ଭୁବନେଶ୍ୱର: ଋତୁସ୍ରାବ ଏକ ପ୍ରାକୃତିକ ଜୈବିକ ପ୍ରକ୍ରିୟା। ହେଲେ ଆଜି ବି ମହିଳାମାନେ ଏହି ବିଷୟକୁ ନେଇ ଖୋଲାଖୋଲି ଆଲୋଚନା କରିବାକୁ କୁଣ୍ଠାବୋଧ କରନ୍ତି। ଏପରିକି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ର ରିପୋର୍ଟ ଅନୁସାରେ ଓଡ଼ିଶାରେ ୪୨ ପ୍ରତିଶତ ମହିଳା ଏବେ ମଧ୍ୟ କପଡ଼ା ବ୍ୟବହାର କରୁଛନ୍ତି। ଦୋକାନରେ ନାପକିନ୍ ମାଗିଲା ବେଳେ ସେମାନେ ଅସହଜ ମନେ କରିବା ସହିତ ଫୋପାଡ଼ିବାକୁ ବାହାରକୁ ଯିବାକୁ ମଧ୍ୟ ସଙ୍କୋଚବୋଧ କରୁଛନ୍ତି। ଏତେ ସଂଖ୍ୟାରେ ସରକାରୀ, ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ ଥିଲେ ସୁଦ୍ଧା ଖୋଦ୍ ରାଜଧାନୀ ଋତୁସ୍ରାବ ଅନୁକୂଳ ସହର ହୋଇପାରିଲାନାହିଁ। ସହରର ଅଧିକାଂଶ ଛକ, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ ଆଦିରେ ଥିବା ଶୌଚାଳୟଗୁଡ଼ିକରେ ସାନିଟାରି ନାପକିନ୍ ଭେଣ୍ଡିଂ ମେସିନ ନଥିଲା ବେଳେ ଯେଉଁଠି ଅଛି ସେଠି ଅଚଳ ପଡ଼ିଛି।
୨୦୧୭ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ବିଏମ୍ସି ପକ୍ଷରୁ ସହରର ୧୧ଟି ଶୌଚାଳୟରେ ନାପକିନ୍ ଭେଣ୍ଡିଂ ମେସିନ ଓ ନଷ୍ଟ କରିବା ଯନ୍ତ୍ର (ଇନ୍ସିନେଟର) ଲାଗିବ ବୋଲି କୁହାଯାଇଥିଲା। ଏଥିପାଇଁ ପ୍ରତ୍ୟେକ ଶୌଚାଳୟ ପିଛା ୬୬,୪୦୫ ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା ହୋଇଥିଲା। ହେଲେ ବର୍ତ୍ତମାନ ସେଥିମଧ୍ୟରୁ ଅଧିକାଂଶ ବର୍ଷ ବର୍ଷ ଧରି ଅଚଳ ହୋଇପଡ଼ିଛି। ବିଶେଷ କରି ମାର୍କେଟ ବିଲ୍ଡିଂ, ଆଇଜି ପାର୍କ, ଶ୍ରୀୟା ଛକ, ବାଣୀବିହାର ଶୌଚାଳୟରେ ଏହା ଅଚଳ ହୋଇ ପଡ଼ିଥିବାରୁ ମହିଳାମାନେ ବହୁ ହଇରାଣରେ ପଡ଼ୁଛନ୍ତି। ସେହିପରି ଭୁବନେଶ୍ୱର ରେଳ ଷ୍ଟେସନରେ ବିଭିନ୍ନ କମ୍ପାନି ପକ୍ଷରୁ ନାପକିନ୍ କିଣିବା ପାଇଁ ମେସିନ ଅଛି ହେଲେ ନଷ୍ଟ କରିବା ଯନ୍ତ୍ର ନାହିଁ। ପୁଣି ଭେଣ୍ଡିଂ ମେସିନରେ କେବଳ ଅନ୍ଲାଇନ୍ କିଣିବାର ସୁବିଧା ରହିଛି। ଫଳରେ ଲୋକେ ହଇରାଣରେ ପଡ଼ୁଛନ୍ତି।
ଗତ ମେ’ ମାସରେ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଉତ୍ସବରେ ଯୋଗଦେଇ ସର୍ବସାଧାରଣ ସ୍ଥାନକୁ ଏକ ମହିଳା ଅନୁକୂଳ ଜୋନ୍ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ। ପ୍ରତ୍ୟେକ ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସ୍ୱଚ୍ଛତା ପାଇଁ ସାନିଟାରି ନାପକିନ୍ ଭେଣ୍ଡିଂ ମେସିନ ଲଗାଯିବ ବୋଲି ସେ ଘୋଷଣା କରିଥିଲେ। ହେଲେ ଇତିମଧ୍ୟରେ ଏକ ମାସ ବିତି ଯାଇଥିଲେ ସୁଦ୍ଧା ପୁରୁଣାଗୁଡ଼ାକ ମଧ୍ୟ ସଜଡ଼ା ଗଲା ନାହିଁ। ତେବେ ଏନେଇ ବିଏମ୍ସିର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ପୁରୁଣା ମେସିନଗୁଡ଼ିକ ଏହି ଦୁଇରୁ ତିନି ଦିନ ମଧ୍ୟରେ ସଜଡ଼ା ଯିବା ସହିତ ସହରର ସମସ୍ତ ଶୌଚାଳୟରେ ଖୁବ ଶୀଘ୍ର ଭେଣ୍ଡିଂ ମେସିନ୍ ଲଗାଯିବ। ଗଣତାନ୍ତ୍ରିକ ମହିଳା ସମିତିର ଜାତୀୟ ସମ୍ପାଦିକା ତାପସୀ ପ୍ରହରାଜଙ୍କ କହିବା ଅନୁଯାୟୀ ଋତୁସ୍ରାବକୁ ନେଇ ସରକାର ଏଯାବତ୍ ସମ୍ୱେଦନଶୀଳ ହେଲେ ନାହିଁ। ସହରର ପ୍ରତି ଏକ କିଲୋମିଟର ଭିତରେ ଶୌଚାଳୟ ରହିବା ଉଚିତ। ଯଦିଓ ସରକାର ବହୁ ଯୋଜନା କରୁଛନ୍ତି ହେଲେ ଏହାର ପରିଚାଳନା କିଭଳି ସଠିକ ଭାବରେ ହେବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।