ଗଳିକନ୍ଦିରେ ହେଉନି ବିଶୋଧନ, ରାଜଧାନୀର ଲୋକେ ଆତଙ୍କିତ

ଚନ୍ଦ୍ରଶେଖରପୁର : ପ୍ରତିଦିନ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜଧାନୀର ବହୁ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ବି‌ଶେଷକରି ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଅଞ୍ଚଳରୁ ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ଅବସ୍ଥାରେ ବିଭିନ୍ନ ଅଞ୍ଚଳରେ ଚାଲିଥିବା ବିଶୋଧନ ପ୍ରକ୍ରିୟାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। କେବଳ ଓସାରିଆ ରାସ୍ତାକୁ ବାଦ୍‌ ଦେଲେ ଅଣଓସାରିଆ ଗଳିକନ୍ଦିଗୁଡ଼ିକ ବିଶୋଧନ ହେଉନଥିବା ଅଭିଯୋଗ ହେଉଛି।

ଆଜି ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରୁ ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଉକ୍ତ ହସ୍ପିଟାଲ୍‌କୁ ସିଲ୍‌ କରାଯାଇଛି। ଏହା ସ୍ଥାନୀୟ ଲୋକଙ୍କୁ ଅଧିକ ଭୟଭୀତ କରିଛି। ସେହିଭଳି ପୂର୍ବରୁ ଭିଏସ୍ଏସ୍ ନଗର, ରେଲୱେ କଲୋନି, ମୈତ୍ରୀବିହାର, ଶୈଳଶ୍ରୀବିହାର, ନୀଳାଦ୍ରିବିହାରରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିଭଳି ଶିଖରଚଣ୍ଡୀ ନଗର, ଇନ୍‌ଫୋସିଟି, ପ୍ରଶାନ୍ତିବିହାର, ପଟିଆ, ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ଡମଣା, ଗାଡ଼କଣ, ଚକେଇସିଆଣି, ଭୋଟପଡ଼ା, ମଞ୍ଚେଶ୍ବର ଆଦିବାସୀ ବସ୍ତି ଓ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସୌଭାଗ୍ୟକୁ ରଙ୍ଗମାଟିଆ ଗ୍ରାମଟି ଏଥିରୁ ବର୍ତିଯାଇଛି। ମାତ୍ର ଲୋକଙ୍କ ମନରେ ଭୟ ରହିଛି। ଆଖପାଖ ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବାରୁ ରଙ୍ଗମାଟିଆକୁ କୌଣସି ସମୟରେ ବିପଦ ଆସିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ସାନିଟାଇଜ୍ ଉପରେ ଗ୍ରାମବାସୀମାନେ ଗୁରୁତ୍ବ ଦେଇଛନ୍ତି। ଦମକଳ ସହାୟତାରେ ସ୍ଥାନୀୟ ଅଞ୍ଚଳରେ ସାଇଟାଇଜ୍ କରାଯାଉଛି, କିନ୍ତୁ ଗାଡ଼ି କେବଳ ରାସ୍ତା ଉପରେ ପାଣି ଛିଞ୍ଚି ଚାଲି ଯାଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ସାହି ଓ ବସ୍ତିଗୁଡ଼ିକରେ ଭିତରେ ଗାଡ଼ି ପଶି ପାରୁନଥିବାରୁ ସେଠାରେ ବିଶୋଧନ କରାଯାଇପାରୁନାହିଁ। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରିବା ଜରୁରୀ ବୋଲି ଲୋକେ ଦାବି କରିଛନ୍ତି। ନଚେତ୍ ଏସବୁ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ବଢ଼ିବ ବୋଲି ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର