ଭୁବନେଶ୍ୱର : ଦୀର୍ଘ ୧୦ ଦିନ କାଳ ମେଡିକାଲରେ ଚିକିତ୍ସିତ ହେବା ପରେ ଆଜି ନୂଆ ଜୀବନ ନେଇ ଘରକୁ ଫେରିଛନ୍ତି ପୁରୀ ସମଗରାର ସଞ୍ଜୁ। ତାଙ୍କ ଜଂଘରେ ଅସ୍ତ୍ରୋପଚାର ସଫଳ ହେବା ପେର ସେ ନିଜେ ଚାଲିବା ଆରମ୍ଭ କରିଛନ୍ତି। ତାଙ୍କୁ ସ୍ବପ୍ନ ଦେଖିବା ଭଳି ଲାଗୁଛି। ସେ ନିଜେ ଚାଲୁଛନ୍ତି ବୋଲି ବିଶ୍ବାସ କରିପାରୁ ନାହାନ୍ତି। ଡାକ୍ତରଖାନାରୁ ହତାଶ ହେବା ପରେ ଘରେ ପଡ଼ି କେବଳ ମୃତ୍ୟୁକୁ ଅପେକ୍ଷା କରିବା, ଆଉ ସେତିକି ବେଳେ ସୋସିଆଲ ମିଡିଆରେ ତାଙ୍କର ଏଭଳି ଅବସ୍ଥା ଦେଖି ଜଣେ ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ଆଣିବା ଓ ସଫଳ ଅପରେସନ ପରେ ଚାଲିବା ତାଙ୍କୁ କାହାଣୀ ଭଳି ଲାଗୁଛି। ସେ ଆଜି ଡିସ୍ଚାର୍ଜ ହେବା ବେଳେ ଭାବପ୍ରବଣ ହୋଇ ପଡ଼ିଥିଲେ। ପରିବାର ସଦସ୍ୟଙ୍କ ଖୁସି ମଧ୍ୟ କହିଲେ ନ ସରେ। ସେ ଚାଲିବେ ଆଉ ଥରେ ରୋଜଗାର ଆରମ୍ଭ କରିବେ ସେଥିପାଇଁ ବିଧବା ମା' ଓ ପତ୍ନୀ ଗଦ୍ଗଦ୍ ହୋଇପଡ଼ିଥିଲେ। ଡାକ୍ତରଙ୍କ କେଉଁ ଭାଷାରେ ଧନ୍ୟବାଦ ଜଣାଇବେ ଭାବି ପାରୁନଥିଲେ। ଡାକ୍ତର ସୁବ୍ରତ ମହାନ୍ତିଙ୍କ ପରାମର୍ଶ ମୁତାବକ, ସେ କିଛି ଦିନ ବିଶ୍ରାମ ନେବେ। ଏବେ ଦିଆଯାଇଥିବା ମେଡିସିନ୍ ଓ କିଛି ପରାମର୍ଶ ମାନି ଘରେ ବିଶ୍ରାମ ନେବା ପରେ କାମ କରିପାରିବେ।
ସୂଚନାଯୋଗ୍ୟ, ‘ଫନି’ ବାତ୍ୟା ପରେ ନିଜ ଭଙ୍ଗା ଚାଳ ଛପର ଘରକୁ ସଜାଡ଼ୁ ସଜାଡ଼ୁ ଚାଳରୁ ଖସି ପଡ଼ି ପୁରୀ ସମଗରାର ସଞ୍ଜୁ ଜେନା ଅକର୍ମଣ୍ୟ ହୋଇ ଯାଇଥିଲେ। ଅପରେସନ ପାଇଁ ଲକ୍ଷଲକ୍ଷ ଟଙ୍କା ଦରକାର ବୋଲି ଜାଣିବା ପରେ ସେ ସେକ ଦେଇ ସୁସ୍ଥ ହୋଇଯିବେ ବୋଲି ଭାବିଥିଲେ। ମାତ୍ର ସେକ ଦ୍ବାରା ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ସଞ୍ଜୁଙ୍କ ଦୁଃଖ କାହାଣୀକୁ ଫେସ୍ବୁକ୍ରେ ଦେଖିବା ପରେ ଡାକ୍ତର ସୁବ୍ରତ ମହାନ୍ତି ସହଯୋଗର ହାତ ବଢ଼ାଇଥିଲେ। ତାଙ୍କୁ ଘରୁ ଆଣି ମାଗଣାରେ ଅପରେସନ କରିଥିଲେ।