ଜଳେଶ୍ୱର: ବାଲେଶ୍ବର ଜିଲ୍ଲାରେ ବାଲି ମାଫିଆଙ୍କ ଆଉ ଏକ କାରନାମା ପଦାକୁ ଆସିଛି। ଚୋରା ବାଲି ବୋଝେଇ ଗାଡ଼ିକୁ ଅଟକାଇବା ବେଳେ ଖଣି ଅଧିକାରୀ ଓ ଏନ୍ଫୋର୍ସମେଣ୍ଟ ଟିମ୍ର ସଦସ୍ୟଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଜଳେଶ୍ବର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ସୂଚନା ଅନୁସାରେ; ଗତକାଲି ରାତି ପ୍ରାୟ ୧ଟା ୪୫ ମିନିଟ୍ ସମୟରେ ଜଳେଶ୍ବର କନିଷ୍ଠ ଖଣି ଅଧିକାରୀ ଜିତେନ୍ଦ୍ର କୁମାର ଦାସ ଏନ୍ଫୋର୍ସମେଣ୍ଟ ଟିମ୍ ସହ (ଓଡି୩୩ଏଚ୍-୭୮୭୭) ବୋଲେରୋରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଜଳେଶ୍ୱର ଥାନା ଅନ୍ତର୍ଗତ ପଥରପୁରା ଗାଁ ନିକଟରେ ଚୋରା ବାଲି ବୋଝେଇ କରି ଏକ ଟ୍ରାକ୍ଟର (ଓଡି୦୧-ଏଜି-୨୩୪୪) ଯାଉଥିବା ଦେଖିଥିଲେ। କନିଷ୍ଠ ଖଣି ଅଧିକାରୀ ଶ୍ରୀ ଦାସଙ୍କ ନିର୍ଦ୍ଦେଶକ୍ରମେ ଏନ୍ଫୋର୍ସମେଣ୍ଟ ଟିମ୍ରେ ଥିବା ରିଜର୍ଭ ପୁଲିସ୍ କନେଷ୍ଟବଳ ଉମାକାନ୍ତ ସିଂହ ବୋଲେରୋରୁ ଓହ୍ଲାଇ ଟ୍ରାକ୍ଟରକୁ ଅଟକାଇବାକୁ ଉଦ୍ୟମ କରିଥିଲେ।
ହେଲେ ଡ୍ରାଇଭର୍ ଜଣକ ଟ୍ରାକ୍ଟର ନ ଅଟକାଇ ସଂପୃକ୍ତ କନେଷ୍ଟବଳଙ୍କ ଉପରେ ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲା। କୌଣସି ପ୍ରକାରେ କନେଷ୍ଟବଳ ଶ୍ରୀ ସିଂହ ନିଜକୁ ବଞ୍ଚାଇ ଥିବାବେଳେ ଟ୍ରାକ୍ଟରଟି ଏନ୍ଫୋର୍ସମେଣ୍ଟ ଟିମ୍ର ବୋଲେରୋକୁ ଡାହାଣ ପାର୍ଶ୍ବରେ ଧକ୍କା ଦେଇ କିଛି ଦୂର ଘୋଷାରି ନେଇଥିଲା। ବୋଲେରୋ ଭିତରେ ବସିଥିବା କନିଷ୍ଠ ଖଣି ଅଧିକାରୀ ଶ୍ରୀ ଦାସ, ଡ୍ରାଇଭର୍ ଓ ଏନ୍ଫୋର୍ସମେଣ୍ଟ ଟିମ୍ର ଅନ୍ୟ ୨ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ। ଏହାପରେ ଟ୍ରାକ୍ଟର ଛାଡ଼ି ଡ୍ରାଇଭର୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଖବର ପାଇ ରାତି ପ୍ରାୟ ୨ଟା ୩୦ ମିନିଟ୍ରେ ଜଳେଶ୍ବର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଘଟଣା ସଂପର୍କରେ କନିଷ୍ଠ ଖଣି ଅଧିକାରୀ ଶ୍ରୀ ଦାସ ଜଳେଶ୍ବର ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର୍ ଏବଂ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଥାନାକୁ ଆଣି ତଦନ୍ତ ଚଳାଇଛି। ଟ୍ରାକ୍ଟର ମାଲିକ ଓ ଚାଳକଙ୍କ ସଂପର୍କରେ କୌଣସି ସୂଚନା ହସ୍ତଗତ ହୋଇପାରିନି।