ଓଡ଼ିଶାର ହସ୍ତତନ୍ତକୁ ନେଇ ସନ୍ଦୀପଙ୍କ ଷ୍ଟାର୍ଟଅପ୍‌ ‘ଇଣ୍ଡିଆନ୍‌ ଭିଲେଜ୍’

ବୁଣାକାର ଓ କାରିଗରଙ୍କୁ ରୋଜଗାର ଦେଉଛି, ବିଶ୍ବ ବଜାରରେ ଓଡ଼ିଆ ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଚାର ପ୍ରସାର କରୁଛି

ଭୁବନେଶ୍ବର: ଚାଟାର୍ଡ ଆକାଉଣ୍ଟିଂ କରି ଦିଲ୍ଲୀରେ ମୋଟା ଅଙ୍କର ଦରମା ପାଉଥିଲେ। ହେଲେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ମୋହ ପୁଣି ତାଙ୍କୁ ଓଡ଼ିଶା ଟାଣି ଆଣିଲା। ଓଡ଼ିଶାର ପାରମ୍ପରିକ ତଥା ଗ୍ରାମୀଣ ହସ୍ତଶିଳ୍ପ ଓ କାରିଗରୀକୁ ଅନ୍ତର୍ଜାତୀୟ ବଜାରରେ ସୁପରିଚିତ କରିବା ତଥା ମାର୍କେଟିଂ ସୁବିଧା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶାରେ ଆସି ଯୁଗ ଉଦ୍ୟୋଗୀ ସନ୍ଦୀପ ସାହୁ ଏକ ଷ୍ଟାର୍ଟ ଅପ୍‌ କମ୍ପାନି ‘ଇଣ୍ଡିଆନ୍‌ ଭିଲେଜ୍‌’ ଆରମ୍ଭ କରିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଯଥା ସୁବର୍ଣ୍ଣପୁର, ନୂଆପଡ଼ା ଆଦି ବିଭିନ୍ନ ଜାଗାରେ ୨୦ଟି କ୍ଲଷ୍ଟର ନିର୍ମିତ କରିଛନ୍ତି। ବର୍ତ୍ତମାନ ଇଣ୍ଡିଆନ୍‌ ଭିଲେଜରେ ସମ୍ବଲପୁରୀ, ବ୍ରହ୍ମପୁରୀ, କୋଟପାଡ୍, ଖଣ୍ଡୁଆ, ଡଙ୍ଗରିଆ ଆଦି ହସ୍ତଶିଳ୍ପ ସହ ଡୋକ୍ରା, ଟେରାକୋଟା, ପଟ୍ଟଚ୍ଚିତ୍ର, ତାଳପଟ୍ଟଚିତ୍ର ଆଦି ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରି ଅନ୍‌ଲାଇନରେ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରି ଏଠାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତକୁ ପ୍ରଚାର ପ୍ରସାର କରୁଛନ୍ତି।

ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍‌ କଲୋନିର ବାସିନ୍ଦା ସନ୍ଦୀପ ଦିଲ୍ଲୀରେ ଚାଟାର୍ଡ ଆକାଉଣ୍ଟିଂ ଶେଷ କରି ଦିଲ୍ଲୀସ୍ଥିତ ଗ୍ରାଣ୍ଟ୍‌ ଥ୍ରୋଣ୍ଟନ କମ୍ପାନିର ବ୍ୟବସାୟିକ ପରାମର୍ଶଦାତା ଭାବେ କାମ କରୁଥିଲେ। ତେବେ ଗତବର୍ଷ କରୋନା ମହାମାରୀ ସମୟରେ ସେ ଓଡ଼ିଶା ଫେରିଆସି ନିଜର କିଛି ଆରମ୍ଭ କରିବାକୁ ଚାହିଥିଲେ। ୨୦୨୦ ଜୁଲାଇରୁ ସେ ଏହି ‘ଇଣ୍ଡିଆନ୍‌ ଭିଲେଜ୍‌’ ଷ୍ଟାର୍ଟଅପ୍‌ କମ୍ପାନି ପ୍ରତିଷ୍ଠା କରିଥିଲେ। ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଚାର ପ୍ରସାର ତଥା ଯୁବ ବୁଣାକାର ଓ କାରିଗରମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ସେ ଏହି ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ। ସେ ଏବେ କିଛି ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାର ଓ କାରିଗରମାନଙ୍କୁ ନେଇ କାମ ଆରମ୍ଭ କରିଛନ୍ତି। ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପ ଓ ହସ୍ତତନ୍ତରେ ଆଧୁନିକତାର ଛୁଙ୍କ ଦେଇ ସେ ଅନ୍ତର୍ଜାତୀୟ ବଜାରକୁ ଛାଡ଼ୁଛନ୍ତି। ରାଜଧାନୀର ଜନପଥରେ ତାଙ୍କର ଏକ ଷ୍ଟୋର ‘ଇଣ୍ଡିଆନ୍‌ ଭିଲେଜ୍’ ରହିଥିବା ବେଳେ ଅନ୍‌ଲାଇନ୍‌ ମଧ୍ୟ ଏସବୁ ସାମଗ୍ରୀକୁ ବିକ୍ରି କରାଯାଉଛି। ଏହା ଦ୍ବାରା ବହୁ କାରିଗର ଓ ବୁଣାକାର ରୋଜଗାରର ସୁଯୋଗ ପାଉଥିବା ବେଳେ ଓଡ଼ିଶାର ଗ୍ରାମୀଣ କଳା ବିଶ୍ବ ବଜାରରେ ସୁପରିଚିତ ହେଉଛି।

ଏନେଇ ସନ୍ଦୀପ କହିଛନ୍ତି, ଓଡ଼ିଶାରେ ହସ୍ତଶିଳ୍ପ ଓ ହସ୍ତତନ୍ତର ବିଶାଳ ସମ୍ଭାର ରହିଛି। ମୁଁ ସେହି ପାରମ୍ପରିକ କଳାକୁ ସୁଯୋଗ ଦେଉଛି। ସେଇ ଅଧିକ ମୋଟା ଓ ରୁକ୍ଷ କପଡ଼ାକୁ ହାଲ୍‌କା କରିବା, ହସ୍ତତନ୍ତ ଓ ହସ୍ତଶଳ୍ପ ସାମଗୀର ବିସ୍ତୃତି ବଢ଼ାଇବା ତଥା ଆଧୁନିକ ଓ ସମସାମୟିକ ସମୟକୁ ଖାପଖୁଆଇଲା ଭଳି ହାଲକା କିଛି ପରିବର୍ତ୍ତନ କରାଯାଉଛି। ଫଳରେ ବିଦେଶୀ ଗ୍ରାହକ ଏନେଇ ଅଧିକ ଆକର୍ଷିତ ହେଉଛନ୍ତି। ଆଗକୁ ଏହାକୁ ଅଧିକ ବଢ଼ାଇବା ସହ ଓଡ଼ିଶାର ପାରମ୍ପରିକ କଥା ବିଶ୍ବର କୋଣକୋଣରେ କିପରି ପହଞ୍ଚିପାରିବ ସେ ନେଇ ପ୍ରୟାସ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର