ବାଲିଅନ୍ତା ବଜାର: ବାଲିଅନ୍ତା ବ୍ଲକ୍ ଅଧୀନ ପ୍ରତାପରୁଦ୍ରପୁର ଗ୍ରାମର କଲୋନି ଭୋଇ ସାହିର ସଞ୍ଜୟ ଭୋଇ (୪୦)। ପରିବାର କହିଲେ, ସ୍ତ୍ରୀ ଅର୍ଚ୍ଚନା, ୩ବର୍ଷର ପୁଅ ଓ ବୁଢ଼ୀ ମା’। ଏକ ଘରୋଇ କମ୍ପାନିରେ କାମ କରି ସଂଜୟ ଯାହା ପାଉଥିଲେ, ସେଥିରେ ଚାରିପ୍ରାଣୀ ଖୁସିରେ ଚଳି ଯାଉଥିଲେ। କିନ୍ତୁ କାହାର ନଜର ଲାଗିଲା କେଜାଣି, ତାଙ୍କ ହସଖୁସିର ସଂସାର ଉପରେ ହଠାତ୍ ଦୁଃଖର ବାଦଲ ଅଜାଡ଼ି ହୋଇପଡ଼ିଲା। ସଂଜୟଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ବେମାରି ମାଡ଼ି ବସିଲା ଯେ ୧୦ ମାସ ହେଲା ସେ ଖଟରେ ଶୋଇ ରହିଛନ୍ତି। ଚିକିତ୍ସା କରିବାକୁ ମଧ୍ୟ ପାଖରେ ପଇସା ନାହିଁ। ଏକମାତ୍ର ରୋଜଗାରିଆ ବ୍ୟକ୍ତି ବିଛଣାରେ ପଡ଼ିବା ରହିବାରୁ ପରିବାର ସ୍ଥିତି ଅତି ଦୟନୀୟ ହୋଇପଡ଼ିଛି।
ଗତବର୍ଷ ସଞ୍ଜୟ ଉଚ୍ଚ ରକ୍ତଚାପ ସହ ମଧୁମେହ ରୋଗରେ ପୀଡ଼ିତ ହୋଇଥିଲେ। ଦେହ ବାରମ୍ବାର ଖରାପ ହେବାରୁ ସମସ୍ତ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ତାଙ୍କୁ ବୋନ୍-ଟିବି ହୋଇଛି ବୋଲି ଜଣାପଡ଼ିଥିଲା। ବିଜୁ ସ୍ବାସ୍ଥ୍ୟକାର୍ଡ ମାଧ୍ୟମରେ ହାଇଟେକ୍ ମେଡିକାଲରେ ଚିକିତ୍ସା କରାଇଥିଲେ। କିନ୍ତୁ କୌଣସି ସୁଫଳ ମିଳିନଥିଲା। ପରେ ତାଙ୍କର କିଡନୀ ଜନିତ ସମସ୍ୟା ସହ ଅନ୍ୟ ସମସ୍ୟା ଦେଖାଦେଇଥିଲା। ବାରମ୍ବାର ମେଡିକାଲରେ ଚିକିତ୍ସିତ ହେବାରୁ ବିଜୁ ସ୍ବାସ୍ଥ୍ୟକାର୍ଡରେ ଥିବା ବୀମା ରାଶି ମଧ୍ୟ ସରି ଆସିଲାଣି। ସରକାରଙ୍କ ତରଫରୁ ମୁଣ୍ଡ ଗୁଞ୍ଜିବା ପାଇଁ ସଂଜୟଙ୍କୁ ଘରଟିଏ ମିଳିଛି। ପ୍ରତି ମାସରେ ଚାଉଳ ମିଳୁଛି। କିନ୍ତୁ ଦୁଇ ଓଳି ଖାଇବା ପାଇଁ ପରିବାରଲୋକଙ୍କୁ ଏବେ ବାରଦୁଆର ହେବାକୁ ପଡ଼ୁଛି। ମାଗିଯାଚି ଯାହା ମିଳୁଛି, ସେଇଥିରେ ପରିବାର ଚଳି ଯାଉଛି କିନ୍ତୁ ଚିକିତ୍ସା ଓ ଔଷଧ କିଣିବା ପାଇଁ ପାଖରେ ଟଙ୍କା ନାହିଁ। ସେପଟେ ଡାକ୍ତରଙ୍କ ପରାମର୍ଶ, ତୁରନ୍ତ ଚିକିତ୍ସା କରା ନଗଲେ ସଞ୍ଜୟଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ତାଙ୍କ ପରିବାରକୁ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗ କରିବାକୁ ପ୍ରତାରୁଦ୍ରପୁର ଗ୍ରାମବାସୀ ଓ ବୁଦ୍ଧିଜୀବୀମାନେ ଅନୁରୋଧ କରିଛନ୍ତି।