ବାଲିଅନ୍ତା/ବାଲିଅନ୍ତା ବଜାର : ଗୁରୁବାର ଅପରାହ୍ନରେ ବାଲିଅନ୍ତାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଝଡ଼ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାଲିଝଡ଼ରୁ ଆରମ୍ଭ ହୋଇଥିବା ଏହି ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିବା ଖବର ମିଳିଛି। କଦଳୀ ଓ ଅମୃତଭଣ୍ଡା ଚାଷ ବେଶି ପ୍ରଭାବିତ ହୋଇଥିବା ବେଳେ ବହୁ ଗଛପତ୍ର ଭାଙ୍ଗିଯାଇଛି ଏବଂ ହୋମଯଜ୍ଞ, ରାମଲୀଳା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି। ସୌଭାଗ୍ୟକୁ ବଜ୍ରପାତ‌ରେ ମଣିଷ କିମ୍ବା ଗୃହପାଳିତ ପ୍ରାଣୀଙ୍କ ଜୀବନହାନି ହୋଇନଥିଲେ ହେଁ ଗଛ ଜଳିଯାଇଥିବା ଜଣାପଡ଼ିଛି।

Advertisment

ଗୁରୁବାର ଦିନତମାମ ଅସହ୍ୟ ଖରା ହୋଇଥିଲା ଏବଂ ପାଗ ଭଲ ଥିଲା। କିନ୍ତୁ ଅପରାହ୍ନ ୪ଟାରେ ହଠାତ୍ କାଳବୈଶାଖୀ ଝଡ଼ ମାଡ଼ିଆସିଲା। ପ୍ରଥମେ ଘୂର୍ଣ୍ଣିଝଡ଼ ହେଲା ଏବଂ ପ୍ରବଳ ବାଲି, ଧୂଳି ଉଡ଼ିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲା। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିପଡ଼ିଲା। ବାଳକାଟି ତରିଶିଘରିଆ ଗାଁରେ ଏକ ନଡ଼ିଆ ଗଛ ଭାଙ୍ଗିପଡ଼ି ସଂଲଗ୍ନ ଘର ଉପରେ ପଡ଼ିଲା। ସୌଭାଗ୍ୟକୁ ଘରଟି ଭାଙ୍ଗି ଯାଇଥିଲେ ବି କେହି ମୃତାହତ ହୋଇନାହାନ୍ତି। ବେଣୁପୁରରେ ଚାଲିଥିବା ରାମଲୀଳା ଟେଣ୍ଟ ଭାଙ୍ଗିପଡ଼ିଲା। ବେଣୁପୁର ପାଟଳେଶ୍ବରୀ ପୀଠରେ ଚାଲିଥିବା ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା। ଯଜ୍ଞବେଦିର ଛଣ ଛପର ଉଡ଼ିଯାଇଥିଲା। ପ୍ରତାପରୁଦ୍ରପୁର, ଜୟଦେବ, ଭିଙ୍ଗାରପୁର, ବେଣ୍ଟପୁର, ବେଣୁପୁର ଓ କାକରୁଦ୍ରପୁର ଅଞ୍ଚଳରେ କଦଳୀ ଚାଷ, ଅମୃତ ଭଣ୍ଡା ପୂରା ନଷ୍ଟ ହୋଇଛି। ବେଣୁପୁର ଜଗନ୍ନାଥ ଛକସ୍ଥିତ ଏକ ନଡ଼ିଆ ଗଛ ବଜ୍ରପାତରେ ସଂପୂର୍ଣ୍ଣ ଜଳିଯାଇଛି। ବହୁ ରାସ୍ତାରେ ଗଛ ଓ ଡାଳ ଭାଙ୍ଗି ପଡ଼ିବା ଦ୍ବାରା ଯାତାୟାତ କ୍ଷେତ୍ରରେ ସମସ୍ୟା ଦେଖାଯାଇଛି।