ବିଶ୍ବଭୂଷଣଙ୍କ ଲିଖିତ ଆତ୍ମଜୀବନୀ ‘ସଂଗ୍ରାମ ସରିନାହିଁ’ ଲୋକାର୍ପିତ

ଆଧ୍ୟାତ୍ମିକତା ହେଉଛି ଭାରତର ଆଧାର: ରାଜ୍ୟପାଳ

ଭୁବନେଶ୍ବର: ସାଂପ୍ରତିକ ପରିସ୍ଥିତିରେ ଭାରତ ସବୁକ୍ଷେତ୍ରରେ ନେତୃତ୍ବ ନେଉଛି। ଆଧ୍ୟାତ୍ମିକତା ହେଉଛି ଭାରତର ଆଧାର। ଏହା ମାଧ୍ୟମରେ ଭାରତ ବିଶ୍ବକୁ ଆଲୋକିତ କରିବାର ପ୍ରକ୍ରିୟା ଆରମ୍ଭ କରିଛି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗେଣଶୀ ଲାଲ। ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କ ଲିଖିତ ଆତ୍ମଜୀବନୀ ‘ସଂଗ୍ରାମ ସରିନାହିଁ’ ଇଡକଲ ଅଡିଟୋରିୟମ୍‌ରେ ଲୋକାର୍ପିତ ହୋଇଯାଇଛି। ପ୍ରେରଣାର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପିତତ୍ବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୁସ୍ତକର ଲୋକାର୍ପଣ କରି ରାଜ୍ୟପାଳ କହିଲେ, ଦେଶ, ଜାତି, ବିଚାର ଓ ଆଦର୍ଶ ଭଳି ଉପାଦାନକୁ ନେଇ ସଂଘର୍ଷ ଚାଲିଥାଏ। ସଂଗ୍ରାମ ସରେ ନାହିଁ। ଏହା ଭିନ୍ନ ଭିନ୍ନ ରୂପରେ ପ୍ରକାଶିତ ହେଉଥାଏ। ସମୟ ସଂଘର୍ଷମୟ। ପଥ ନିର୍ଧାରଣ ପାଇଁ ସଂଗ୍ରାମ ଏକ ନିରନ୍ତର ପ୍ରକ୍ରିୟା। ଶ୍ରୀ ହରିଚନ୍ଦନଙ୍କ ଦ୍ବାରା ଲିଖିତ ପୁସ୍ତକ ଆଗାମୀ ପିଢ଼ି ପାଇଁ ବେଶ ସହାୟକ ହେବ ବୋଲି ରାଜ୍ୟପାଳ କହିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଶ୍ରୀ ହରିଚନ୍ଦନ ଯେଉଁ ସାହସ କରି ନିଜର ଲମ୍ବା ସମୟର ତପସ୍ୟା ଓ ଅନୁଭୂତିକୁ ପୁସ୍ତକରେ ବଖାଣିଛନ୍ତି ତାହା ନୂତନ ପିଢ଼ିକୁ ଦିଗଦର୍ଶନ ଦେବ। ସଂଗ୍ରାମ ସରିନାହିଁର ଦ୍ବିତୀୟ ଭାଗ ଆସୁ ବୋଲି ଶ୍ରୀ ପ୍ରଧାନ ନିବେଦନ କରିଥିଲେ। ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଓ ସାହିତ୍ୟିକ ବିଜୟାନନ୍ଦ ସିଂହ ପୁସ୍ତକର ସମୀକ୍ଷା କରି ଏହା ଓଡ଼ିଆ ସାରସ୍ବତ ଜଗତକୁ ଏକ ମୂଲ୍ୟବାନ ଅବଦାନ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଲେଖକ ଶ୍ରୀ ହରିଚନ୍ଦନ ଜୀବନର କେତେକ ଅନୁଭବ ଓ ଅନୁଭୂତିକୁ ଶ୍ରୋତାଙ୍କ ସମ୍ମୁଖରେ ବଖାଣିଥିଲେ। ପୁସ୍ତକର ପ୍ରକାଶକ ନୃସିଂହ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର