ଲୋକସେବା ଭବନ ପାର୍କିଂରେ ବିପର୍ଯ୍ୟସ୍ତ ପରିମଳ, ମଦ ବୋତଲ ବି ଗଡ଼ୁଛି

ଭୁବନେଶ୍ୱର: ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ସୌଧ ହେଲା ଲୋକସେବା ଭବନ। ବିଭିନ୍ନ ପ୍ରଶାସନିକ ବିଭାଗର କାର୍ଯ୍ୟାଳୟ ଏଠାରେ। ପୁଣି ମୁଖ୍ୟମନ୍ତ୍ରୀ ଓ ସବୁ ମନ୍ତ୍ରୀଙ୍କ ପ୍ରକୋଷ୍ଠ ଏହି ‌ଭବନରେ। ଏହି କୋଠାର ପଛପଟେ ଥିବା ପାର୍କିଂ ସ୍ଥାନରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଏକ ଲଜ୍ଜାଜନକ ଉଦାହରଣ ସୃଷ୍ଟି କରୁଛି। ଲୋକସେବା‌ ଭବନ ପରିସରକୁ କେବଳ ପାସ୍‌ ଥିବା କାର୍‌ ହିଁ ପ୍ରବେଶ ପାଇଁ ଅନୁମତି ଦିଆଯାଏ। ବିଶେଷ କରି ବିଭିନ୍ନ କାମରେ ଏଠାକୁ ଆସୁଥିବା ଲୋକମାନେ ପଛ ପଟେ ଥିବା ପାର୍କିଂ ସ୍ଥାନରେ ଗାଡ଼ି ରଖି ଭିତରକୁ ଯାଆନ୍ତି। ଏପରିକି ନ’ତାଲାକୁ ଆସୁଥିବା ଲୋକମାନେ ମଧ୍ୟ ଏଠାରେ କାର୍‌ ପାର୍କିଂ କରନ୍ତି। ଏହା ବାଦ୍ ଗା‌ଡ଼ି ପାସ୍ ପାଇ ନ ଥିବାରୁ ଲୋକସେବା ଭବନର କର୍ମଚାରୀ ମଧ୍ୟ ଏଠାରେ ଗାଡ଼ି ପାର୍କିଂ କରି ଭିତରକୁ ଯାଆନ୍ତି। ଏହି ପାର୍କିଂ ସ୍ଥାନଟିକୁ କିଛି ମାସ ତଳେ ନିର୍ମାଣ କରାଯାଇଛି।

ବେଶ୍‌ ଅର୍ଥ ଖର୍ଚ୍ଚ କରାଯାଇ ଏହାକୁ ସଜାଯାଇଛି। କିନ୍ତୁ ପରିମଳ ପରି ସର୍ବନିମ୍ନ ବ୍ୟବସ୍ଥା ପ୍ରତି କେହି ଧ୍ୟାନ ଦେଉ ନାହାନ୍ତି। ଏଠାରେ ଶତାଧିକ ଗାଡ଼ି ସବୁଦିନେ ରହୁଥିବାରୁ ଏହାର ପରିସରରେ ଆବର୍ଜନା ପଡ଼ୁଛି। କିନ୍ତୁ ସେଗୁଡ଼ିକ ନିୟମିତ ଉଠୁ ନାହିଁ। ବିଭିନ୍ନ ସ୍ଥାନରେ ଆବର୍ଜନା ଗଦା ହୋଇ ରହୁଛି। କେବଳ ସେତିକି ନୁହେଁ, ମଦ ବୋତଲ ଗଡ଼ୁଥିବା ପରି ଅଭାବନୀୟ ଦୃଶ୍ୟ ବି ଦେଖିବାକୁ ମିଳୁଛି। ଏଠାରେ ଥିବା ବଡ଼ ବଡ଼ ଗଛର ଚାନ୍ଦିନୀ ମଝିରେ ବୋତଲ ପଡ଼ି ରହିଛି। ଏଠାରୁ ନା ବିଏମ୍‌ସି ନିୟମିତ ଆବର୍ଜନା ଉଠାଉଛି ନା କୌଣସି ସଂସ୍ଥାକୁ ସ୍ବତନ୍ତ୍ର ଭାବେ ସଫେଇ ଦିଆଯାଇଛି। ରାଜଧାନୀରେ ସ୍ବଚ୍ଛତାକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିଲା ବେଳେ ଲୋକସେବା ଭବନ ପାର୍କିଂରେ ଏହାର ପ୍ରଭାବ ନ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କ ପାଇଁ ଏହା ଏକ ଭୁଲ୍‌ ବାର୍ତ୍ତା ଦେଉଛି।

ସମ୍ବନ୍ଧିତ ଖବର