ବାଲି ହିଁ ରାଜରାସ୍ତାରେ ଘଟୁଥିବା ଦୁର୍ଘଟଣାର ପ୍ରମୁଖ କାରଣ ତାହା ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବିଏମ୍ସି କମିସନର, ପୁଲିସ କମିସନର, ଆରଟିଓ ସମସ୍ତେ ଜାଣିଛନ୍ତି। କିନ୍ତୁ ଏହି କେତେଜଣ ଅଧିକାରୀଙ୍କ ବେପରୁଆ କାର୍ଯ୍ୟଶୈଳୀ, ସାଧାରଣ ଲୋକଙ୍କ ଜୀବନକୁ ହେୟ ମନେ କରିବା ଏବେ ପ୍ରତିଦିନ କାହାର ନା କାହାର ସଂସାର ଉଜାଡ଼ି ଦେଉଛି।
ଭୁବନେଶ୍ୱର: ସ୍ମାର୍ଟ ସିଟି ଓ ସଡ଼କ ସୁରକ୍ଷା ଯୋଜନାରେ ରାଜଧାନୀ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଏପରିକି ଗଳିକନ୍ଦିରୁ ଆରମ୍ଭ କରି ପ୍ରମୁଖ ରାସ୍ତାଗୁଡ଼ିକ ଯେପରି ଦୁର୍ଘଟଣାମୁକ୍ତ ହେବ ସେଥିପାଇଁ ପ୍ରଶସ୍ତ ରାସ୍ତା ନିର୍ମାଣ ହେଉଛି। ବିଡିଏ ବି ଲମ୍ବା ଚଉଡ଼ା ରାସ୍ତାର ନକ୍ସା ପ୍ରସ୍ତୁତ କରୁଛି। ଏବେ ରାସ୍ତାଗୁଡ଼ିକ ଯେପରି ଚକାଚକ୍ ଦେଖାଯାଉଛି। ତାହାକୁ ଆହୁରି ସୁନ୍ଦର କରିବାକୁ ଯୋଜନା ହେଉଛି। ହେଲେ ଏହି ରାସ୍ତାରେ ମୃତ୍ୟୁର ମାୟାଜାଲ ବିଛାଯାଇଛି। ଏହି ଜାଲରେ ପଡ଼ି ନିଇତି ୧୦ରୁ ଅଧିକ ଆହତ ହେଉଛନ୍ତି ଆଉ କେହି ନା କେହି ମରୁଛନ୍ତି। କିନ୍ତୁ ପୁଲିସ ଓ ପ୍ରଶାସନ ପୂରା ନିରବ।
ରାଜଧାନୀ ରାସ୍ତା ଓ ରାଜରାସ୍ତାରେ ମୃତ୍ୟୁର ମାୟାଜାଲ ସାଜିଛି ବାଲି। ରାସ୍ତା କଡ଼ର ବାଲି ରାସ୍ତାକୁ ମାଡ଼ି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି। କେଉଁଠି ରାସ୍ତାର ୫ଫୁଟ ପର୍ଯ୍ୟନ୍ତ ବାଲି ପାଦେ ଉଚ୍ଚର ଜମା ହୋଇଛି ତ କେଉଁଠି ଅଧା ରାସ୍ତା ପର୍ଯ୍ୟନ୍ତ ବାଲି ପୂରା ରାସ୍ତାକୁ ପୋତି ଦେବା ଅବସ୍ଥାରେ ରହିଛି। ଏହି ରାସ୍ତାରେ ଯେଉଁ ଦୁଇ ଚକିଆ ଯାନ ଯାଉଛି ଟିକେ ଅସାବଧନତା ହେଲେ ଗାଡ଼ି ଆପେଆପେ ସ୍ଲିପ୍ କରୁଛି ନଚେତ୍ କୌଣସି କାରଣରୁ ଗାଡ଼ିର ବ୍ରେକ୍ ମାରିଲେ ଗାଡ଼ି ଘୋଷାଡ଼ି ହୋଇ ରାସ୍ତାରେ ପଡ଼ୁଛି। ଭାଗ୍ୟ ଭଲ ଥିଲେ ଗାଡ଼ିରେ ବସିଥିବା ଲୋକ ଖଣ୍ଡିଆ ଖାବରା ହୋଇ ବଞ୍ଚିଯିବ। ଯଦି ଭାଗ୍ୟ ସାଥ୍ ଦେବନି ତେବେ ଗାଡ଼ି ଚଢ଼ି ମୃତ୍ୟୁ ନିଶ୍ଚିତ। ପ୍ରତିବର୍ଷ ରାଜଧାନୀରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ସବୁଠୁ ଅଧିକ ଦୁର୍ଘଟଣା ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ରେ ଘଟୁଛି। ତାହା ପୁଣି ତମାଣ୍ଡୋରୁ ପାହଳ ମଧ୍ୟରେ। ଏହି ଅଞ୍ଚଳଟି ଏବେ ଦୁର୍ଘଟଣାର ବ୍ଲାକ୍ ସ୍ପଟ୍।
