୪ ୱାର୍ଡରେ ସଫେଇ ବାଧାପ୍ରାପ୍ତ

ଆଲୋଚନା ବିଫଳ, ସବୁ ନାଟ ବିଏମ୍‌ସିର

ଭୁବନେଶ୍ବର: ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁ ଆଜି ୪ଟି ୱାର୍ଡରେ ସଫେଇ କାମ ବାଧାପ୍ରାପ୍ତ ହୋଇଛି। କାମ ବନ୍ଦ କରି ଶହ ଶହ ସଫେଇ କର୍ମଚାରୀର ୮ ନମ୍ବର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବସି ରହିଥିଲେ। ଠିକା ନେଇଥିବା ସଂସ୍ଥାର କର୍ମଚାରୀ ସେଠାରେ ପହଞ୍ଚି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା। ଶେଷରେ ସଫେଇ କର୍ମଚାରୀମାନେ ଠିକା ସଂସ୍ଥାକୁ ଦୁଇ ଦିନ ସମୟ ଦେଇଥିଲେ। ଦୁଇଦିନ ମଧ୍ୟରେ ଦାବି ଦାବି ପୂରଣ ନ ହେଲେ ସୋମବାର ଦିନ ବିଭିନ୍ନ ଥାନାରେ ଠିକା ସଂସ୍ଥାଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ସଭାପତି ମୋହନ ନାୟକ ଚେତାବନୀ ଦେଇଛନ୍ତି। ଆସନ୍ତାକାଲି ଠାରୁ ସଫେଇ କାମ ସ୍ବାଭାବିକ ହେବ ବୋଲି ସେ ସୂଚନା ଦେଇଛନ୍ତି।

କର୍ମଚାରୀଙ୍କ ଦାବି ହେଉଛି, ଠିକା ସଂସ୍ଥା କର୍ମଚାରୀଙ୍କ ମଜୁରିରୁ ୯୬ ଟଙ୍କା କାଟି ରଖୁଛି। ଏଣୁ ଗତ ୪ ମାସର ଏହି କଟା ମଜୁରି ଶ୍ରମିକ ପିଛା ୨୮୪୦ ଟଙ୍କା ହେଉଛି। ଠିକା ସଂସ୍ଥା ଏହାକୁ ତୁରନ୍ତ ପ୍ରଦାନ କରୁ। ୧ରୁ ୭ ତାରିଖ ଭିତରେ ଦରମା ଦେଉ। ଏ ନେଇ କୌଣସି ଲିଖିତ ପ୍ରତିଶ୍ରୁତି ନୁହେଁ, ବରଂ ସାମ୍ବାଦିକ ସମ୍ମିଳନୀ ଜରିଆରେ ସଂସ୍ଥା ଘୋଷଣା କରୁ। କିନ୍ତୁ ଠିକା ସଂସ୍ଥା ଏହି ସର୍ତ୍ତ ମାନି ନଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ। ଏଣୁ ସୋମାବାର ସୁଦ୍ଧା ଦାବି ପୂରଣ ନ ହେଲେ ସବୁ ଥାନାରେ ଏତଲା ଦିଆଯିବ ବୋଲି ସଂଘ ଧମକ ଦେଇଛି।

ତେବେ ଏ ସବୁ ନାଟର ଗୋବର୍ଦ୍ଧନ ହେଉଛି ବିଏମ୍‌ସି। ଟେଣ୍ଡରରେ ଥିବା ଚୁକ୍ତି ଅନୁସାରେ ବିଏମ୍‌ସି ଠିକା ସଂସ୍ଥାଙ୍କୁ ପଇସା ଦେଉନଥିବାରୁ ସମସ୍ୟା ହୋଇଛି। ଠିକା ସଂସ୍ଥା ବିଏମ୍‌ସିରୁ ସେମାନଙ୍କର ପ୍ରାପ୍ୟ ପାଉନଥିବାରୁ କର୍ମଚାରୀଙ୍କୁ ଦେବା ସମ୍ଭବ ହେଉ ନାହିଁ। ଫଳରେ ବିଭିନ୍ନ ସମୟରେ କର୍ମଚାରୀମାନେ ବକେୟା ଅର୍ଥ ଦାବି କରି ଧାରଣା ଦେଉଛନ୍ତି। ଭୁବନେଶ୍ବରର ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ୁଛି। କିଛି ଦିନ ହେବ ଏଭଳି ପ୍ରକ୍ରିୟା ଜାରି ରହିଛି। ଚୁକ୍ତି ମୁତାବକ ଅର୍ଥ ଦେଉନଥିବାରୁ ଠିକା ସଂସ୍ଥା ରାମ୍‌କି କୋର୍ଟର ଦ୍ବାରସ୍ଥ ହୋଇଛି। ବିଏମ୍‌ସି ପାଖାପାଖି ୫୬ କୋଟି ଟଙ୍କା ଦେବାକୁ ବାକି ରଖିଛି। ରାମ୍‌କି ବାଦ୍‌ ଅନ୍ୟ ସଂସ୍ଥାଙ୍କର ମଧ୍ୟ ବିଏମ୍‌ସି ବାକି ରଖିଛି। ଫଳରେ ସେମାନେ ସଫେଇ କର୍ମଚାରୀଙ୍କୁ ଟଙ୍କା ଦେଇ ପାରୁ ନାହାନ୍ତି। ଏହି ସମସ୍ୟା ସମ୍ପର୍କରେ ବିଏମ୍‌ସି ଅଧିକାରୀମାନେ ଅବଗତ ଥିଲେ ବି କିଛି ପଦକ୍ଷେପ ନେଉନାହାନ୍ତି।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ସମୟରେ ତେଲ ଦର ବଢ଼ିବା, ଗାଡ଼ି ଭଡ଼ା ବଢ଼ିବା, ମଜୁରି ବଢ଼ିବା ସମ୍ଭାବନା ଥିବାରୁ ବିଏମ୍‌ସି ଟେଣ୍ଡର ଦେବା ଟେଣ୍ଡର ମୂଲ୍ୟ ବାଦ୍‌ ଅତିରିକ୍ତ ଅର୍ଥ ପ୍ରଦାନ କରିବାକୁ ଚୁକ୍ତି ରହିଥାଏ। କିନ୍ତୁ ଏହି ଅତିରିକ୍ତ ଦେୟକୁ ବିଏମ୍‌ସି ପ୍ରଦାନ କରୁନାହିଁ। ଫଳରେ ପରିମଳ ବ୍ୟବସ୍ଥାରେ ଏଭଳି ସମସ୍ୟା‌ ବର୍ଷ ବର୍ଷ ଧରି ଲାଗି ରହିଛି।

ସମ୍ବନ୍ଧିତ ଖବର