ବିଏମ୍‌ସି: ଖର୍ଚ୍ଚ ବଢ଼ୁଛି, ଅଳିଆ ଉଠୁନି, ପୁଣି କିଣିବେ ଡଷ୍ଟବିନ୍‌

ଭୁବନେଶ୍ୱର: ଆଜି ବିଏମ୍‌ସି ବୈଠକରେ ଉଠିଛି ପରିମଳ ତାତି। ଖର୍ଚ୍ଚ ବଢ଼ିବଢ଼ି ଯାଉଥିଲେ ବି ଅଳିଆ ଉଠୁନି। ଅଭିଯୋଗ ହେଲେ ଗୋଟିଏ ଜାଗାରୁ ଉଠାଇ ଅନ୍ୟ ଜାଗାରେ ଗଦେଇ ଦେଉଛନ୍ତି। ପୂର୍ବରୁ ହୋଇଥିବା‌ ଅନାବଶ୍ୟକ ୨ଶହ କୋଟିର ଖର୍ଚ୍ଚ ଉପରେ ଅଡିଟ୍‌ ପ୍ରଶ୍ନ ଉଠାଇଥିବା ବେଳେ ମାମଲା ଲୋକାୟୁକ୍ତରେ ପଡ଼ିଛି। ଠିକାଦାର ନିଯୁକ୍ତି ପରେ ବି ବିଏମ୍‌ସି ନିଜ ହାତରୁ ଯେଭଳି ଖର୍ଚ୍ଚ କରୁଛି, ସେଥିରେ ମଧ୍ୟ ଆଗକୁ ଅଡିଟ୍‌ରେ ଫସିବାକୁ ଯାଉଛି। ୨୦୧୩ ମସିହାରୁ ଅଡିଟ୍‌ ଅବ୍‌ଜେକ୍ସନ କରିଆସୁଥିଲେ ମଧ୍ୟ ବିଏମ୍‌ସି ଏ ଯାବତ୍‌ ଉପଯୁକ୍ତ କାଗଜପତ୍ର ଦାଖଲ କରିପାରୁନାହିଁ। ଏହି ପ୍ରସଙ୍ଗ ସମେତ ରୂପାଲି ଛକରେ ତିନିଟି କିଓସ୍କ ପ୍ରଦାନ, ଜବରଦଖଲ ଉଚ୍ଛେଦକୁ ନେଇ ହୋ ହଲ୍ଲା ହୋଇଛି। ‘ଭିକାରୀମୁକ୍ତ ଭୁବନେଶ୍ବର’ ଘୋଷଣା ଓ ୟୁନିଟ୍‌-୪ ମାଂସ ହାଟ ପୁନଃଆବଣ୍ଟନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।

ପରିମଳ ବ୍ୟବସ୍ଥାରେ ହେଉଥିବା ଅକାରଣ ଖର୍ଚ୍ଚକୁ ନେଇ କର୍ପୋରେଟର ନୃପେଶ ନାୟକ ପ୍ରଶ୍ନ ଉଠାଇଛନ୍ତି। ଘରୁ ଘରୁ ଆବର୍ଜନା ଉଠାଇବା ପାଇଁ ବିଏମ୍‌ସି ଆଉ ୫୦ଟି ଅଟୋ କିଣିବାକୁ ଯାଉଛି। ସର୍ବସାଧାରଣ ସ୍ଥାନରୁ ରାତିଅଧିଆ ଡଷ୍ଟବିନ୍‌ ହଟାଇଦିଆଯିବା ପରେ ବିଏମ୍‌ସି ପୁଣି ୨୪୦ ଲିଟର ବିଶିଷ୍ଟ ୩ଶହ ଡଷ୍ଟବିନ୍‌ କିଣିବାକୁ ଯୋଜନା କରିଛି। ଏହାକୁ ନେଇ ଶ୍ରୀ ନାୟକ ବିଏମ୍‌ସିକୁ ଉତ୍ତର ମାଗିବାରୁ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ସେହିଭଳି ଚନ୍ଦ୍ରଶେଖରପୁର ଅଞ୍ଚଳରେ ସଫେଇ ଦାୟିତ୍ବ ନେଇଥିବା ପ୍ରତ୍ୟୁଷ ସଫା କରୁନଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେତେକ କର୍ପୋରେଟର ପରାମର୍ଶ ଦେଇଛନ୍ତି।

ଜବରଦଖଲ ସମସ୍ୟାକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି। କର୍ପୋରେଟର ଶ୍ରୀ ନାୟକଙ୍କର ପ୍ରଶ୍ନର ଉତ୍ତରରେ ବିଏମ୍‌ସି ଅଧିକାରୀ ଥତମତ ହୋଇଛନ୍ତି। ଗୋୗତମନଗରରେ ଜଣେ ଜବରଦଖଲକାରୀ ସରକାରୀ ଜାଗାରେ ୮ ବଖରା ଘର ତିଆରି କରି ଭଡ଼ା ଲଗେଇଛନ୍ତି। ୨୦୧୭ ମସିହାରୁ ଏହାକୁ ଉଚ୍ଛେଦ କରିବାକୁ ବିଏମ୍‌ସି ୧୧ ଥର ଆଦେଶ କରି ସାରିଥିଲେ ମଧ୍ୟ ଏହା ହୋଇପାରୁନାହିଁ। ପ୍ରତ୍ୟେକ ଥର ବିଏମ୍‌ସି ନିଜ ଆଦେଶକୁ ବାତିଲ କରି ମିଳିତ ମାପଚୁପ କରିବାକୁ ଆଦେଶ କରୁଛି। କର୍ପୋରେଟରଙ୍କ ଅଭିଯୋଗ ପରେ ଆଜି ପୁଣି ଥରେ ମିଳିତ ମାପଚୁପ ପାଇଁ ଆସିନ୍ତା ୨୫ ତାରିଖକୁ ଧାର୍ଯ୍ୟ ହୋଇଛି। କେବଳ ଏହି ଗୋଟିଏ ଜାଗା ନୁହେଁ, ସହରର ବିଭିନ୍ନ ସ୍ଥାନରେ ଏଭଳି ସରକାରୀ ଜାଗାରେ ଘର ହୋଇଛି। କେତେକ ପୂର୍ବତନ ଲୋକ ପ୍ରତିନିଧି ଏଭଳି ବେଆଇନ କାର୍ଯ୍ୟ କରିଥିବା ବେଳେ ବିଏମ୍‌ସି ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମ୍‌ସି ପ୍ରତିଶ୍ରୁତି ଦେଇଛି।

ଜନପଥରେ ଥିବା କିଓସ୍କଗୁଡ଼ିକୁ ନେଇ ହୋ ହଲ୍ଲା ହୋଇଛି। ଏଠାରେ ୩୦ଟି କିଓସ୍କକୁ ଅନୁମତି ମିଳିଥିବା ବେଳେ ୩୩ଟି ପଡ଼ିଛି। ଏହି ତିନୋଟି କିଓସ୍କ ନେଇଥିବା ହିତାଧିକାରୀ ଅନ୍ୟତ୍ର ଦୋକାନ ପାଇଥିଲେ ମଧ୍ୟ ଏଠାରେ କିଭଳି ନେଲେ, ସେନେଇ କର୍ପୋରେଟର ଜୀବନ ରାଉତ ପ୍ରଶ୍ନ ଉଠାଇବା ପରେ ହୋ ହଲ୍ଲା ହୋଇଛି। ବିଏମ୍‌ସି ଅଗୋଚରରେ ସ୍ମାର୍ଟସିଟି ସେମାନଙ୍କୁ ଦେଇ ଦେଇଥିବା ଅଭିଯୋଗ ହୋଇଛି। କୋର୍ଟଙ୍କ ଆଦେଶ ବଳରେ ସେମାନେ ସେଠାରେ ଦୋକାନ କରିଥିବା ବେଳେ ସେମାନଙ୍କୁ ସ୍ମାର୍ଟ ସିଟି କେବଳ ସ୍ଥାନାନ୍ତରିତ କରିଛି ବୋଲି ସ୍ମାର୍ଟ ସିଟି ପକ୍ଷରୁ ଉତ୍ତର ମିଳିଛି।

ହକି ପାଇଁ ୪୭କୋଟି ଖର୍ଚ୍ଚ ଅଟକଳ
ପୁନଃଆବଣ୍ଟନ ହେବ ଅଚଳ ମାଂସ ହାଟ

ବିଏମ୍‌ସିରେ କାର୍ଯ୍ୟରତ ଡିଏଲ୍‌ଆର ଓ ସିଏଲ୍‌ଆର କର୍ମଚାରୀରଙ୍କୁ ଇଏସ୍‌ଆଇ ସ୍କିମ୍‌ରେ ଅନ୍ତର୍ଭୁକ୍ତ କରିବା ପାଇଁ ଏଷ୍ଟାବ୍ଲିସ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି ସିୁପାରିଶ କରିଛି। ଏହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଛି। ସାନିଟାରି ଇନ୍‌ସ୍‌ପେକ୍ଟରଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା(ଦରମା ବାଦ୍‌) ପ୍ରଦାନ ପାଇଁ ସୁପାରିଶ କରାଯାଇଛି। ସେହିଭଳି ୟୁନିଟ୍‌-୪ରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇ ଅଚଳ ଅବସ୍ଥାରେ ପଡ଼ିରହିଥିବା ମାଂସ ହାଟକୁ ପୁନଃ ଆବଣ୍ଟନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଯେଉଁମାନଙ୍କୁ ଆବଣ୍ଟନ ହେବ ସେମାନେ ଯେଭଳି ବାହାରେ ବସି ମାଂସ ବିକ୍ରି କରିପାରିବେ ନାହିଁ, ସେନେଇ କଡ଼ା କାର୍ଯ୍ୟାନୁଷ୍ଠାନ ହେବାକୁ ସ୍ଥିର ହୋଇଛି।

ସେହିଭଳି ଭୁବନେଶ୍ବରକୁ ଭିକାରୀମୁକ୍ତ ସହର ଘୋଷଣା କରାଯିବ। ଯେଉଁ ଭିକାରୀମାନେ ବାହାରେ ବୁଲୁଛନ୍ତି, ସେମାନଙ୍କୁ ଉଦ୍ଧାରକାରୀ ଦଳ ସ୍ବତନ୍ତ୍ର ଭ୍ୟାନ୍‌ରେ ବିଆର୍‌ସି(ବେଗାର ରିସିଭିଂ ସେଣ୍ଟର), ସହରାଞ୍ଚଳ ବାସହୀନ ଆଶ୍ରୟସ୍ଥଳ(ଏସ୍‌ୟୁଏଚ୍‌)ରେ ଆଣି ରଖିବାକୁ ନିଷ୍ପତ୍ତି ହୋଇଛି। ମୁକ୍ତା ଯୋଜନାରେ ସହରର ସୌନ୍ଦର୍ଯ୍ୟୀକରଣ ପାଇଁ ୩ କୋଟି ୧୯ ଲକ୍ଷ ୯୪ ହଜାର ଟଙ୍କା ଖର୍ଚ୍ଚ ହେବାକୁ ଯୋଜନା ଥିବା ବେଳେ ହକି ପାଇଁ ୪୭ କୋଟି ଖର୍ଚ୍ଚ ଆକଳନ କରାଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଡେପୁଟିମେୟର ମଞ୍ଜୁଲତା କଅଁର, ବିଧାୟକ(ମଧ୍ୟ)ଙ୍କ ପ୍ରତିନିଧି ମିଲନ ପାଇକରାୟ, ଏକାମ୍ର ବିଧାୟକଙ୍କ ପ୍ରତିନିଧି ଦାଶରଥି ଗରାବଡୁ, କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ବିନୟ କୁମାର ଦାଶ, ସୂର୍ଯ୍ୟବଂଶୀ ମୟୁର ବିକାଶ ଉପସ୍ଥିତ ଥିଲେ।

ସ୍ମାର୍ଟ ସିଟି ଉପରେ ବର୍ଷିଲେ ମେୟର
ସିଇଓଙ୍କ ରହସ୍ୟଜନକ ନିରବତା

ସ୍ମାର୍ଟସିଟି ଉପରେ ଆଜି ବର୍ଷିଛନ୍ତି ମେୟର ସୁଲୋଚନା ଦାସ। ସ୍ମାର୍ଟ ସିଟିରେ ଦୁର୍ନୀତି ହୋଇଛି ବୋଲି ଜଣେ କର୍ପୋରେଟର ଅଭିଯୋଗ କରିବା ପରେ ମେୟର ସ୍ମାର୍ଟ ସିଟି ଜିଏମ୍‌ଙ୍କ ଠାରୁ ଉତ୍ତର ମାଗିଥିଲେ। ବିଏମ୍‌ସି ନବନିର୍ମିତ କୋଠାରେ ଡିଲଏଟ୍‌ ଓ ଅନ୍ୟ ବଡ଼ବଡ଼ କମ୍ପାନିଙ୍କୁ ବସାଇବା ନିଷ୍ପତ୍ତି କିଏ ନେଲା? ମେୟର କିଭଳି ଜାଣିପାରିଲେ ନାହିଁ? ସ୍ମାର୍ଟ ସିଟି ବିଏମ୍‌ସି ବାହାରେ କି? ଯଦି ସ୍ମାର୍ଟ ସିଟି ବିଏମ୍‌ସି ବାହାରେ ତେବେ ପ୍ରେସ୍‌ମିଟ୍‌ କରି ସର୍ବସମ୍ମୁଖରେ ତଥ୍ୟ ରଖନ୍ତୁ ବୋଲି ସେ କହିଛନ୍ତି। ସରକାର ଏହି ନିଷ୍ପତ୍ତି ନେଇଥିବା ସ୍ମାର୍ଟ ସିଟି ଜିଏମ୍‌ ଉତ୍ତର ଦେବା ପରେ ମଧ୍ୟ ମେୟର ତାତି ଉଠିବା ଘଟଣା ବେଶ୍‌ ଚର୍ଚ୍ଚା‌ର ବିଷୟ ହୋଇଥିଲା। ସରକାରଙ୍କ ନିଷ୍ପତ୍ତିକୁ ମେୟର ଚାଲେଞ୍ଜ କଲା ଭଳି ପରିସ୍ଥିତି ଉପୁଜିଥିଲା‌। ଏ ସବୁର ଉତ୍ତର ସ୍ମାର୍ଟ ସିଟି ଜିଏମ୍‌ ରଖୁଥିଲେ। ସ୍ମାର୍ଟସିଟି ସିଇଓ ତଥା ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ନିରବ ରହିଥିଲେ। ସ୍ମାର୍ଟ ସିଟି ସିଇଓ ହିସାବରେ ତାଙ୍କ ପାଖରେ ସବୁ ତଥ୍ୟ ରହିଛି। କେଉଁ ସଂସ୍ଥାକୁ କେଉଁଠି ଦିଆଯାଉଛି? କର୍ତ୍ତୃପକ୍ଷ କଣ ନିଷ୍ପତ୍ତି ନେଉଛନ୍ତି? ଏ ସବୁ ତଥ୍ୟ ରହିଥିଲେ ମଧ୍ୟ ତାଙ୍କର ରହସ୍ୟମୟ ନିରବତା ପ୍ରସଙ୍ଗକୁ ରୋଚକ କରିଛି।

ସମ୍ବନ୍ଧିତ ଖବର