ଭୁବନେଶ୍ବର: ଭାରତରେ ଗାନ୍ଧୀଙ୍କ ପଦାର୍ପଣ ପରେ ଗୋଟେ ନୂଆପିଢ଼ି ଗଠନ ହୋଇଥିଲା। ସେଇ ପିଢ଼ିର ଅନେକ ଗାନ୍ଧୀବାଦୀ ଆଜି ବି ଜନମାନସରେ ଅପରିଚିତ। ସ୍ବାଧୀନତା ସଂଗ୍ରାମୀ ଦାଶରଥୀ ମହାନ୍ତି ସେମାନଙ୍କ ମଧ୍ୟରୁ ଜଣେ। ସେ ଜଣେ ବିଚକ୍ଷଣ ବ୍ୟକ୍ତି ଥିଲେ। ନୀତିବିରୋଧୀ କାମକୁ ସେ ଘୋର୍ ବିରୋଧ କରୁଥିଲେ। ଯାହା ଏହି ବହିରେ ସୁନ୍ଦର ଭାବେ ଲିପିବଦ୍ଧ ହୋଇପାରିଛି। ଦାଶରଥୀ ବାବୁ ଏକ ସୁସ୍ଥ ଓ ଶିକ୍ଷିତ ସମାଜ ଗଠନ ପାଇଁ ଉଦ୍ୟମ କରିଥିଲେ। ହେଲେ ତାଙ୍କ ଆଶା ଏଯାଏ ସଫଳ ହୋଇପାରିନି। ଆଜିର ଶିକ୍ଷା ବ୍ୟବସ୍ଥା ଏକପ୍ରକାର ଭୁଶୁଡ଼ି ପଡ଼ିଛି। ଆମ ପାଖରେ ସବୁ ପ୍ରକାର ସାଧ୍ୟ ଥାଇ ମଧ୍ୟ ମେଧାବୀ ପିଲାଙ୍କ ସଂଖ୍ୟା ହ୍ରାସ ପାଉଛି। ତାଙ୍କର ସେହି ଇଚ୍ଛାକୁ ପୂରଣ କରିପାରିଲେ, ଆମେ ଏକ ସୁସ୍ଥ, ସମୃଦ୍ଧ ଓ ଶିକ୍ଷିତ ଓଡ଼ିଶା ଗଠନ କରିପାରିବା। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଦାଶରଥୀ ମହାନ୍ତିଙ୍କ ୧୧୦ତମ ଜୟନ୍ତୀ ଅବସରରେ ହରେକୃଷ୍ଣ ସାହୁଙ୍କ ଦ୍ବାରା ଲିଖିତ ତାଙ୍କ ଜୀବନୀ ‘ସଂଗ୍ରାମୀର ଚିତ୍ରଲିପି’ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ଏଭଳି ମତ ରଖିଛନ୍ତି।
ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ସ୍ତମ୍ଭକାର ହରପ୍ରସାଦ ଦାସ ମୁଖ୍ୟ ଅତିଥି, ଓଡ଼ିଶା ସାଂସ୍କୃତିକ ମହାବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍ ବିମଳେନ୍ଦୁ ମହାନ୍ତି, ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍ ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରତ୍ୟକ୍ଷ କର ବୋର୍ଡର ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ କୁମାର ମିଶ୍ର, ‘ଆମେ ଓଡ଼ିଆ’ର ସଂପାଦକ ନୃସିଂହ ଚରଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପୁସ୍ତକର ଲେଖକ କଥାକାର ହରେକୃଷ୍ଣ ସାହୁ ନିଜର ଲେଖକୀୟ ଅନୁଭୂତି କହିଥିବା ବେଳେ ‘ଇଭେଣ୍ଟ୍’ ପ୍ରକାଶନୀ ସଂସ୍ଥାର ପ୍ରକାଶକ ପ୍ରକାଶ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସ୍ବର୍ଗତ ମହାନ୍ତିଙ୍କ ପୁଅ ସୁଭାଷ ମହାନ୍ତି ବାପାଙ୍କ ସ୍ମୃତିଚାରଣ କରିଥିଲେ। ସାନ ପୁଅ ତଥା ‘ସମୃଦ୍ଧ ଓଡ଼ିଶା’ ଦଳର ସଭାପତି ଯତୀଶ ମହାନ୍ତି ଧନ୍ୟବାଦ ଦେଇଥିଲେ।