ଭୁବନେଶ୍ବର, ୪/୬(ଇମିସ): ଚିନ୍ତା ବଢ଼ାଇଲାଣି ସାନିଟାରି ନାପ୍କିନ୍। ଭୁଆସୁଣୀକୁ ଆବର୍ଜନା ବୋହିବା ବନ୍ଦ ହେବା ସହ ଶତପ୍ରତିଶତ ଆବର୍ଜନା ପରିଚାଳନା ପାଇଁ ବିଏମ୍ସି ଅଣ୍ଟା ଭିଡ଼ିଛି। ଶତ ପ୍ରତିଶତ ଆବର୍ଜନା ସଂଗ୍ରହ ସ୍ଥଳରୁ ହିଁ ପୃଥକ୍ ପୃଥକ୍ ଆଣିବା ପାଇଁ ବ୍ୟବସ୍ଥା ହୋଇଛି। ପରିସ୍ଥିତି ସୁଧୁରି ଆସୁଥିବା ବେଳେ ଚିନ୍ତା ବଢ଼ାଇଲାଣି ସାନିଟାରି ନାପ୍କିନ୍। ମାସକୁ ପ୍ରାୟ ୧ ଲକ୍ଷ ନାପ୍କିନ୍ ସଂଗ୍ରହ ହେଉଛି। ଏହା ଶୁଖିଲା ଆବର୍ଜନା ଭାବରେ ବିବେଚନା ହେଉଛି। ଏଣୁ ଏ ସବୁକୁ ୱେଲ୍ଥ ସେଣ୍ଟରରେ ଥିବା ଏମ୍ଆରଏଫ୍(ମ୍ୟାଟେରିଆଲ୍ ରିକଭରି ଫାସିଲିଟି)କୁ ନିଆଯାଉଛି। କିନ୍ତୁ ଏହାର ପରିଚାଳନା ସମ୍ଭବ ହେଉ ନାହିଁ। ଫଳରେ ବିଭିନ୍ନ ୱେଲ୍ଥ ସେଣ୍ଟର୍ରେ ଏ ସବୁ ଗଦା ହୋଇ ରହିଛି। ଦିନକୁ ଦିନ ଏହାର ସଂଖ୍ୟା ବଢ଼ୁଥିବାରୁ ଏହାର ପରିଚାଳନା ନେଇ ଚିନ୍ତା ବଢ଼ିଛି।
ମାସକୁ ସଂଗ୍ରହ ହେଉଛି ଲକ୍ଷେ, ଏମ୍ଆର୍ଏଫ୍ରେ ଗଦା ହେଲାଣି
ସମ୍ଭବ ହେଉନି ପରିଚାଳନା, ବିଏମ୍ସି କିଣିବ ନାପ୍କିନ୍ ଇନ୍ସିନରେଟର
କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬ ଅନୁଯାୟୀ, ଏହି ଆବର୍ଜନା ହାନିକାରକ ଆବର୍ଜନା ଶ୍ରେଣୀରେ ଅନ୍ତର୍ଭୁକ୍ତ। ମନୁଷ୍ୟ ସ୍ବାସ୍ଥ୍ୟ ପ୍ରତି ଏହା ବିପଜ୍ଜନକ। ଏଣୁ ଏହାକୁ ଉଚିତ୍ ଢ଼ଙ୍ଗରେ ନଷ୍ଟ କରିବା ଆବଶ୍ୟକ। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବୈଦ୍ୟୁତିକ ବା ସୌରଚାଳିତ ଇନ୍ସିନରେଟର ବ୍ୟବହାର କରାଯିବା ଉଚିତ୍। ଯଦି ଏହା ସଂଗୃହୀତ ହୋଇ ପାରୁନି ତେବେ ଲୋକଙ୍କ ହାତପାଆନ୍ତାରେ ଏଭଳି ଇନ୍ସିନରେଟର ସୁବିଧା ଉପଲବ୍ଧ କରାଇବା କଥା। ନଳା(ଇଣ୍ଟରନାଲ୍) ସଫା କରୁଥିବା ଏକ ଠିକା ସଂସ୍ଥାର କହିବା ଅନୂଯାୟୀ ଅନେକ ସମୟରେ ନଳାରୁ ସାନିଟାରି ନାପ୍କିନ୍ ଓ ଡାଏପର୍ ବାହାରୁଛି। ସଫେଇ କର୍ମଚାରୀମାନେ ନଳା ସଫା କରୁଥିବା ବେଳେ ଏସବୁ ସଂସ୍ପର୍ଶରେ ଆସୁଛନ୍ତି। ଏଭଳି ଫିଙ୍ଗିବା ଉପରେ କଟକଣା କରଯିବା ଜରୁରି। ଶୁଖିଲା ଆବର୍ଜନା ହିସାବରେ ଏହାକୁ ସଂଗ୍ରହ କରି ଇନ୍ସିନରେଟର ଜରିଆରେ ନଷ୍ଟ କରିବା ଆବଶ୍ୟକ।
ବର୍ତ୍ତମାନ ସହରରୁ ଦୈନିକ ପ୍ରାୟ ୬ଶହ ଟନ୍ ଆବର୍ଜନା ବହାରୁଛି। ଓଦା ଆବର୍ଜନା ପରିଚାଳନା କରିବା ପାଇଁ ୩୪ଟି ଏମ୍ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ରହିଥିବା ବେଳେ ଶୁଖିଲ ଆବର୍ଜନା ପାଇଁ ୧୯ଟି ଏମ୍ଆର୍ଏଫ୍ ରହିଛି। ଟିଟିଏସ୍ରେ ଗଦା ହୋଇ ରହିଥିବା ଓଦା ଆବର୍ଜନାକୁ ପରିଚାଳନା କରିବା ପାଇଁ ୱିଣ୍ଡ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ପ୍ଲାଣ୍ଟ ପ୍ରାୟ ୨ଶହ ଟନ୍ ଓଦା ଆବର୍ଜନା ଖତ କରିବ। ଏମ୍ଆର୍ଏଫ୍ରେ ଶୁଖିଲା ଆବର୍ଜନାରେ ଥିବା ପୁନଃବ୍ୟବହାର ଯୋଗ୍ୟ ପଦାର୍ଥକୁ ବାହାର କରାଯାଉଛି। ପରେ ସେଗୁଡ଼ିକୁ ଟେଣ୍ଡର ଜରିଆରେ ବିକ୍ରି କରି ଦିଆଯାଉଛି। କିନ୍ତୁ ଏ ସବୁ ସାନିଟାରି ନାପ୍କିନ୍ ପୁନଃବ୍ୟବହାର ଯୋଗ୍ୟ ନୁହେଁ। ଏଣୁ ଏ ସବୁ ପରିଚାଳନା ହୋଇ ପାରୁନଥିବାରୁ ଗଦା ହୋଇ ରହୁଛି। ପୂର୍ବରୁ ଏ ସବୁକୁ ନଷ୍ଟ କରିବା ପାଇଁ ନାପ୍କିନ୍ ଇନ୍ସିନରେଟର ମେସିନ୍ ୱେଲ୍ଥ ସେଣ୍ଟରରେ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଏହା ଖରାପ ହୋଇଯିବାରୁ ନାପ୍କିନ୍ ଗଦା ହୋଇ ରହୁଛି।
ଏନେଇ ବିଏମ୍ସିର ମଧ୍ୟ ମୁଣ୍ଡ ବିନ୍ଧିଛି। ବିଭିନ୍ନ ୱେଲ୍ଥ ସେଣ୍ଟରରେ ଏ ସବୁ ଗଦା ହେବାରୁ ଏହାକୁ ନଷ୍ଟ କରିବାକୁ ଯୋଜନା ହୋଇଛି। ଖୁବ୍ଶୀଘ୍ର ନୂଆ ଅଧିକ କ୍ଷମତା ବିଶିଷ୍ଟ ଇନ୍ସିନରେଟର କିଣାଯିବା ଯୋଜନା ହେଉଥିବା ଜଣାପଡ଼ିଛି। ଦିନକୁ ୨ଶହରୁ ଅଧିକ ନାପ୍କିନ୍ ନଷ୍ଟ କରିପାରୁଥିବା ମେସିନ୍ କିଣାଯାଇ ବିଭିନ୍ନ ୱେଲ୍ଥ ସେଣ୍ଟରରେ ସ୍ଥାପନ କରିବାକୁ ଯୋଜନା ହେଉଛି। ଖୁବ୍ଶୀଘ୍ର ଏ ନେଇ ଟେଣ୍ଡର ଡକାଯିବ ବୋଲି ସୂଚନା ମିଳିଛି।
ତେବେ କେବଳ ବିଏମ୍ସି ନୁହେଁ, ଗୃହ ଓ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୂଯାୟୀ ବିଭିନ୍ନ ସହରାଞ୍ଚଳରେ ଏହି ସମସ୍ୟା ସଅେ୍ଟି ହୋଇଛି। ଏହା ହାନିକାରକ ଆବର୍ଜନା ହୋଇଥିବାରୁ ଏଣେତେଣେ ଫିଙ୍ଗିବା ଯୋଗୁ ସ୍ବାସ୍ଥ୍ୟପ୍ରତି ବିପଦ ସୃଷ୍ଟି କରୁଛି। ଏଣୁ ପ୍ରତ୍ୟେକ ପୌରସଂସ୍ଥାରେ ଏଭଳି ନାପ୍କିନ୍ ଇନ୍ସିନରେଟର ସ୍ଥାପନ ପାଇଁ ଯୋଜନା ହୋଇଛି। କଟକ ଓ କେନ୍ଦ୍ରପଡ଼ା ଜିଲ୍ଲାରେ ସର୍ବାଧିକ ୧୦ଟି ଲେଖାଏଁ ସ୍ଥାପନ ହେବାକୁ ଯୋଜନା ଥିବା ବେଳେ ସାରା ରାଜ୍ୟରେ ମୋଟ ୧୪୪ ମେସିନ୍ ସ୍ଥାପନ କରିବାକୁ ସ୍ଥିର କରାଯାଇଛି।