ଭୁବନେଶ୍ୱର : ୟୈ ଦୋସ୍ତି ହମ୍ ନହିଁ ତୋଡେଙ୍ଗେ..., କଭି ଅଲ୍ ବିଦା ନା କହନା.., ଜାନେ କାହାଁ ଗୟେ ଓ୍ଵ ଦିନ୍, ଜିନ୍ଦେଗି କା ନାମ୍ ଦୋସ୍ତି..., ଆ ରେ ମିତ ଆ ସଂଗାତ... ଆଦି ବନ୍ଧୁତ୍ୱର ଗୀତ ଆଜି ଶ୍ରୋତାଙ୍କ କଲେଜ ଦିନର ସ୍ମୃତିକୁ ତାଜା କରି ଦେଇଥିଲା। ମନେ ପକାଇ ଦେଇଥିଲା ସେଇ ଅଭୁଲା କଲେଜ ଦିନ ଆଉ ବନ୍ଧୁମାନଙ୍କୁ। ସ୍ମୃତି କେବେ ଲିଭେନା କି ବନ୍ଧୁତା କେବେ ମରେନା; ଏଭଳି ବିଷୟବସ୍ତୁକୁ ନେଇ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ହୋଇଥିଲା ହିନ୍ଦୀ ଓ ଓଡ଼ିଆ ସଙ୍ଗୀତର ମନଛୁଆଁ ଆସର ‘ସ୍ମୃତି ଆମ ବନ୍ଧୁତାର’ କାର୍ଯ୍ୟକ୍ରମ।
ରାଜଧାନୀ ମହାବିଦ୍ୟାଳୟ ୧୯୯୧ର ସ୍ନାତକ ଶ୍ରେଣୀର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଟ୍ରଷ୍ଟ୍ ‘ରାଜଧାନୀ-୯୧’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୌତମ ଗିରି, ଦେବ ଦାସ, ସୁଶାନ୍ତ ପଣ୍ଡା, ଛନ୍ଦା ମିଶ୍ର, ଶ୍ୱେତା ମିଶ୍ର, ଲିପ୍ସା ମିଶ୍ର ଓ ସିଦ୍ଧାନ୍ତ ଶତପଥୀ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ସାହିତ୍ୟିକ ଦାଶ ବେନହୁର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଋଷୀୟ ପର୍ଯ୍ୟଟକ ନିକୋଲାଇ ପୋତାସେଭ୍ ଓ ନତାଲିଆ ପୋତାସେଭ୍ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଟ୍ରଷ୍ଟ୍ର ସଭାପତି ଦେବପ୍ରସାଦ ପରିଜା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ‘ରାଜଧାନୀ-୯୧’ ଉପସଭାପତି ଅପୂର୍ବ କୁମାର ମହାନ୍ତି, ସଂପାଦିକା ରଞ୍ଜିତା ପାଣିଗ୍ରାହୀ ଓ ସଂଯୋଜିକା ସୁଷମା ତ୍ରିପାଠୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।