ସଂଜୀବନୀ ମେଡିକେୟାର ହସ୍ପିଟାଲ୍‌ର ରୌପ୍ୟ ଜୟନ୍ତୀ

ଭୁବନେଶ୍ବର: ୫ ଶଯ୍ୟା ବିଶିଷ୍ଟ ମେଡିକାଲ୍‌ରୁ ଆରମ୍ଭ ହୋଇଥିବା ସଂଜୀବନୀ ମେଡିକେୟାର ହସ୍ପିଟାଲ୍‌ ଆଜି ୧ଶହ ଶଯ୍ୟା ବିଶିଷ୍ଟ ମେଡିକାଲ୍‌ର ରୂପ ନେଇଛି। ଏଥିସହ ହସ୍ପିଟାଲ୍‌ ଆଜି ରୌପ୍ୟ ଜୟନ୍ତୀ ପାଳନ କରିଛି। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେ‌ଳେ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମେଡିକାଲ୍‌ର ନବକେଳବର ରୂପକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ଆଜି ଏଠାରେ ଉଚ୍ଚମାନର ଆଇସିୟୁ ଏବଂ ଆଧୁନିକ ରେଡିଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ‘ରାଡୋ କେୟାର’ ଲୋକାର୍ପିତ ହୋଇଛି। ଉନ୍ନତ ସ୍ବାସ୍ଥ୍ୟସେବା ପହଞ୍ଚାଇବାରେ ସଂଜୀବନୀର ଭୂମିକା ଏବଂ ସ୍ଥାନୀୟ ଅଞ୍ଚଳର ସ୍ବାସ୍ଥ୍ୟସେବା ସୁଧାରିବା ନେଇ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପଣ୍ଡା ଆଲୋକପାତ କରିଥିଲେ। ସାଂସଦ ସୌମ୍ୟରଂଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଏହି ଅନୁଷ୍ଠାନ ଏକ ସଫଳ କାହାଣୀ। ଏହା ଯୁବକଙ୍କୁ ଆତ୍ମବିଶ୍ବାସର ସହ କିଛି କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ। ଏହି ଅବସରରେ ଶାନ୍ତି ମେମୋରିଆଲ୍‌ ହସ୍ପିଟାଲ୍‌ର ସିଏମ୍‌ଡି ଶ୍ରୀଜୟ ପଟ୍ଟନାୟକ ଏହି ହସ୍ପିଟାଲ୍‌କୁ ସମସ୍ତ ସହଯୋଗ ଯୋଗାଇ ଦେବା ନେଇ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ପୁଷ୍ପା ଦାସ ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରଥମ ‌ଲାପାରୋସ୍କୋପିକ୍‌ ସର୍ଜନ ତଥା ସଂଜୀବନୀ ମେଡିକେୟାର ହସ୍ପିଟାଲ୍‌ର ଅଧ୍ୟକ୍ଷ ଡାକ୍ତର ଅଜୟ ମିଶ୍ର ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ମେଡିକାଲ୍‌ ଚଳାଇବାର ସଫଳ ଯାତ୍ରା ବାବଦରେ କହିଥିଲେ। ଏହି ଅବସରରେ ଡାକ୍ତର ମିଶ୍ରଙ୍କ ବଡ଼ ଭାଇ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଶେଷରେ ଡାକ୍ତର ସବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର