ଭୁବନେଶ୍ବର: ସ୍ବର ଶାଣିତ ହେଲେ ଅପସ୍ବର ଦବି ପାରିବ। ଭଲ କବିତା ଅଧିକ ସଂଖ୍ୟାରେ ଲେଖା ହେଲେ ଖରାପ କବିତା ଆପେ ଆପେ ପାଠକମାନଙ୍କଠାରୁ ଦୂରେଇଯିବ। ‘ସମ୍ବାଦ ଭବନ’ ପରିସରରେ କନକ ନ୍ୟୁଜ୍ ପିସିଆର୍ ବିଭାଗର କର୍ମଚାରୀ ତଥା କବି ସଞ୍ଜୟ କୁମାର ସାହୁଙ୍କ ପ୍ରଥମ କବିତା ପୁସ୍ତକ ‘ଫେରାର୍ ପକ୍ଷୀର ଠିକଣା’ର ଲୋକାର୍ପଣ ଉତ୍ସବରେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏପରି କହିଛନ୍ତି।
ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ଖବରକାଗଜ ବା ମୁଦ୍ରିତ ପୁସ୍ତକ ଦିନେ ମରିଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି। ଏହାର କାରଣ ପାଠକଙ୍କ ପାଖରେ ପହଞ୍ଚାଇବାକୁ ବିତରକଙ୍କ ଅଭାବ ପରିଲକ୍ଷିତ ହେଉଛି। ପ୍ରକାଶକ ଆଉ ଅଧିକ ସଂଖ୍ୟକ ପୁସ୍ତକ ଛାପିବାକୁ ରାଜି ନୁହନ୍ତି। ସାହିତ୍ୟିକଟିର ଲେଖାଟିଏ କେତେ ସଂଖ୍ୟକ ପାଠକ ପାଖରେ ପହଞ୍ଚି ପାରିବ, ସେ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି। ଏଣୁ ମୁଦ୍ରିତ ମାଧ୍ୟମ ଉପରେ ନିର୍ଭର ନ କରି ଆଧୁନିକ କାରିଗରି କୌଶଳ ଓ ସାମାଜିକ ଗଣମାଧ୍ୟମର ପ୍ରକୃତ ଉପଯୋଗ କରିପାରିଲେ ଲେଖକଟିର ଲେଖା ଅଧିକରୁ ଅଧିକ ପାଠକଙ୍କ ପାଖରେ ପହଞ୍ଚି ପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଇଭେଣ୍ଟସ୍ ପବ୍ଲିକେସନ୍ସ୍ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇ ଲେଖକ ଶ୍ରୀ ସାହୁ କହିଲେ, ବିଭିନ୍ନ ଘଟଣାବଳୀ, ସାମାଜିକ କଥା, ପରିବେଶ, ପଶୁପକ୍ଷୀ ଓ ବିଭିନ୍ନ ଛୋଟବଡ଼ ଅନୁଭୂତିକୁ ନେଇ ଏହି କବିତା ସଂକଳନ ପ୍ରସ୍ତୁତ ହୋଇଛି। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, କନକ ନ୍ୟୁଜ୍ ସମ୍ପାଦକ ମନୋରଞ୍ଜନ ମିଶ୍ର, ପୁସ୍ତକର ପ୍ରକାଶକ ପ୍ରକାଶ ମହାପାତ୍ର, ସମ୍ବାଦ ଡଟ୍ ଇନ୍ ମୁଖ୍ୟ ଧୃତିକାମ୍ ମହାନ୍ତି, ‘ସମ୍ବାଦ’ ଉପମହାପ୍ରବନ୍ଧକ(ବାର୍ତ୍ତା) ଗୌତମବୁଦ୍ଧ ଦାସ, ସାହିତ୍ୟିକ ଚିତ୍ତରଞ୍ଜନ ଚିରଞ୍ଜିତ, କନକ ନ୍ୟୁଜ୍ର ଆଉଟ୍ପୁଟ୍ ସମ୍ପାଦକ ନରେନ୍ଦ୍ର ଜେନା ଓ ଆସୋସିଏଟ୍ ସମ୍ପାଦକ ସ୍ବୟଂପ୍ରକାଶ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/g54h4gjh65fg4jh5fg6jh465gjh4dg65j4dg564dg654jjjjjj.jpg)