୨୦୧୬ରେ ଜାନୁଆରି ଅଗଷ୍ଟ ମଧ୍ୟରେ ଭୁବନେଶ୍ୱରରେ ୫୫୬ଟି ଦୁର୍ଘଟଣା ହୋଇଥିବାବେଳେ ଏହି ସମୟରେ ୨୦୧୭ରେ ୫୯୪ଟି ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ପ୍ରତିବର୍ଷ ୧୦୦ରୁ ଅଧିକ ଲୋକ ମରୁଛନ୍ତି। ଯେତିକି ମରୁଛନ୍ତି ତାହାର ଢେରଗୁଣା ଗୁରୁତର ହେଉଛନ୍ତି। ନଚେତ୍ ପଙ୍ଗୁ ହୋଇ ଘରେ ପଡ଼ୁଛନ୍ତି। ଖୋର୍ଦ୍ଧା ଜିଲ୍ଲା ତ ରାଜ୍ୟର ସବୁଠୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଥିବା ଜିଲ୍ଲାର ଗୌରବ ମୁଣ୍ଡାଇଛି। ଖୋର୍ଦ୍ଧା ଜିଲ୍ଲାର ସବୁଠୁ ଅଧିକ ଦୁର୍ଘଟଣାପ୍ରବଣ ଅଞ୍ଚଳ ପାଲଟିଛି ଭୁବନେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥ-୧୬ ଅଞ୍ଚଳ। ବାଲି ହିଁ ରାଜରାସ୍ତାରେ ଘଟୁଥିବା ଦୁର୍ଘଟଣାର ପ୍ରମୁଖ କାରଣ ତାହା ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବିଏମ୍ସି କମିସନର, ପୁଲିସ କମିସନର, ଆରଟିଓ ସମସ୍ତେ ଜାଣିଛନ୍ତି। କିନ୍ତୁ ଏହି କେତେଜଣ ଅଧିକାରୀଙ୍କ ବେପରୁଆ କାର୍ଯ୍ୟଶୈଳୀ, ସାଧାରଣ ଲୋକଙ୍କ ଜୀବନକୁ ହେୟ ମନେ କରିବା ଏବେ ପ୍ରତିଦିନ କାହାର ନା କାହାର ସଂସାର ଉଜାଡ଼ି ଦେଉଛି। ଜାତୀୟ ରାଜପଥରେ ବାଲି ଜମା ହେଉଥିବାବେଳେ ଏହାକୁ ନିୟମିତ ବ୍ୟବଧାନରେ ସଫା କରିବା ଦାୟିତ୍ୱ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର। ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଏହା ଉପରେ ନଜର ପଡ଼ୁନି।
ଜାତୀୟ ରାଜପଥ କର୍ତ୍ତୃପକ୍ଷ ଯଦି ବାଲି ସଫା ନକରିବେ ତେବେ ତାଙ୍କୁ ତାଗିଦ୍ କରିବା ସହ ଜରିମାନା ଆଦାୟ କରିବା ଏବଂ ବାଲି ସଫା କରିବା ଦାୟିତ୍ୱ ବିଏମ୍ସିର। କିନ୍ତୁ ବିଏମ୍ସି କମିସନରଙ୍କର ଏଥିପ୍ରତି ନଜର ନାହିଁ। କମିସନର ନୂଆ ନୂଆ ନିୟମ କରି ସାଧାରଣ ଲୋକଙ୍କ ଠାରୁ ଜରିମାନା ଆଦାୟ ଉପରେ ଯେତିକି ଗୁରୁତ୍ୱ ଦେଉଛନ୍ତି ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ସେତିକି ମନ ବଳାଉନାହାନ୍ତି। ରାସ୍ତାରେ ବାଲି, ଗୋଡ଼ି, ଇଟା ଗଦାଇଲେ ୫ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ବିଏମ୍ସି ନିୟମ କରିଛି। କିନ୍ତୁ ଏହି ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ। ସରକାରୀ ପ୍ରକଳ୍ପ ଯେଉଁଠି ହେଉଛି ସେଠାରେ ମାସମାସ ଧରି ବାଲି, ଚିପ୍ସ ଗଦା ହୋଇ ରହୁଛି। ହେଲେ ଜରିମାନା ଆଦାୟ ତ ଦୂରର କଥା ଆକଟ କରିବାକୁ କାହାର ଦମ୍ ନାହିଁ। ଯାହା ଦେଖିବାକୁ ମିଳୁଛି ରାଜଧାନୀ ଭିତରେ ଥିବା କଟକ ରୋଡ୍, ରବୀନ୍ଦ୍ର ମଣ୍ଡପରୁ କମିସନରେଟ୍ ପୁଲିସ ଅଫିସ ରାସ୍ତାରୁ ଆରମ୍ଭ କରି ପ୍ରତି ଗଳିକନ୍ଦିରେ ବାଲି ଅଧା ରାସ୍ତା ପର୍ଯ୍ୟନ୍ତ ଗଦା ହୋଇଛି। ହେଲେ ବିଏମ୍ସି ଲୋକଙ୍କୁ ମରଣମୁହଁକୁ ଠେଲି ଚୁପ୍ ବସିଯାଇଛି।
ବିଏମ୍ସି, ଏନ୍ଏଚ୍ କର୍ତ୍ତୃପକ୍ଷଙ୍କ ଅପାରଗତାରୁ ମୁଣ୍ଡ ଗଡ଼ୁଛି
ପୁଲିସ ଓ ଆରଟିଓ ଜରିମାନା ଆଦାୟରେ ବ୍ୟସ୍ତ, ଦୁର୍ଘଟଣା କମାଇବାରେ ବିଫଳ
କମିସନରେଟ୍ ପୁଲିସ ଓ ଆର୍ଟିଓ ମିଳିତ ଭାବେ ଜରିମାନା ଆଦାୟ କରିବାକୁ ବିକଳ ହେଉଛନ୍ତି। ଏପରିକି ରାସ୍ତାରେ ବିନା ହେଲମେଟ୍ରେ ଯାଉଥିବା ଚାଳକ ଠାରୁ ଜରିମାନା ଆଦାୟ କରିବାକୁ ଉପରକୁ ଝାମ୍ପି ପଡ଼ୁଛନ୍ତି। ଏମିତି କାହିଁକି କରୁଛନ୍ତି ବୋଲି ପଚାରିଲେ କହୁଛନ୍ତି ହେଲମେଟ୍ ନପିନ୍ଧିବା ଦ୍ୱାରା ଦୁର୍ଘଟଣାଗସ୍ତ ଲୋକଙ୍କର ମୃତ୍ୟୁ ଘଟୁଛି। ହେଲେ ଦୁର୍ଘଟଣା କାହିଁକି ଘଟୁଛି, ଏହା ଉପରେ କିପରି ରୋକ୍ ଲାଗିବ ସେଥିପ୍ରତି ନଜର ନାହିଁ।ମୋଟର ଯାନ ଆଇନ୍ ବାହନାରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆଦାୟ କରୁଛନ୍ତି କିନ୍ତୁ ନିୟମିତ ବ୍ୟବଧାନରେ ରାସ୍ତା କିପରି ସୁରକ୍ଷିତ ହେବ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇପାରୁନି। ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀ ରାସ୍ତାରେ ବାଲି ଜମା ହେବାର କାରଣ ହେଲା ବାଲି ଟ୍ରକ୍। କୁଆଖାଇ ନଦୀରୁ ଦୈନିକ ଶହ ଶହ ଗାଡ଼ି ବାଲି ଉଠାଉଥିବାବେଳେ ସେଗୁଡ଼ିକ ରସୁଲଗଡ଼ ଓଭରବ୍ରିଜ୍ ଚଢ଼ିବା ପୂର୍ବରୁ ମଝି ରାସ୍ତାରେ ବହୁତ ବାଲି ଖସୁଛି। ବାଲି ସଫା ହେଉ ନଥିବାରୁ ଏହା ବାଇକ୍ ଚାଳକଙ୍କ ପାଇଁ ଦୁର୍ଘଟଣାର କାରଣ ପାଲଟୁଛି। ହଂସପାଳ ଛକରୁ ରସୁଲଗଡ଼ ମଧ୍ୟରେ ଅଧିକ ଦୁର୍ଘଟଣା ଘଟୁଛି। ସମାନସ୍ଥିତି ଦୟା ବ୍ରିଜ୍ ନିକଟରେ। ଏହାବାଦ୍ ଜାତୀୟ ରାଜପଥ ଉପରେ ନିର୍ମାଣ ହୋଇଥିବା ଓଭରବ୍ରିଜ୍ ଉପରୁ ବାଲି ସଫା ହେଉନଥିବାରୁ ଏହା ମୃତ୍ୟୁର କାରଣ ସାଜୁଛି। ସେହିପରି ଭୁବନେଶ୍ୱର ଦେଇ ଜାତୀୟ ରାଜପଥ କଡ଼ରେ ବିଭିନ୍ନ ସ୍ଥାନରେ ୨୬ଟି ବେଆଇନ୍ କଟ୍ ରହିଛି। ଏହାକୁ ବନ୍ଦ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ବାରମ୍ବାର କୁହାଯାଉଥିଲେ ହେଁ ସେମାନେ ଶୁଣୁନାହାନ୍ତି। ଯାହା ଦୁର୍ଘଟଣା ବଢ଼ିବାର ଅନ୍ୟତମ ପ୍ରମୁଖ କାରଣ।