ବିଶୋଧନ ହେଉଥିଲା ନା ପ୍ରହସନ ଥିଲା? କୁଆଡ଼େ ଗଲା ଡ୍ରୋନ୍‌, ଦମ୍‌କଳ?

କାଁ ଭାଁ ଆକ୍ରାନ୍ତରେ ବିଶୋଧନ ହେଉଥିଲା, ମାଳମାଳ ବେଳକୁ ନାହିଁ

ଭୁବନେଶ୍ବର : ଗତବର୍ଷ ମାର୍ଚ୍ଚ, ଏପ୍ରିଲରେ ରାଜଧାନୀରେ ଯେତେବେଳେ କାଁ ଭାଁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ, ପୂରା ରାଜଧାନୀକୁ ବିଶୋଧନ କରାଯାଉଥିଲା। ଅଗ୍ନିଶମ ବିଭାଗ ଦମକଳ ଗାଡ଼ିରେ ରାସ୍ତାଘାଟରୁ ଆରମ୍ଭ କରି ହାଟ ବଜାର ପର୍ଯ୍ୟନ୍ତ ସବୁଆଡ଼େ ସୋଡିୟମ୍‌ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ସ୍ପ୍ରେ’ କରି ଚାଲିଲା। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ଡ୍ରୋନ୍ ଲଗାଇ ବିଭିନ୍ନ କଲୋନି, ମାର୍କେଟ୍‌ରେ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ଛିଞ୍ଚୁଥିଲେ। ଏବେ ରାଜଧାନୀରେ ଦୈନିକ ୮୦୦ରୁ ୧୦୦୦ ଆକ୍ରାନ୍ତ ବାହାରୁଥିବା ବେଳେ ନା ଅଗ୍ନିଶମ ବିଭାଗ ନା ବିଏସ୍‌ସିଏଲ୍, କେହି ବିଶୋଧନ କରୁନାହାନ୍ତି।

କୋଭିଡ୍‌ର ପ୍ରଥମ ପର୍ଯ୍ୟାୟରେ ବିଶୋଧନ ନାଁରେ ଅଗ୍ନିଶମ ବିଭାଗ ଓ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ କର୍ତ୍ତୃପକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ହେଁ କିଛି ସୁଫଳ ମିଳିଲାନି। କରୋନା ସଂକ୍ରମଣ କମାଇବାରେ କି କରୋନା ଭୂତାଣୁ ଉପରେ ଏହି ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ କିଛି ପ୍ରଭାବ ପକାଉନଥିବା ଜାଣିବା ପରେ ବି ରାଜକୋଷରୁ ଯେଉଁ ବାବୁମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଲେ। ସେମାନେ ଚଳିତବର୍ଷ ବି ଏହି ବିଶୋଧନ ସିଞ୍ଚନ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି। ହେଲେ ଉପରିସ୍ଥ ଅଧିକାରୀଙ୍କ ସବୁଜ ସଂକେତ ମିଳୁନି। ଯେଉଁଥିପାଇଁ ରାଜଧାନୀରେ ରାସ୍ତାଘାଟ ଏବେ ବିଶୋଧନ ହେଉନି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ଯେତିକି ବିଶୋଧନ କ‌ଲାନି, ତା’ଠାରୁ ଅଧିକ କ୍ଷତି କଲା। ଯେଉଁ ଦମ୍‌କଳ ଗାଡ଼ିରେ ଏହି ବିଶୋଧକ ସିଞ୍ଚନ ହେଉଥିଲା, ସେଥିରୁ ଅଧିକାଂଶ ଗାଡ଼ି ନଷ୍ଟ ହୋଇଗଲା, ଯେଉଁ ଅଫିସ୍‌ ଓ ଦୋକାନ ଉପରେ ଏହା ସିଞ୍ଚନ ହୋଇଥିଲା, ସେଠାରେ ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଯାଇଛି। ଲୁହା ଓ ବିଭିନ୍ନ ଧାତୁର ସାମଗ୍ରୀଗୁଡ଼ିକ କଣା ହୋଇଯାଇଛି। କରୋନା ସଂକ୍ରମଣ ତ କମିଲାନି ବରଂ କୋଟିକୋଟି ଟଙ୍କାର ସାମଗ୍ରୀ ନଷ୍ଟ ହେଲା।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଆମେ ୧୦୦ ଲିଟର ପାଣିରେ ୧ଲିଟର ସୋଡିୟମ୍‌ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ମିଶ୍ରଣ କରି ସିଞ୍ଚନ କରୁଥିଲୁ। ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ଅତ୍ୟନ୍ତ କ୍ଷତିକାରକ ହୋଇଥିବାରୁ ଏହାର ପ୍ରଭାବ କମାଇବା ପାଇଁ ଆମେ ୧ ଲିଟରରେ ୧୦୦ଲିଟର ପାଣି ମିଶାଉଥିଲୁ। ହେଲେ ଏହାଦ୍ବାରା ଆମର ୫୦ରୁ ୬୦ଟି ଦମ୍‌କଳ ଗାଡ଼ିର ଟାଙ୍କି କଣା ହୋଇଯାଇଛି। ଏଥିରେ ୨ହଜାର, ୩ହଜାର, ୫ହଜାର ଓ ୧୦ହଜାର ଲିଟର ବିଶିଷ୍ଟ ଗାଡ଼ି ଅଛି। ଏହାବାଦ୍ ୩୦ରୁ ଅଧିକ ଗାଡ଼ିର ୱାଟର୍‌ କ୍ୟାନନ୍ ନଷ୍ଟ ହୋଇଯାଇଛି। ଏପରିକି ଯେଉଁ ଗାଡ଼ିରେ ଏହା ସିଞ୍ଚନ ହେଉଥିଲା, ସେ ଗାଡ଼ିର ପମ୍ପରେ ଏହା ପଶି ନଷ୍ଟ କରିଦେଇଛି। ତେଣୁ ଏବେ ବିଭିନ୍ନ ଅଞ୍ଚଳରେ ବିଶୋଧନ କରିବା ପାଇଁ ଆଲୋଚନା ହେଉଥିଲେ ହେଁ ତାହାକୁ କାର୍ଯ୍ୟକାରୀ କରାଯାଉନି।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଗ୍ନିଶମ ବିଭାଗ ଅଧୀନରେ ଥିବା ଯେଉଁ ଗାଡ଼ିଗୁଡ଼ିକ ବି‌ଶୋଧକଯୁକ୍ତ ପାଣି ସ୍ପ୍ରେ’ କରିବାକୁ ପ୍ରସ୍ତୁତ ହୋଇଛି, ସେ ସବୁ ଟାଙ୍କି ଲୁହା କିମ୍ବା ଷ୍ଟିଲ୍‌ ମିଶ୍ରିତ ଲୁହାରେ ନିର୍ମିତ ହୋଇଛି। ଏଥିରେ କେମିକାଲ୍ ସ୍ପ୍ରେ’ କଲେ ଗାଡ଼ି ନଷ୍ଟ ହୋଇଯାଉଛି। ବିଶୋଧକ ସିଞ୍ଚନ ପାଇଁ ସ୍ବତନ୍ତ୍ର ଫାଇବର୍ ଟାଙ୍କି ଆଣିବାକୁ ପଡ଼ିବ।

ଯେତେବେଳେ ରାସ୍ତାଘାଟ, ସରକାରୀ କାର୍ଯ୍ୟାଳୟ, ହାଟ ବଜାରରେ ଅଗ୍ନିଶମ ବିଭାଗ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍‌ ଢାଳିଲା ଭଳି ସ୍ପ୍ରେ’ କରୁଥିଲା, ସେତେବେଳେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ କର୍ତ୍ତୃପକ୍ଷ ବେଙ୍ଗାଲୁରୁର ଏକ ସଂସ୍ଥାକୁ ଡାକି ଡ୍ରୋନ୍‌ରେ ସ୍ପ୍ରେ’ କରୁଥିଲେ। ଏହି ଡ୍ରୋନ୍‌ ମାଧ୍ୟମରେ ସ୍ପ୍ରେ’ ଆବଶ୍ୟକ ନଥିବା ବେଳେ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ସ୍ମାର୍ଟ ତରିକା ଦେଖାଇବାକୁ ଯାଇ ଡ୍ରୋନ୍‌ରେ ସିଞ୍ଚନ କଲେ। କିନ୍ତୁ ବିଭିନ୍ନ ସ୍ଥାନ‌ରେ ଡ୍ରୋନ୍ ତଳେ ଖସିପଡ଼ିବାରୁ ଏବଂ ଏଥିରୁ ବାହାରୁଥିବା ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ତଳକୁ ନ ଆସି ଉପରେ ଉପରେ ଉଡ଼ିଯିବାରୁ ଏହା ଫଳପ୍ରଦ ହେଲାନି। ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ ହେବାରୁ ଏହାକୁ ଅଧାରୁ ବନ୍ଦ କରାଯାଇଥିଲା।

ରାଜ୍ୟ ସରକାର ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ସିଞ୍ଚନ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏହା କୌଣସି କାମରେ ଲାଗିଲାନି କି ଭବିଷ୍ୟତରେ ଲାଗିବନି ବୋଲି ବିଶେଷଜ୍ଞ କହିଛନ୍ତି। ‌ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡା. ନିରଜ ମିଶ୍ରଙ୍କ କହିବାନୁଯାୟୀ, ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ କୌଣସି ସାମଗ୍ରୀକୁ ଭୂତାଣୁମୁକ୍ତ କରିପାରେନି। ବିଶେଷକରି କରୋନା ଭୂତାଣୁକୁ ତ ଆଦୌ ନୁହେଁ। ଏହାର ସିଞ୍ଚନର ଆବଶ୍ୟକତା ନାହିଁ। ଘରେ ଓ ବିଭିନ୍ନ ଅଫିସ୍‌ରେ ଚଟାଣ ସଫା କରିବାକୁ ଯେଉଁ କ୍ଲିନର୍‌, ଲିକ୍ୟୁଇଡ୍ ବ୍ୟବହାର ହେଉଛି, ତାହା ଅଧିକ ଫଳପ୍ରଦ।

ସମ୍ବନ୍ଧିତ ଖବର