କୁଆଖାଇରୁ ବଢ଼ୁଛି ବାଲି ଚୋରା ଚାଲାଣ: ପଠାରେ ନଷ୍ଟ ହେଉଛି ଗ୍ରାମ୍ୟ ଜଙ୍ଗଲ

ବାଲିଅନ୍ତା: ବାଲିଅନ୍ତା ତହସିଲ ଅଧୀନ କୁଆଖାଇ ନଦୀର ବିଭିନ୍ନ ସ୍ଥାନରୁ ବାଲି ଚୋରା ଚାଲାଣ ବଢ଼ିବାରେ ଲାଗିଛି। ବାଲି ମାଫିଆମାନେ ନଦୀପଠାରେ ଥିବା ଗ୍ରାମ୍ୟ ଜଙ୍ଗଲକୁ ନଷ୍ଟ କରି ବାଲି ଚାଲାଣ କରୁଛନ୍ତି। କିନ୍ତୁ ଏନେଇ ନା ବାଲିଅନ୍ତା ତହସିଲ ପ୍ରଶାସନ ନା ଲଘୁ ଖଣିଜ ବିଭାଗ ଗୁରୁତ୍ବ ଦେଉଛନ୍ତି। ବେଆଇନ ବାଲି ଉଠାଣ ପାଇଁ ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଟଙ୍କପାଣି, ସତ୍ୟଭାମାପୁର, ଇନ୍ଦ୍ରପାଳ, କଣ୍ଟାଗୋଠ, ଧବଳାହାର ଓ ବାଲିଅନ୍ତା ଥାନା ନିକଟ ଭୁବନପୁର ଅଞ୍ଚଳରେ ଏବେ ଚୋରା ବାଲିଘାଟ ସଂଖ୍ୟା ବଢ଼ି ଚାଲିଛି। ଚୋରା ବାଲିଘାଟରୁ ପ୍ରତିଦିନ ରାତିରେ ଶହ ଶହ ହାଇୱାରେ ବାଲି ଚାଲାଣ ହେଉଛି। ରାତି ୯ଟାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ବେଧଡ଼କ ବାଲି ବୁହା ହେଉଛି। ନଦୀପଠା, ପଠା ସଂଲଗ୍ନ ବାଲିଚର ଗୋଚର କିସମ ଜମି ବି ଖନନରୁ ବାଦ ପଡ଼ୁନି। ଜେସିବିରେ ଖୋଳିବା ପରେ ହାଇୱା, ଟ୍ରକ୍‌ ଓ ଟ୍ରାକ୍ଟର ଯୋଗେ ବାଲି ବୁହା ଚାଲିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅସାଧୁ ଅଧିକାରୀଙ୍କ ଛତ୍ରଛାୟାରେ ଏହି ବେଆଇନ କାର୍ଯ୍ୟ ଚାଲିଛି ବୋଲି ଚର୍ଚ୍ଚା ହେଉଛି। କୌଣସି ଗୋଟିଏ ବି ଚୋରା ବାଲିଘାଟରେ ଲଘୁ ଖଣିଜ ବିଭାଗ, ପୁଲିସ ଓ ତହସିଲ ପ୍ରଶାସନ ଚଢ଼ଉ କରୁନାହାନ୍ତି।

ଅନ୍ୟପକ୍ଷରେ ପ୍ରତିବାଦ କରୁଥିବା ଲୋକମାନେ ବାଲି ମାଫିଆମାନଙ୍କ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ ହେଉଛି। ସେହିଭଳି ନିୟମିତ ବାଲି ଖନନ ହେବା ଦ୍ବାରା ଗ୍ରାମ୍ୟ ଜଙ୍ଗଲ ନଦୀ ଭିତରକୁ ଧସେଇ ପଡ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ବାଲି ମାଫିଆମାନେ ସିଧାସଳଖ ଗଛକାଟି ନଦୀଶଯ୍ୟାକୁ ଅସ୍ଥାୟୀ ରାସ୍ତା କରୁଛନ୍ତି। ଏସଂପର୍କରେ ତହସିଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯିବାରୁ ଏହି ପ୍ରସଙ୍ଗ ଲଘୁ ଖଣିଜ ବିଭାଗର କାମ ବୋଲି କୁହାଯାଉଛି। ନିୟମିତ ବ୍ୟବଧାନରେ ଲଘୁ ଖଣି ବିଭାଗ ଅଧିକାରୀଙ୍କୁ ଅବଗତ କରାଯାଉଛି ବୋଲି କହି ତହସିଲ ପ୍ରଶାସନ କାନ୍ଧ ଖସାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର