୂତି ପଟ୍ଟନାୟକ ପ୍ରମୁଖ ଗୋଟେ ଦିନ କଳାପତାକା ଧରି ବାହାରି ଥାଆନ୍ତେ, ସେଇଦିନ ଭାଷା ଆନ୍ଦୋଳନ ସଫଳ ହୋଇଥାଆନ୍ତା। ଏଥିପାଇଁ ୭୪୯ ଦିନ କଳାପତାକା ଯାତ୍ରାର ଆବଶ୍ୟକତା ପଡ଼ିନଥାଆନ୍ତା। ପୁସ୍ତକର ଲେଖକ କବି ଗଜାନନ ମିଶ୍ର ତାଙ୍କ ବକ୍ତବ୍ୟରେ କିଛି ଅବିସ୍ମୃତ ଘଟଣା କିଭଳି ତାଙ୍କ ମନରେ ଭାଷାପ୍ରୀତି ଜନ୍ମାଇଥିଲା, ସେ ସମ୍ପର୍କରେ କହିଥିଲେ। ଏଥିସହ ସେ ସୂଚନା ଦେଇ କହିଥିଲେ, ଯଦି ବିଚାରପତି ଇଂରାଜୀ କି ହିନ୍ଦୀରେ କୁହନ୍ତି ତେବେ ସଂପ୍ରତି ତାହା ୨୨ଟି ଭାରତୀୟ ଭାଷାରେ ଅନୁଦିତ ହେବ। ଏଥିପାଇଁ ସୁପ୍ରିମକୋର୍ଟରେ ୨୨ଜଣ ଅନୁବାଦକ ନିଯୁକ୍ତି ହେବାର ଖବର ସ୍ୱାଗତଯୋଗ୍ୟ ବୋଲି କହିଥିଲେ। ପ୍ରାରମ୍ଭରେ କବି ଉମାକାନ୍ତ ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରକାଶକ ବନୋଜ ତ୍ରିପାଠୀ ଅତିଥି ପରିଚୟ ଦେବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶେଷରେ ପ୍ରଦୀପ ମହାରଥା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର