ଭୁବନେଶ୍ୱର: ବିଏମ୍‌ସିକୁ କାଳେ କାଳେ ଟେଣ୍ଡର କେଳେଙ୍କାରୀ ବଦ୍‌ନାମ କରି ରଖିଛି। ବିଏମ୍‌ସି କେବଳ ବଦ୍‌ନାମ ହୋଇନାହିଁ, ବରଂ ସୁଖସ୍ବାଚ୍ଛନ୍ଦ୍ୟରେ ଜୀବନ ବିତାଇବା ପାଇଁ ରାଜଧାନୀରେ ଘର କରିଥିବା ଲୋକେ ଏହି କେଳେଙ୍କାରୀ ଯୋଗୁ ଫସି ରହିଛନ୍ତି। ଏପଟେ କେଳେଙ୍କାରୀରେ ସାମିଲ ଅଧିକାରୀ ମାଲେମାଲ୍‌ ହେଉଛନ୍ତି। ଗୋଟିଏ ଘଟଣାରୁ ବିଏମ୍‌ସି ଶିଖୁ ନଥିବାରୁ ଏଭଳି କେଳେଙ୍କାରୀ ବାରମ୍ବାର ହେଉଛି। ସେବେ ତ୍ରୁଟିଯୁକ୍ତ ପରିମଳ ଟେଣ୍ଡରକୁ ବାତିଲ୍‌ କରିବାକୁ ‌କର୍ପୋରେସନ ବୈଠକ ଉଠୁଥିଲା ପଡ଼ୁଥିଲା। ହେଲେ କିଛି ଫଳ ହେଲାନି। ଏବେ ଯାନବାହନ ଟେଣ୍ଡରକୁ ନେଇ ହୋ ହଲ୍ଲା ଚାଲିଛି। ଉଭୟ ଘଟଣାରେ ଟେଣ୍ଡର ବାତିଲ୍‌ ପାଇଁ କର୍ପୋରେସନ ନିଷ୍ପତ୍ତି ନେଇ ସାରିଥିଲେ ମଧ୍ୟ ବିଭିନ୍ନ ଆଳରେ ଏହାକୁ ଏଡ଼ାଇ ଦିଆଯାଇଛି। 

Advertisment

ପୂର୍ବରୁ ସହରରୁ ଆବର୍ଜନା ଉଠାଇବା ପାଇଁ ଓଜନ ହିସାବରେ ପଇସା ଦିଆଯାଉଥିଲା। ଏଣୁ ଠିକା ସଂସ୍ଥା ଯେଉଁଠୁ ଯାହା ପାରୁଥିଲେ ବୋହି ନେଉଥିଲେ। ଯେତେ ଓଜନ ଦେଖାଉଥିଲେ ସେତେ ପଇସା ନେଉଥିଲେ। ଏଣୁ ସହରରେ ଆବର୍ଜନା ପଡ଼ିରହୁ ନଥିଲା। କିନ୍ତୁ କେତେକ ସଂସ୍ଥା ସହରର ଆବର୍ଜନା ସହ ଆପାର୍ଟମେଣ୍ଟ, ହୋଟେଲ୍‌ ଓ ମାଟିଗୋଡ଼ି ଉଠାଇ ବିଲ୍‌ କଲେ। ଫଳରେ ୬୭ ୱାର୍ଡକୁ ଭାଗ ଭାଗ କରି ୧୦ଟି ପ୍ୟାକେଜ୍ ବିଶିଷ୍ଟ ଟେଣ୍ଡର ଡାକିଲା ବିଏମ୍‌ସି। ବିଏମ୍‌ସିର ଅଧିକାରୀଙ୍କ ଉପରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଭରସା ନ କରି ଜଣେ ମୁଖ୍ୟଯନ୍ତ୍ରୀ(ପରିମଳ)ଙ୍କୁ ବିଏମ୍‌ସିରେ ନିଯୁକ୍ତି ଦେଲା। ସମ୍ପୃକ୍ତ ଅଧିକାରୀ ଟେଣ୍ଡର ଜରିଆରେ ଠିକାସଂସ୍ଥା ଚୟନ କଲେ। ଦକ୍ଷିଣ ଭାରତର ଏକ ଠିକା ସଂସ୍ଥା ଏକାଧିକ ୱାର୍ଡର ପରିମଳ ଦାୟିତ୍ବ ନେଲା। ତା ଛଡ଼ା ଟେଣ୍ଡରରେ ଏତେ ତ୍ରୁଟି ରହିଲା ଯେ, ସମସ୍ତ ୱାର୍ଡରେ ସଫେଇ ହୋଇ ପାରିଲା ନାହିଁ। ଯେଉଁ ରାସ୍ତା ମାପ ଠିକାସଂସ୍ଥାକୁ ଦିଆଗଲା, ବାସ୍ତବରେ ରାସ୍ତାର ଲମ୍ବା ତା’ଠାରୁ ଢେର୍‌ ଅଧିକ ଥିଲା। ଏଣୁ ଚୁକ୍ତିପତ୍ରରେ ଥିବା ମାପ ଅନୁସାରେ ଠିକା ସଂସ୍ଥା ରାସ୍ତା ସଫା କଲା। ବଳକା ରାସ୍ତା ସଫା ହେଲାନାହିଁ। ଏହି ମାପ କେବଳ ଉଦାହରଣ ମାତ୍ର। ଏଭଳି ଏକାଧିକ ତ୍ରୁଟି ଯୋଗୁ କର୍ପୋରେସନ ବୈଠକରେ ହୋ ହଲ୍ଲା ଚାଲିଲା। ଶେଷରେ ନିଷ୍ପତ୍ତି ହେଲା କି ଟେଣ୍ଡର ବାତିଲ୍‌ କରାଯିବ। ସରକାର ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ଦେଇ ଟେଣ୍ଡର କରିଥିବାରୁ ବାତିଲ୍‌ ପ୍ରସ୍ତାବ ସରକାରଙ୍କ ପାଖକୁ ପଠାଗଲା। ଏବେ ଏହି ପ୍ରସ୍ତାବ ସରକାରଙ୍କ ପାଖରେ ପଡ଼ିଛି। ସରକାର ବଦଳିଗଲେଣି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କୁ ମଧ୍ୟ ସରକାର ହଟାଇ ସାରିଲେଣି। ହେଲେ ପ୍ରସ୍ତାବ ସରକାରଙ୍କ ପାଖରେ ପଡ଼ିଛି। ଯେଉଁମାନେ ଏହାକୁ ବାତିଲ କରିବାକୁ ହଲ୍ଲା ପକାଉଥିଲେ ସେମାନେ ଚୁପ୍‌ ହୋଇଗଲେଣି। 

ଏବେ ଯାନବାହନ ଟେଣ୍ଡରକୁ ‌ନେଇ ହୋ‌ ହଲ୍ଲା ଚାଲିଛି। ବିଏମ୍‌ସିକୁ ଆବଶ୍ୟକ ହେଉଥିବା ବିଭିନ୍ନ ବର୍ଗର ଗାଡ଼ି ପାଇଁ ଯାନବାହନ ଉପବିଭାଗ ଦାୟିତ୍ବରେ ଥିବା ଯେଉଁ ଡେପୁଟି କମିସନର ଟେଣ୍ଡର ଆହ୍ବାନ କରିଥିଲେ ସେ ହିଁ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। କିନ୍ତୁ ପୌର ଆଇନ ଅନୁସାରେ ଡେପୁଟି କମିସନର ଚୁକ୍ତିନାମା