ବାରଙ୍ଗ: ପାଖାପାଖି ୨ ମାସ ହେଲା ଛୋଟେଇ ଛୋଟେଇ ଚାଲୁଥିବା ଧଳା ମହାବଳ ବାଘ ‘ସମ୍ରାଟ’ର ଆଜି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଓୟୁଏଟିର ଅସ୍ଥି ଓ ଶଲ୍ୟ ବିଭାଗ ପ୍ରଫେସର୍‌ ଡ. ଇନ୍ଦ୍ରମଣି ନାଥ ଓ ୪ଜଣ ସହଯୋଗୀ ତା’ ବାମ ପାଖ ପଛ ଗୋଡ଼ର ଏକ୍ସ-ରେ’ କରିବା ସହ ରକ୍ତନମୁନା ସଂଗ୍ରହ କରିଛନ୍ତି। ଏହି ନମୁନାକୁ ଓୟୁଏଟି ଲ୍ୟାବ୍‌ରେ ପରୀକ୍ଷା ନିରୀକ୍ଷା କରି ଛୋଟେଇବାର କାରଣ ଜାଣିବା ପରେ ତଦନୁସା‌‌‌ରେ ସମ୍ରାଟର ଚିକିତ୍ସା କରାଯିବ।

Advertisment

୩୩ ‘କ’ ଖୁଆଡ଼‌ରେ ରହୁଥିବା ସମ୍ରାଟକୁ ଟ୍ରାଙ୍କୁଲାଇଜ୍‌ ଦେଇ ନିଶ୍ଚେତ କରାଯିବା ପରେ ନନ୍ଦନକାନନର ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରେଣ୍ଟାଇନ୍‌କୁ ଅଣାଯାଇଥିଲା। ସେଠାରେ ତା’ର ବାମ ଗୋଡ଼ର ଏକ୍ସ-ରେ’ କରାଯିବା ସହ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ପ୍ରାୟ ଘଣ୍ଟାଏ ପରେ ତାକୁ ତା’ ଖୁଆଡ଼କୁ ଫେରାଇ ନିଆଯାଇଥିଲା। ସେଠାରେ ଟିକା ଦେବାରୁ ତା’ର ଚେତା ଫେରିଥିଲା।
ସମ୍ରାଟ ୨ ମାସ ହେଲା ଉଭୟ ଶାରୀରିକ ଓ ମାନସିକ ଅସୁସ୍ଥ ଅଛି। ସେ ବାମ ପାଖ ପଛ ଗୋଡ଼ରେ ଛୋଟେଇ ଛୋଟେଇ ଚାଲୁଥିବା ବେଳେ ତା’ ମନ ସବୁବେଳେ ଉଦାସ ରହୁଛି। ପ୍ରଥମେ ପାଦରେ ଗୋଡ଼ି ରଗଡ଼ି ହୋଇଥିବା ଅନୁମାନ କରି ଚିକିତ୍ସା କରାଯାଇଥିଲା। ଭଲ ନ ହେବାରୁ ଅନୁମାନ କରାଗଲା, ଶରୀରର ଓଜନ ବୃଦ୍ଧି ହୋଇ ମେଦବହୁଳତା ହେତୁ ଗୋଡ଼ ଓଜନଭାର ସମ୍ଭାଳି ପାରୁନାହିଁ। ସେଥିଲାଗି ତା’ର ଖାଦ୍ୟ ପରିମାଣକୁ ନିୟନ୍ତ୍ରଣ କରାଯିବା ସହ ମେଦବହୁଳତା କମାଇବା ପାଇଁ ଚିକିତ୍ସା କରାଯାଇଥିଲା। ତଥାପି ଅବସ୍ଥାରେ ସୁଧାର ଆସିନଥିଲା। ତେଣୁ ଛୋଟେଇବାର ପ୍ରକୃତ କାରଣ ଜାଣିବା ପାଇଁ ଆଜି ତା’ ଗୋଡ଼ର ଏକ୍ସ-ରେ କରାଯାଇଛି। ସମ୍ରାଟର ବୟସ ଏବେ ୮ ବର୍ଷ ୩ ମାସ। ସେ ୨୦୧୦ ମାର୍ଚ ୧ ତାରିଖରେ ନାଲି ମହାବଳ ନିଶାନ ଓ ଧଳା ବାଘୁଣୀ କୁସୁମର ମିଳନରୁ ଜନ୍ମଲାଭ କରିଥିଲା।