ନୂଆ ଜୀବନ ପାଇବେ ସଞ୍ଜୁ: ପରୀକ୍ଷାନିରୀକ୍ଷା ଶେଷ, ରିପୋର୍ଟ ଆସିଲେ ଅପରେସନ୍

ଡାକ୍ତର କହିଲେ, ଅପରେସନର ୪୮ ଘଣ୍ଟା ପରେ ଚାଲିପାରିବ ସଞ୍ଜୁ

ଭୁବନେଶ୍ବର : ଫନି ବା‌ତ୍ୟା ପରେ ନିଜ ଚାଳଛପର ଘରକୁ ସଜାଡ଼ୁଥିବାବେଳେ ଉଚ୍ଚରୁ ପଡ଼ିଯାଇ ଅକର୍ମଣ୍ୟ ହୋଇ ଯାଇଥିବା ପୁରୀ ସମଗରାର ସଞ୍ଜୁ ଜେନାଙ୍କୁ ନୂ୍ଆ ଜୀବନ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି କ୍ୟାପିଟାଲ ହସ୍ପିଟାଲର ଡାକ୍ତର ସୁବ୍ରତ ମହାନ୍ତି। ଗତକାଲିଠାରୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ସଞ୍ଜୁଙ୍କର ଅପରେସନ ଖୁବ୍‌ ଶୀଘ୍ର ହେବ ‌ବୋଲି ଜଣାପଡ଼ିଛି। ଦୀର୍ଘ ଦିନ ହେବ ସେ ଅଚଳ ଅବସ୍ଥାରେ ପଡ଼ି ରହିବା ସହ ସେକ ମଧ୍ୟ ନେଇଥିଲେ। ଏଣୁ ଆମୂଳଚୁଳ ପରୀକ୍ଷାନିରୀକ୍ଷାର ଆବଶ୍ୟକତା ରହିଛି। ଆଜି ତାଙ୍କର ସିଟି ସ୍କାନ୍‌ କରାଯିବା ସହ ରକ୍ତ ପରୀକ୍ଷା, ଫୁଲ୍‌ବଡି ଚେକ୍‌ଅପ୍‌ କରାଯାଇଛି। ଆସନ୍ତାକାଲି କେତେକ ରିପୋର୍ଟ ଆସିବାକୁ ଅଛି। ସବୁ ପ୍ରସ୍ତୁତ ହେବା ପରେ ମଙ୍ଗଳବାର ଦିନ ତାଙ୍କର ଅପରେସନ ହେବ। ମାତ୍ର ଗୋଟିଏ ଦିନ ବିଶ୍ରାମ ପରେ ସେ ଚାଲିବାକୁ ସକ୍ଷମ ହେବେ ବୋଲି କହିଛନ୍ତି ଡାକ୍ତର ମହାନ୍ତି।

ଡାକ୍ତର ମହାନ୍ତି କହିଛନ୍ତି; ପ୍ରଥମେ ସଞ୍ଜୁ ଅପରେସନରେ ଲକ୍ଷାଧିକ ଖର୍ଚ୍ଚ ହେବ ଶୁଣି ଡରି ଯାଇଥିଲେ। ଏଣୁ ଘରେ ରହି ସେକ ଦେଉଥିଲେ। ବର୍ଷାଧିକ କାଳ ପଡ଼ିହିବା ଓ ସେକ ନେବା ସେହି ହାଡ଼ ଭାଙ୍ଗିଥିବା ଜାଗାକୁ ପ୍ରଭାବିତ କରିଛି। ତେବେ ଏବେ ବି କିଛି ସମସ୍ୟା ହୋଇ ନାହିଁ। ଏକ୍ସ’ରେରୁ ଯାହା ଜଣାପଡ଼ୁଛି ଜଂଘର ଜଏଣ୍ଟ ଜାଗା ଭାଙ୍ଗି ଯାଇଛି। ଏଥିପାଇଁ ତାଙ୍କର ‘ମିନିମାଲ ଆପ୍ରୋଚ୍ ହିପ ରିପ୍ଲେସ୍‌ମେଣ୍ଟ’ କରାଯିବ। ଏଭଳି ଅପରେସନ ପରେ ମାତ୍ର ୪୮ ଘଣ୍ଟା ମଧ୍ୟରେ ରୋଗୀ ଚଲାବୁଲା କରିବା ଭଳି ଉଦାହରଣ ପୂର୍ବରୁ ଏକାଧିକ ରହିଛି। ଦିଲ୍ଲୀରେ ଇଲେକ୍ଟ୍ରିସିଆନ୍‌ ଭାବରେ କାମ କରୁଥିବା ରାଜନଗରର ଜଣେ ପିଲା ପଡ଼ି ଯାଇ ଏଭଳି ଆହତ ହୋଇଥିଲା। କିଛି ଦିନ ପଡ଼ି ରହିବା ପରେ ସେ ‘ଏଭିଏନ୍‌’ ନାମକ ରୋଗଗ୍ରସ୍ତ ହେବା ପରେ ତା’ର ଚିକିତ୍ସା କରାଯାଇଥିଲା। ଏବେ ସେ ପୂରା ସୁସ୍ଥ। ସେହିଭଳି ମଞ୍ଚେଶ୍ବର ଅଞ୍ଚଳର ଜଣେ ଗରିବ ଲୋକ ମନ୍ଦିର କାନ୍ଥରୁ ପଡ଼ି ଏଭଳି ଆହତ ହୋଇଥିଲା। ସେ ମଧ୍ୟ ଏବେ ସୁସ୍ଥ ଅଛି। ଏଣୁ ସଞ୍ଜୁ ମଙ୍ଗଳବାର ଅପରେସନ ପରେ ଗୁରୁବାର ଠାରୁ ଚାଲିବା ଆରମ୍ଭ କରିବେ ବୋଲି ଆଶା ରହିଛି। ଆମେ ଉଦ୍ୟମ କରୁଛୁ ଯେଭଳି ଅପରେସନରେ ତାଙ୍କର ଟଙ୍କାଟିଏ ଖର୍ଚ୍ଚ ହେବ ନାହିଁ।

ଅନ୍ୟପଟେ ପୁଅ ନୂଆ ଜୀବନ ପାଇବାକୁ ଯାଉଥିବା ଶୁଣି ଖୁସିରେ କାନ୍ଦି ପକାଇଛନ୍ତି ବିଧବା ମା’ ବିଳାସ ଦେଈ। ସେ ବିଶ୍ବାସ କରିପାରୁନାହାନ୍ତି ଯେ ପୁଅ ତାଙ୍କର ପୁଣି ଚାଲିବ। ସେହିପରି ବିବାହର କିଛି ଦିନ ପରେ ପଙ୍ଗୁ ହୋଇଯାଇଥିବା ସ୍ବାମୀକୁ ଛାଡ଼ି ଚାଲି ଯାଇଥିବା ପତ୍ନୀ ଚିଙ୍କି ମଧ୍ୟ ମେଡିକାଲ୍‌ରେ ପହଞ୍ଚି ତାଙ୍କର ସେବା କରୁଛନ୍ତି। ସେ ମଧ୍ୟ ବିଶ୍ବାସ କରିପାରୁ ନାହାନ୍ତି ଯେ ତାଙ୍କ ସ୍ବାମୀ ଉଠି ଛିଡ଼ା ହେବେ ପୁଣି ନୂଆ ଜୀବନ ଆରମ୍ଭ କରିବେ। ତାଙ୍କ ବୈବାହିକ ଜୀବନ ପୁଣି ହସି ଉଠିବ।

ସମ୍ବନ୍ଧିତ ଖବର