କରିବାକୁ କ୍ଷମତାପ୍ରାପ୍ତ ନୁହନ୍ତି। କମିସନର ମଧ୍ୟ ଏ ପ୍ରକାର କାର୍ଯ୍ୟ କରିବାକୁ ପୌର ଆଇନ୍-୨୦୦୩ ଧାରା ୨୯ (୨) ଓ ୩୦ ଆଧାରରେ ସମ୍ପୃକ୍ତ ଅଧିକାରୀଙ୍କୁ ଅଧିକାର ଦେଇନଥିଲେ। ଚୁକ୍ତିନାମାରେ ଯାହା ସର୍ତ୍ତ ରହିଥିଲା ବା ପରିବର୍ତ୍ତନ ହୋଇଥିଲା ତାହାକୁ କର୍ପୋରେସନର ମଞ୍ଜୁରି ମିଳିନଥିଲା। ବଡ଼କଥା ହେଲା ପୂର୍ବରିୁ ଯେତିକି ଖର୍ଚ୍ଚ ହେଉଥିଲା ତାହା ଠାରୁ ଅଧିକ ଖର୍ଚ୍ଚ ହେଲା। ଡେପୁଟି କମିସନର ଏହି ନିଷ୍ପତ୍ତି କିଭଳି ନେଇଗଲେ ତାହାକୁ ନେଇ ପ୍ରଶ୍ନ ଉଠିବା ପରେ କର୍ପୋରେସନ ବୈଠକରେ ପ୍ରବଳ ହୋ ହଲ୍ଲା ହୋଇଥିଲା। ଶେଷରେ ଏହାକୁ ବାତିଲ୍‌ କରିବାକୁ ନିଷ୍ପତ୍ତି ହେଲା। ବାତିଲ୍‌ ପୂର୍ବରୁ ତଦନ୍ତ କରିବାକୁ ଜଣେ ଅଧିକାରୀଙ୍କୁ ଦାୟିତ୍ବ ଦିଆଗଲା। ତଦନ୍ତ ଆରମ୍ଭ ହେଉ ହେଉ ଅତିରିକ୍ତ ସହକାରୀ ଯନ୍ତ୍ରୀଙ୍କୁ ବିଏମ୍‌ସିରୁ ରାତି ଅଧିଆ ବଦଳି କରାଗଲା। ତଦନ୍ତ ସରୁ ସରୁ ଡେପୁଟି କମିସନରଙ୍କୁ ଯାନବାହନ ଦାୟିତ୍ବରୁ ହଟାଇଦିଆଗଲା। ହେଲେ ଟେଣ୍ଡର ବାତିଲ୍‌ ହେଲାନି। ବରଂ ମେୟର ଓ ବରିଷ୍ଠ ଅଧିକାରୀଙ୍କୁ ନେଇ ଆଉ ଏକ କମିଟି ଗଠନ ହେଲା। ‌କେବଳ କାଳକ୍ଷେପଣ ନୀତି ଆପଣେଇ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କଲା। ଏଣେ ନୂଆ ସଂସ୍ଥାର ଚୁକ୍ତିନାମା ମଧ୍ୟ ଝୁଲି ରହିଲା। ଫଳରେ ୪ ମାସ ହେବ ପୁରୁଣା ଗାଡ଼ିମାଲିକମାନେ ଭଡ଼ା ପାଇ ନାହାନ୍ତି। ନିକଟ ଅତୀତରେ ଗାଡ଼ିଚାଳକଙ୍କ କାର୍ଯ୍ୟବନ୍ଦ ଯୋଗୁ ଅଧିକାରୀମା‌ନେ ଭଡ଼ା ଗାଡ଼ିରେ ଅଫିସ ଆସିଥିଲେ। ଏବେ ବି ସମାଧାନ ହୋଇ ନଥିବାରୁ  ଆସନ୍ତାମାସରେ ଗାଡ଼ିମାଲିକ କାର୍ଯ୍ୟବନ୍ଦ କରିବାକୁ ଯୋଜନା କରୁଛନ୍ତି।