ସଂଗୀତ ସୁଧାକରଙ୍କ ୯୬ତମ ଜୟନ୍ତୀ, ଗୋପାଳ ପଣ୍ଡାଙ୍କୁ ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ

ଭୁବନେଶ୍ବର: ଗୀତରେ ସଂଗୀତ ଜଗତର ଉଦିଆ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଅବକାଶ ଆଣିଥିଲା ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌। ଅନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ୯୬ତମ ଜୟନ୍ତୀ ଏବଂ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବରେ ସଂଗୀତ ସୁଧାକରଙ୍କ ଗୀତରେ ଭିଜିଥିଲେ ଶ୍ରୋତା।

ଏହି ଅବସରରେ ଓଡ଼ିଶୀ ସଂଗୀତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା। ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ତାଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏଥିସହ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ କୁମୁଦଲତା ମହନ୍ତିଙ୍କୁ ଗୀତି ସରସ୍ବତୀ ସମ୍ମାନ, ମୃଦଙ୍ଗ ବାଦ୍ୟକାର ଡି ଧନୁର୍ଧର ରେଡ୍ଡୀଙ୍କୁ ବାଦ୍ୟ ସରସ୍ବତୀ ସମ୍ମାନ, କଣ୍ଠଶିଳ୍ପୀ ବୀଣାପାଣି ନାୟକଙ୍କୁ ସଂଗୀତ ସରସ୍ବତୀ ସମ୍ମାନ ପ୍ରଦାନ କରାଯାଇଥିଲା। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଓଡ଼ିଶୀ କଣ୍ଠ ସଂଗୀତରେ ସର୍ବୋଚ୍ଚ ନମ୍ବର ରଖି ୨୦୧୮ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରୀ ଅର୍ଚନା ଜେନାଙ୍କୁ ୫ ହଜାର ଟଙ୍କାର ଅର୍ଥରାଶି ସହ ସଂଗୀତ ସୁଧାକର ସ୍ମୃତି ବୃତ୍ତି ସମ୍ମାନ, ସାମ୍ବାଦିକ ବଳରାମ ମହାନ୍ତି, ଗୋପୀନାଥ ବାରିକଙ୍କୁ ସମ୍ବର୍ଧିତ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ନାଲ୍‌କୋ ଅର୍ଥ ବିଭାଗର ନିର୍ଦେଶକ ଶ୍ରୀଧର ପାତ୍ର, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ‌ପ୍ରିୟମ୍ବଦା ମହାନ୍ତି ହେଜମାଦି, କଣ୍ଠଶିଳ୍ପୀ ଶ୍ୟାମାମଣି ପଟ୍ଟନାୟକ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଗୀତା ଗୋସାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ମାନ ପ୍ରଦାନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ରାୟ, ଉପସଭାପତି କ୍ଷୀରୋଦ ପଟ୍ଟନାୟକ, ସମ୍ପାଦକ ରାମହରି ଦାସ ଏବଂ ଆବାହକ ଅରକ୍ଷିତ ଦାଶ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ। ପରେ ଆୟୋଜିତ ସଂଗୀତ କାର୍ଯ୍ୟକ୍ରମରେ ‘ସବୁଥିରୁ ବଞ୍ଚିତ କରି.., ସୁଅ ତ ସୁଅ ବୟସର ସୁଅ.., ଆକାଶରେ ସପନର ଜୋଛନା.., ମୋ ପାଇଁ ଜଳେ ସିଏ.., ଆଉ ଚାନ୍ଦ ଲାଗି କୁମୁଦ ଝୁରେନା.., ଫୁଲ ରସିଆରେ.., ଏଇ ଭରା ଜହ୍ନ ରାତି ଭଳି ବାଳକୃଷ୍ଣ ଦାଶଙ୍କ କାଳଜୟୀ ଗୀତ ପରିବେଷିତ ହୋଇଥିଲା। ରାମହରି ଦାସ, କେଶବ ଚନ୍ଦ୍ର ରାଉତ, ଲତା ଘୋଷ, ମହାପାତ୍ର ମିନତି ଭଂଜ, ହରପ୍ରିୟା ସ୍ବାଇଁ, ଶାନ୍ତିଲତା ବାରିକ, ଆଦ୍ୟଶା ଦାସ, ନିମାକାନ୍ତ ରାଉତରାୟ, ସଚ୍ଚିକାନ୍ତ ନାୟକ, ମିତାଲି ଚିନ୍ନାରା, ସଂଗୀତାଞ୍ଜଳି ନନ୍ଦ, ଅପର୍ଣ୍ଣା ଦାଶ, ସୋନାଲି ମହାପାତ୍ର, କରୁଣାକର, ଶୁଭ୍ରେନ୍ଦୁ ନାୟକ, ସୌରଭ ନାୟକ, ସୁଶାନ୍ତ ପଣ୍ଡା, ବିଷ୍ଣୁମୋହନ କବି, ସିଦ୍ଧାନ୍ତ ଶତପଥୀ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର